‘ସାମ୍ୟବାଦ ଓ ପୁଞ୍ଜିବାଦ ଭିତରେ ଆଜିର ବିକାଶବାଦ ବନ୍ଦୀ’

‘ଉତ୍ତପ୍ତ ପୃଥିବୀ ଅଭିଶପ୍ତ ମଣିଷ’ ଉନ୍ମୋଚିତ

ଭୁବନେଶ୍ୱର : ବର୍ତ୍ତମାନ ସାମ୍ୟବାଦୀଙ୍କ ସ˚ଖ୍ୟା କମିବା ବେଳେ ପଞ୍ଜିବାଦୀଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି। ସାମ୍ୟବାଦ ଓ ପୁଞ୍ଜିବାଦ ପରି ଦୁଇ ବାଦ ଭିତରେ ଆଜିର ବିକାଶବାଦ ବନ୍ଦୀ ପଡ଼ିଛି। ସାମ୍ୟବାଦୀମାନଙ୍କ ମତରେ ମଣିଷ ମାତ୍ରେ ସମସ୍ତେ ସମାନ। ସମାନତାର ମୂଳମନ୍ତ୍ର ଆଜି ସାମ୍ୟବାଦୀଙ୍କୁ ଧର୍ଷଣ କରୁଛି। ଆମ ଗାଣତାନ୍ତ୍ରିକ ବ୍ୟବସ୍ଥାର ମୂଳମନ୍ତ୍ର ହେଉଛି ସମାନତା। ମାତ୍ର ସମାନତା କାହାର ମୂଳ ମନ୍ତ୍ର ନୁହେଁ। ସମାନତାର ମାନସିକତାକୁ ବଞ୍ଚାଇବାକୁ ହେଲେ ସମନ୍ବୟ ରକ୍ଷା କରିବା ଉଚିତ ବୋଲି କହିଛନ୍ତି ସା˚ସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ପ୍ରଫେସର୍‌ ଅମୂଲ୍ୟ କୁମାର ପଣ୍ଡାଙ୍କ ପୁସ୍ତକ ‘ଉତ୍ତପ୍ତ ପୃଥିବୀ ଅଭିଶପ୍ତ ମଣିଷ’ ଆଜି ରେଡକ୍ରସ ଭବନରେ ଉନ୍ମୋଚିତ ହୋଇଯାଇଛି। ସାହିତ୍ୟିକ ଓ ସ୍ତମ୍ଭକାର ଦାଶ ବେନହୁରଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ପୃଥିବୀର ନିୟମ ହେଲା ସମନ୍ବୟ। ସମାନତାକୁ ହାସଲ କରିବା ପାଇଁ ଯଦି ଆମେ ଅତି ମାତ୍ରାରେ ପୃଥିବୀ ଉପରେ ଅତ୍ୟାଚାର କରିବା, ବିକାଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଧର୍ଷଣ କରିବା, ତେବେ ବିକାଶକୁ ଆମେ ହରେଇ ବସିବା। ବିଜ୍ଞାନ ଓ କାରିଗରୀ କୌଶଳକୁ ଅଭିବୃଦ୍ଧି କରିପାରିଲେ ବିକାଶ ସମ୍ଭବ ହୋଇପାରିବ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କହିଲେ, ପୃଥିବୀପୃଷ୍ଠରେ ମନୁଷ୍ୟର ଆବିର୍ଭାବର ପରବର୍ତୀ ସମୟ, ପ୍ରକୃତି, ଏହାର ସୁରକ୍ଷା ଓ ସ˚ରକ୍ଷଣ ପାଇଁ ଉଚିତ ପଦକ୍ଷେପ, ସବୁଜ ଗୃହର ପ୍ରଭାବ, ଜୈବ ବିବିଧତାର ହ୍ରାସ, ଜୀବଜନ୍ତୁ ଓ ପରିବେଶ ମଧୢରେ ସନ୍ତୁଳନ ରକ୍ଷା କରିବା ଉପରେ ପୁସ୍ତକରେ ବର୍ଣ୍ଣନା କରାଯାଇଛି।

ସଭାପତିତ୍ବ ଅଭିଭାଷଣରେ ଶ୍ରୀ ବେନହୁର କହିଲେ, ଆଜିକାଲି ବିଜ୍ଞାନକୁ ସାହିତ୍ୟର ଆବଶ୍ୟକତା ରହିଛି। ବିଜ୍ଞାନ ଯଦି ସାହିତ୍ୟର ପାଖାପାଖି ନ ହେବ, ତେବେ ତାହା ବୈଶିଷ୍ଟ୍ୟ ହରାଇ ବସିବ। କାର୍ଯ୍ୟକ୍ରମରେ ଅମିୟ ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ପୁସ୍ତକ ରଚୟିତା ପ୍ରଫେସର ଶ୍ରୀ ପଣ୍ଡା ଧନ୍ୟବାଦ ଦେଇଥିଲେ। ଅପର୍ଣ୍ଣା ପଣ୍ଡା କାର୍ଯ୍ୟକ୍ରମ ସ˚ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର