‘ସେକ୍ସପିୟର କେ ଶ୍ରେଷ୍ଠ ସନେଟ୍‌ ଔର ବିଶ୍ବ କି ଲୋକପ୍ରିୟ କବିତାଏଁ ’ ଲୋକାର୍ପିତ

ଭୁବନେଶ୍ବର : ‘ସେକ୍ସପିୟର କେ ଶ୍ରେଷ୍ଠ ସନେଟ୍‌ ଔର ବିଶ୍ବ କି ଲୋକପ୍ରିୟ କବିତାଏଁ ’ ପୁସ୍ତକ ଜୟଦେବ ଭବନରେ ଉନ୍ମୋଚିତ ହୋଇଯାଇଛି। ନାବାର୍ଡର ଅବସରପାପ୍ତ ଅଧିକାରୀ ସୁଧୀର କୁମାର ମିଶ୍ର ସେକ୍ସପିୟରଙ୍କ ସନେଟ୍‌ ସହ ବିଶ୍ବର ଅନ୍ୟ ଲୋକପ୍ରିୟ ୨୬ଟି କବିତାର ହିନ୍ଦୀ ଅନୁବାଦ କରିଛନ୍ତି। ଏଥିରେ ଓଡ଼ିଆ ସାହିତ୍ୟର ଅଗ୍ରଗଣ୍ୟ ସ୍ରଷ୍ଟା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ‘ବିଶ୍ବ ଦେଖ ମଧୁମୟ ରେ ଜୀବନ’ ମଧ୍ୟ ସ୍ଥାନ ପାଇଛି।

ଶାନ୍ତିସେନା ପବ୍ଲିକେସନ୍ସ ପକ୍ଷରୁ ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଆଜି ବିଶ୍ବ ମାତୃଭାଷା ଦିବସ। ଏହି ଦିନ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା। ଏହିଭଳି ଦିନରେ ସୁଧୀର କୁମାର ମିଶ୍ର ଯଥାର୍ଥ ସ୍ତରରେ ଓଡ଼ିଆ ଭାଷାକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇ ପାରିଛନ୍ତି। ସ୍ବଭାବ କବିଙ୍କ କବିତାର ହିନ୍ଦୀ ଅନୁବାଦ ସହିତ ସେକ୍ସପିୟରଙ୍କ ସନେଟ୍‌ଗୁଡ଼ିକୁ ହିନ୍ଦୀରେ ଅନୁବାଦ କରି ଜଣେ ଓଡ଼ିଆ ଭାବରେ ସେ ସର୍ବଭାରତୀୟସ୍ତରରେ ନିଜକୁ ଜାହିର କରିଛନ୍ତି।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟକ ଦାଶ ବେନହୁର କହିଥିଲେ, ସାହିତ୍ୟର କିଛି ସୀମା ନଥାଏ। ବିଶ୍ବର ସମସ୍ତ ଜାଗାରେ ହୃଦୟର ଭାଷା ସମାନ। ସେକ୍ସପିୟରଙ୍କ ସନେଟ୍‌ଗୁଡିକର ହିନ୍ଦୀ ଅନୁବାଦ ସହିତ ଓଡ଼ିଆରେ ମଧ୍ୟ ଅନୁବାଦ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ଆୟକର କମିସନର ଶରତ ଦାଶ ଶ୍ରୀ ମିଶ୍ରଙ୍କ ଏଭଳି ଉଦ୍ୟମ ସ୍ବାଗତଯୋଗ୍ୟ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର୍‌ ରାମନାରାୟଣ ପଣ୍ଡା ପୁସ୍ତକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ ହିନ୍ଦୀ ବିଭାଗ ମୁଖ୍ୟ ପ୍ରଫେସର ରାଧାକାନ୍ତ ମିଶ୍ର, ଜଗତସିଂହପୁର ସ୍ବାମୀ ବିବେକାନନ୍ଦ ମହାବିଦ୍ୟାଳୟର ପୂର୍ବତନ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ହିନ୍ଦୀ ବିଭାଗ ରିଡର୍‌ ପ୍ରଫେସର୍‌ ଅଜୟ କୁମାର ପଟ୍ଟନାୟକ ପୁସ୍ତକର ସମୀକ୍ଷା କରିଥିଲେ। ବରିଷ୍ଠ ସାହିତ୍ୟିକ କୁଳମଣି ଷଡ଼ଙ୍ଗୀ, କ୍ଷୀରୋଦ ଦାସ, ବିକ୍ରମ ଦାସ, ବାସୁଦେବ ସାମଲ, ପ୍ରଭାତୀ ଜେନା, ପ୍ରିୟବ୍ରତ ତ୍ରିପାଠୀ, ଧରିତ୍ରୀ ସାହୁ ଓ ଅଭିଷେକ ଥାଟୋଇ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶାନ୍ତିସେନା ପବ୍ଲିକେସନ୍ସର ପ୍ରକାଶକ ରଜତରଶ୍ମି ସ୍ବାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର