ଡ. ଭଗବାନ ପ୍ରକାଶଙ୍କ ‘ଦ୍ବିତୀୟ ପୃଥିବୀ’ ପୁସ୍ତକ ଲୋକାର୍ପିତ: ମୁହଁରେ କହି ହେଉ ନ ଥିବା କଥା ସ୍ତମ୍ଭରେ ଲେଖିହୁଏ

ଭୁବନେଶ୍ବର: ଡ.ଭଗବାନ ପ୍ରକାଶଙ୍କ ‘ଦ୍ବିତୀୟ ପୃଥିବୀ’ ପୁସ୍ତକ ଆଜି ‘ଆମ ଓଡ଼ିଶା’ ସମ୍ମିଳନୀ କକ୍ଷରେ ଲୋକାର୍ପିତ ହୋଇଯାଇଛି। ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଡ. ପ୍ରକାଶ ଲେଖକୀୟ ବକ୍ତବ୍ୟ ପ୍ରଦାନ କରି କହିଲେ, ସମ୍ବାଦପତ୍ରଗୁଡ଼ିକରେ ତଥ୍ୟ କମ୍, ସମ୍ବାଦ ବେଶି ରହିଥାଏ। ଏଭଳି ପରିପ୍ରେକ୍ଷୀରେ ସ୍ତମ୍ଭରେ ତଥ୍ୟ ପ୍ରଦାନ କରି ଲେଖିଲେ ପାଠକମାନେ ପସନ୍ଦ କରିଥାନ୍ତି। ସମ୍ବାଦପତ୍ର ସବୁବେଳେ ‌ଖବର ଖୋଜିଥାଏ। ହେଲେ ଜଣେ ସ୍ତମ୍ଭକାର ପାଇଁ ନି‌େଜ‌ ବିଷୟବସ୍ତୁ ଚୟନ କରିବା, ନିଜ ଶୈଳୀରେ ଲେଖିବା ଓ ବିଚାର ପ୍ରଦାନ କରିବାର ସ୍ବାଧୀନତା ରହିଥାଏ। ସ୍ତମ୍ଭରେ ନୂଆ ନୂଆ ସମସ୍ୟା ଉପରେ ଆଲୋକପାତ କରିହୁଏ। ଜଣେ ସ୍ତମ୍ଭକାର ଲୋକଙ୍କ ସମସ୍ୟା ସଂପର୍କରେ ଲେଖିବା ସହିତ ଏହାର ସମାଧାନର ବାଟ ମଧ୍ୟ ଦେଖାଇଥାଏ। ମୁହଁରେ କହି ହେଉ ନ ଥିବା କଥା ସ୍ତମ୍ଭରେ ଲେଖିହୁଏ। ତେବେ ପାଠକୀୟ ସ୍ବୀକୃତି ପାଇବା ଜଣେ ଲେଖକ ପାଇଁ ବଡ଼ କଥା। ଆଜିର ସୂଚନାଧର୍ମୀ ସମାଜରେ ଲକ୍ଷ ଲକ୍ଷ ସୂଚନାର ଉତ୍ପତ୍ତି ହେଉଛି। ତେଣୁ ସୂଚନା ଜଙ୍ଗଲରେ ଜ୍ଞାନକୁ ଖୋଜିବା କଷ୍ଟକର ହୋଇପଡ଼ୁଛି। ସେ ଆହୁରିମଧ୍ୟ କହିଥିଲେ ଯେ, ଏହି ପୁସ୍ତକ ଲେଖିବା ପାଇଁ ୩/୪ବର୍ଷ ସମୟ ଲାଗିଛି। ଏହା ପଛରେ ପାଠକୀୟ ପ୍ରେରଣା ରହିଥିବା ଡ. ପ୍ରକାଶ ଉଲ୍ଲେଖ କରିଥିଲେ।

ପୁସ୍ତକର ସମୀକ୍ଷକ ଅଧ୍ୟାପକ ବିଶ୍ବରଂଜନ କହିଲେ, ସ୍ତମ୍ଭ ରଚନାରେ ଆମ ସମୟରେ ଘଟୁଥିବା ଘଟଣା ସଂପର୍କରେ ଚର୍ଚା ହେବା ଦରକାର। ଅନେକ ସମୟରେ ବହୁ ବିଜ୍ଞ ସ୍ତମ୍ଭକାରଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳି ନ ଥାଏ। ଏହି ପୁସ୍ତକରେ ଡା.ଭଗବାନ ପ୍ରକାଶ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଚମତ୍କାର ଢଙ୍ଗରେ ବଖାଣିଛନ୍ତି। ଯେତେବେଳେ ଯେଉଁ ଘଟଣା ତାଙ୍କ ଚେତନାକୁ ଆଲୋକିତ କରିଛି ସେ ଲେଖିଛନ୍ତି। ଏଥିରେ ସେ ଧର୍ମ ପ୍ରଚାରକ ଭଳି ପୁସ୍ତକରେ ଧର୍ମ ପ୍ରଚାର କରି ନାହାନ୍ତି। ବରଂ ନିଜ ଅନୁଭବ, ଅନୁଭୂତି ଓ ଅନୁଶୀଳନ ପରେ ନିଜର ଅଭିବ୍ୟକ୍ତିକୁ ପ୍ରକାଶ କରିଛନ୍ତି। ଯାହାକି ପାଠକଙ୍କୁ ଛୁଇଁଛି। ପୁସ୍ତକରେ ବହୁ ପ୍ରବନ୍ଧ ଭାଷା ଉପରେ ରହିଛି। ଡ. ଭଗବାନ ପ୍ରକାଶଙ୍କ ଏହି ସୃଷ୍ଟି ସୃଷ୍ଟିକର୍ତା ଭଗବାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ନୁହେଁ ବରଂ ପୂର୍ବଭଳି ପୃଥିବୀକୁ ସୁନ୍ଦର, ସୁଦ୍ଧ ରଖିବା ହିଁ ଏହାର ଉଦ୍ଦେଶ୍ୟ ବୋଲି ଶ୍ରୀ ବିଶ୍ବରଂଜନ ମତପ୍ରକାଶ କରିଥିଲେ। ପ୍ରଫେସର ଜଗଦାନନ୍ଦ କହିଲେ, କୌଣସି କାରଣରୁ ଯଦି ପାଠକମାନେ ସଂପାଦକୀୟ ପୃଷ୍ଠାରେ ଡା. ପ୍ରକାଶଙ୍କ ଲେଖା ପଢ଼ିବାର ସୁଯୋଗ ପାଇ ନ ଥିବେ ତେବେ ସେମାନେ ପୁସ୍ତକରେ ଏହାର ସୁଯୋଗ ପାଇବେ। ‘ସମ୍ବାଦ’ ସବୁବେଳେ ସାମାଜିକ ସମସ୍ୟାକୁ ଖବରକାଗଜରେ ଗୁରୁତ୍ବ ଦେଉଥିବାରୁ ସେ ପ୍ରଶଂସା କରିଥିଲେ। ପୁସ୍ତକର ମୁଖବନ୍ଧ ଲେଖିଥିବା ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ, ନୋବେଲ ବିଜେତା ମଲାଲା ୟୁସଫଜାଇ ନିଜ ପୁସ୍ତକ ‘ୱି ଆର ଡିସପ୍ଲେସ୍‌ଡ’ ଲେଖିବାର ବହୁ ପୂର୍ବରୁ ଡ.ଭଗବାନ ପ୍ରକାଶ ଏ ସଂପର୍କରେ ନିଜ ସ୍ତମ୍ଭରେ ଲେଖି ସାରିଛନ୍ତି। ବିଶ୍ବକରଣ ନାଁରେ ଆମେ ପରିବାର, ଗୋଷ୍ଠୀ, ସମାଜ ଓ ରାଜ୍ୟଠାରୁ ଅଲଗା ହୋଇଯାଉଛୁ। ପରିକଳ୍ପନା ଓ ଶ୍ରେଣୀ ଦ୍ବାରା ଆମେ ବାନ୍ଧି ହୋଇ ରହିଛୁ, ଏଥିରୁ ବାହାରକୁ ବାହାରି ପାରୁନାହୁଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ଡା.ନିତ୍ୟାନନ୍ଦ ସ୍ବାଇଁଙ୍କ ଦ୍ବାରା ରଚିତ ‘ଖାଦ୍ୟ ଓ ସ୍ବାସ୍ଥ୍ୟ’ ପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଥିଲା। ପୁସ୍ତକର ସମୀକ୍ଷା କରି ରମେଶ ଚନ୍ଦ୍ର ପରିଡ଼ା କହିଲେ, ଆମେ ଚନ୍ଦ୍ରକୁ ମଣିଷ ପଠାଇବାକୁ ଚିନ୍ତା କରୁଥିବା ବେଳେ ଭୂତପ୍ରେତ ଓ ଚେଙ୍କ ଚିକିତ୍ସା କରୁଛୁ। ଆଜି ମଧ୍ୟ ବିଜ୍ଞାନ ଲୋକପ୍ରିୟ ହୋଇପାରିନି। ତେଣୁ ବିଜ୍ଞାନକୁ ଲୋକପ୍ରିୟ କରିବାକୁ ହେବ। ଡା.ସ୍ବାଇଁ ଅତି ସରଳ ଭାଷାରେ ବିଜ୍ଞାନକୁ ଲେଖିଥାନ୍ତି ବୋଲି ଶ୍ରୀ ପରିଡ଼ା କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ. ରାଜେନ୍ଦ୍ର ନାରାୟଣ ଦାସ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଧନ୍ୟବାଦ ଦେଇଥିଲେ। ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପୁସ୍ତକ ଦ୍ବୟ ପ୍ରଦର୍ଶନୀ ପଡ଼ିଆରେ ଚାଲୁଥିବା ରାଜଧାନୀ ପୁସ୍ତକ ମେଳାର ‘ଆମ ଓଡ଼ିଶା’ ଷ୍ଟଲ୍‌ରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର