‘ଅରୁନ୍ଧତୀର ଗପ’ ଚିତ୍ରନାଟକ ଲୋକାର୍ପିତ

ଭୁବନେଶ୍ବର : ଓଡ଼ିଆ ସାହିତ୍ୟରେ ସଫଳ ଚଳଚ୍ଚିତ୍ରଗୁଡ଼ିକର ଚିତ୍ରନାଟ୍ୟ ପୁସ୍ତକର ଆବଶ୍ୟକତା ରହିଛି। ଆଗାମୀ ପିଢ଼ିର ଚଳଚ୍ଚିତ୍ର ଲେଖକମାନଙ୍କୁ ଏହା ପ୍ରେରଣା ଯୋଗାଇବ ବୋଲି ‘ଅରୁନ୍ଧତୀର ଗପ’ ଚିତ୍ରନାଟକ ପୁସ୍ତକ ଲୋକାର୍ପିତ ଅବସରରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ୨୦୨୧ରେ ମୁକ୍ତିଲାଭ କରିଥିବା ସଫଳ ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀର ଚିତ୍ରନାଟକ’ ଉପରେ ପର୍ଯ୍ୟବସିତ ଅରୁନ୍ଧତୀର ଗପ ପୁସ୍ତକ ଲୋକାର୍ପଣ ସ୍ଥାନୀୟ ୟୁନିଟ-୩ ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଡ. ରଜନୀ ରଞ୍ଜନଙ୍କ ରଚିତ ଓ ପକ୍ଷୀଘର ପ୍ରକାଶନୀ ଦ୍ବାରା ପ୍ରକାଶିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ର ନିର୍ମାତା ଡ. ସବ୍ୟସାଚୀ ମହାପାତ୍ର, କାଦମ୍ବିନୀର ସଂପାଦିକା ଡ. ଇତି ସାମନ୍ତ, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଓଡ଼ିଆ ସିନେକ୍ରିଟିକ୍ ଆସୋସିଏସନର ସମ୍ପାଦକ ଦିଲ୍ଲୀପ ହାଲି, ବିଶିଷ୍ଟ କଥାକାର ଡ. ଅଜୟ ସ୍ବାଇଁ, ଚଳଚ୍ଚିତ୍ର ପ୍ରଯୋଜକ ରମେଶ ବାରିକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ‘ଅରୁନ୍ଧତୀ’ ଚଳଚ୍ଚିତ୍ରରେ ଅଭିନୟ କରିଥିବା କଳାକାର ପ୍ରତିଭା ପଣ୍ଡା ଓ ବବି ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅଶ୍ବିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ନୂତନ ଓଡ଼ିଆ ଚଳଚ୍ଚିତ୍ର ‘ଡିୟର ଲଭ୍’ ର ଶୀର୍ଷକ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ଅନେକ ସାହିତ୍ୟିକ, କବି, କଳାକାର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପ୍ରଣୟ ଜେଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ବନୋଜ ତ୍ରିପାଠୀ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର