ଭୁବନେଶ୍ୱର : ମୁମ୍ବାଇରେ ରହୁଥିବା ଏବଂ ଇଂରାଜୀରେ ଲେଖାଲେଖି କରୁଥିବା ଲେଖିକା ଟିନା ଆଚାର୍ଯ୍ୟଙ୍କ କବିତା ସଂକଳନ ‘ସଙ୍ଗ୍‌ସ ଅଫ୍‌ ଏ ଜିପ୍‌ସି ହାର୍ଟ’ ଏବଂ ଗଳ୍ପ ସଂକଳନ ‘ହାଇଡ୍‌ ଆଣ୍ଡ୍‌ ସିକ୍‌’ ଉନ୍ମୋଚିତ ହୋଇଯାଇଛି। ପ୍ରକାଶନ ସଂସ୍ଥା ‘ଟାଇମ୍‌ ପାସ୍‌’ ପକ୍ଷରୁ ହୋଟେଲ୍‌ କେଶରୀରେ ଆୟୋଜିତ ଏକ ମନୋଜ୍ଞ ପୁସ୍ତକ ପର୍ବରେ ପୁସ୍ତକ ଦ୍ୱୟ ଲୋକାର୍ପିତ ହୋଇଥିଲା।

Advertisment

ବିଶିଷ୍ଟ କବି ହରପ୍ରସାଦ ଦାସ ପୁସ୍ତକ ଦ୍ୱୟ ଅନାବରଣ କରି ଲେଖିକାଙ୍କ ସୃଜନ ସୃଷ୍ଟି ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଅନୁବାଦକ କବି ଡ.ସଂଗ୍ରାମ ଜେନା ଯୋଗଦେଇ କବିଙ୍କ କବିତାର ସାରମର୍ମ ଓ ପ୍ରଗାଢ଼ତା ସମ୍ପର୍କରେ ମତ ରଖିଥିଲେ। କବି ତଥା ଅନୁବାଦିକା ପୂରବୀ ଦାସ ସମୀକ୍ଷା କରିଥିଲେ। ଲେଖିକାଙ୍କ ସ୍କୁଲ୍‌ ଶିକ୍ଷକ କୈଳାସ ଚନ୍ଦ୍ର ପୃଷ୍ଟି ଏହି ଅବସରରେ ଉପସ୍ଥିତ ରହି ଲେଖିକାଙ୍କ ଲେଖକୀୟ ପ୍ରତିଭା ସମ୍ପର୍କରେ କହି ଗର୍ବିତ ବୋଲି କହିଥିଲେ। ଲେଖିକା ଟିନା ଆଚାର୍ଯ୍ୟ ଏହି ବହି ଦୁଇଟିର ଲାଭାଂଶ ସେ ଜଡ଼ିତ ଥିବା ସ୍ୱେଚ୍ଛାସେବୀ ସଂଗଠନ (ଶିଶୁଙ୍କ ଉତ୍ଥାନ, ଶିକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ କାମ କରୁଥିବା) ‘ସୃଷ୍ଟି’କୁ ପ୍ରଦାନ କରିବେ ବୋଲି ଘୋଷଣା କରି ମହତ୍ତ୍ୱକାଂକ୍ଷାର ପରିଚୟ ଦେଇଥିଲେ। କବିଙ୍କ ପୁତ୍ର ଆଦିତ୍ୟ ମହାପାତ୍ର ଯନ୍ତ୍ର ସଂଗୀତ ପରିବେଷଣ କରିଥିଲେ। ‘ଟାଇମ୍‌ ପାସ୍‌’ର ନିର୍ଦେଶକ ତଥା ଯୁବ ଲେଖକ ସରୋଜ ବଳ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଯୁବ କଥାକାର ପବିତ୍ର ମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ।