ଉନ୍ମୋଚିତ ହେଲା ଚିତ୍ରନାଟ୍ୟ ପୁସ୍ତକ ‘କୋକୋଲି’: ‘ସମବେଦନା ଓ ସହନଶୀଳତା ରହିଲେ ସମାଜରେ ସହଭାଗିତା ବଢ଼ିବ’

ଭୁବନେଶ୍ବର : ସମାଜର ଗୋଟିଏ ବର୍ଗ ପ୍ରତି ଅନ୍ୟ ବର୍ଗର ସମବେଦନା ଓ ସହନଶୀଳତା ରହିଲେ ସମାଜରେ ସହଭାଗିତା ବଢ଼ିବ। ଏହା ଦିନେ ବିରାଟ ସାମାଜିକ ଆନ୍ଦୋଳନର ସୂତ୍ରପାତ କରିବ। ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ଓ ଉନ୍ନତି ସମ୍ଭବ ହୋଇପାରିବ ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ହୋଟେଲ ନ୍ୟୁ ମ୍ୟାରିଅନ୍‌ଠାରେ ପେନ୍‌ଇନ୍‌ ବୁକ୍‌ସ୍‌ର ପୁସ୍ତକ ପର୍ବ ଅବସରରେ ସିନେ ନିର୍ଦ୍ଦେଶକ ସ୍ନେହାଶିଷ ଦାସଙ୍କ ଚିତ୍ରନାଟ୍ୟ ପୁସ୍ତକ ‘କୋକୋଲି’ ଉନ୍ମୋଚନ କରି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଲେଖକ ସ୍ନେହାଶିଷ ଦାସଙ୍କ ଏହି ପୁସ୍ତକ ମାଧ୍ୟମରେ ପୁସ୍ତକ ପ୍ରକାଶନୀ ଶିଳ୍ପ ଓ ସିନେମା ଶିଳ୍ପ ଏକାଠି ହୋଇପାରିଛି। ଏକ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର କାହାଣୀର ଚିତ୍ରନାଟ୍ୟ ପାଠକଙ୍କୁ ପରଷି ସେ ସାରସ୍ବତ ଜଗତ ପ୍ରତି ଯେଉଁ ମନସ୍କତା ଦେଖାଇଛନ୍ତି, ଆଗାମୀ ଦିନରେ ଏହା ଅନେକଙ୍କ ପ୍ରାଇଁ ପ୍ରେରଣା ହେଉ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ।

ପେନ୍‌-ଇନ୍‌ ବୁକ୍‌ସ୍‌ର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ବର୍ତ୍ତମାନ ପୁସ୍ତକ ପ୍ରକାଶନ ଶିଳ୍ପ ଓ ଓଡ଼ିଆ ସିନେମା ଶିଳ୍ପ ଦୁର୍ଦ୍ଦିନ ଦେଇ ଗତି କରୁଛି। ପୁସ୍ତକ ପାଇଁ ପ୍ରକାଶକ-ଲେଖକ-ପାଠକ ତଥା ସିନେମା ପାଇଁ ପ୍ରଯୋଜକ-ନିର୍ଦ୍ଦେଶକ-ଦର୍ଶକଙ୍କ ତ୍ରିବେଣୀ ସଙ୍ଗମ ପ୍ରାୟ କଷ୍ଟକର ହୋଇଗଲାଣି। ପୁସ୍ତକଟିଏ ପାଇଁ ଜନ, ମନ, ଧନ ଓ ସମୟ ଆବଶ୍ୟକତା ରହିଥିବା ବେଳେ କେଉଁଥିରେ ନା କେଉଁଥିରେ ଅଭାବ, ପୁସ୍ତକ ଶିଳ୍ପକୁ ଦୁର୍ଦ୍ଦିନକୁ ଟାଣି ଆଣିଛି। ‌ସେହିଭଳି ରାଜ୍ୟରେ ସିନେମା ହଲ୍‌ର ଅଭାବ ସିନେମା ଶିଳ୍ପ ପାଇଁ ନିରାଶା ନେଇ ଆସିଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ୪୦୦୦ରୁ ଊର୍ଧ୍ବ ସିନେମା ହଲ୍‌ ରହିଥିବା ବେଳେ ରାଜ୍ୟରେ ବାତ୍ୟା‌ ପୂର୍ବରୁ ୧୦୦ଟି ସିନେମା ହଲ୍‌ ରହିଥିଲା। ଏହା ଏବେ ୭୦କୁ ଖସିଯାଇଛି। ଏଭଳି ପରିସ୍ଥିତିରେ ‘କୋକୋଲି’ର ପ୍ରକାଶନ ଆମକୁ ନୂଆ ସନ୍ଦେଶ ଦେଉଛି। ଓଡ଼ିଶାର ସମ୍ପୂର୍ଣ୍ଣ ସାଂସ୍କୃତିକ ବିକାଶ ପାଇଁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଯେଉଁ ବିବର୍ତ୍ତନର ଆମେ ଆଶା କରୁଛୁ, ସେଥିପାଇଁ ଚଳଚ୍ଚିତ୍ର ନିର୍ମାତା, ଲେଖକ, ଶିକ୍ଷକ ତଥା ସମାଜର ସମସ୍ତ ଶିକ୍ଷିତ ମଧ୍ୟବିତ୍ତମାନେ ଟିକେ ଅନ୍ୟମନସ୍କ ହେବାକୁ ପଡ଼ିବ। ଅନ୍ୟ ବର୍ଗ ପାଇଁ ଚିନ୍ତା କରିବାକୁ ହେବ। ଚିତ୍ରନାଟ୍ୟ ପୁସ୍ତକ ଲେଖକ ସ୍ନେହାଶିଷ ଦାସଙ୍କ ଏହି ଅନ୍ୟମନସ୍କତାର କିଞ୍ଚିତ ଆଭାସ ମାତ୍ର ବୋଲି ସେ କହିଥିଲେ।

ଉନ୍ମୋଚନ ଉତ୍ସବରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଓ କଳା ନିର୍ଦ୍ଦେଶକ ସମ୍ପଦ ମହାପାତ୍ର ନିଜର ସିନେମା ଶିଳ୍ପ ସହ ଥିବା ଅଭିଜ୍ଞତା ବଖାଣିବା ସହ ଚିତ୍ରନାଟ୍ୟ ପୁସ୍ତକ ପ୍ରକାଶନର ପ୍ରଶଂସା କରିଥିଲେ। ଅନେକ ପ୍ରକାଶିତ କାହାଣୀକୁ ନେଇ ସିନେମା ହୋଇଛି। ତେବେ ସିନେମା ନିର୍ମାଣ ପରେ ଓଡ଼ିଆ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ପେନ୍ ଇନ୍ ବୁକ୍ସର ଏ ଉଦ୍ୟମ ସମ୍ଭବତଃ ପ୍ରଥମ ବୋଲି ଶ୍ରୀ ମହାପାତ୍ର ମତ ରଖିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରସିଦ୍ଧ ଅଭିନେତ୍ରୀ ତ୍ରିପୁରା ମିଶ୍ର କହିଥିଲେ, ଚାରି/ପାଞ୍ଚ ଦଶକ ତଳେ ସିନେମା ପାଇଁ କାହାଣୀ (କଣ୍ଟେଣ୍ଟ) ଖୋଜିବାକୁ ପଡ଼ୁଥିଲା। ତେବେ ଏବେ କଣ୍ଟେଣ୍ଟର ଅଭାବ ନାହିଁ। ଓଟିଟି, ସାମାଜିକ ଗଣମାଧ୍ୟମ ଓ ୟୁଟ୍ୟୁବ ଭଳି ପ୍ଲାଟଫର୍ମ ଆସିବା ପରେ ଓଡ଼ିଆ ଭାଷାରେ ବହୁ ମୌଳିକ ଓ ଆଚମ୍ବିତ କଲା ଭଳି କଣ୍ଟେଣ୍ଟ ଉପଲବ୍ଧ ହେଉଛି ଓ ଦର୍ଶକ ମଧ୍ୟ ସହଜରେ ଦେଖିପରୁଛନ୍ତି। ‘କୋକୋଲି’ ପୁସ୍ତକ ପ୍ରକାଶନ ଓଡ଼ିଆ ମୌଳିକ ସିନେମାର ଏକ ପ୍ରମାଣପତ୍ର ବୋଲି ଶ୍ରୀମତୀ ମିଶ୍ର କହିଥିଲେ।

ଜଳବାୟୁ ପରିବର୍ତ୍ତନର ପଟ୍ଟଭୂମିରେ ନୋଳିଆ ବସ୍ତିରେ ଏକ କରୁଣ ପ୍ରେମକାହାଣୀକୁ ନେଇ ‘କୋକୋଲି’ର ନିର୍ମାଣ, ସଫଳତା ଓ ବିଶ୍ୱଯାତ୍ରା ବାବଦରେ ଅଭିଜ୍ଞତା ବଖାଣିଥିଲେ ଏହାର ଲେଖକ, ନିର୍ଦ୍ଦେଶକ ଓ ନିର୍ମାତା ସ୍ନେହାଶିଷ ଦାସ। ଏହି ଉତ୍ସବରେ କବି ଗିରୀଶ ରଂଜନ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦିବ୍ୟଜୀବନ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଉତ୍ସବରେ ‘କୋକୋଲି’ର ଅଭିନେତା-ଅଭିନେତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ଲେଖକ, ବୁଦ୍ଧିଜୀବୀ ଓ ସିନେମା ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ପୁସ୍ତକଟି ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲିଖିତ।

ସମ୍ବନ୍ଧିତ ଖବର