ଜନ୍ମଦିନରେ ଉପେନ୍ଦ୍ର ପ୍ରସାଦ ନାୟକଙ୍କ ୩ଟି ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ଗୋଦାବରୀଶ ସାହିତ୍ୟ ସଂସଦ ସଭାକକ୍ଷରେ ଆଜି ଉପେନ୍ଦ୍ର ପ୍ରସାଦ ନାୟକଙ୍କ ପୁସ୍ତକ ଲୋକାର୍ପଣ କରାଯାଇଥିଲା। ଏକାଧାରରେ ଜଣେ କବି ଓ ନାଟ୍ୟକାର ପ୍ରଫେସର ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଜନ୍ମଦିନ ଅବସରରେ ହିନ୍ଦୀର ଅନୁବାଦ ‘ଜୀବନ ଖେଳ’ କବି ରମାକାନ୍ତ ରଥ ଲୋକାର୍ପଣ କରିଥିବା ବେଳେ ବଙ୍ଗଳା କବିତା ‘ଫୁଲେଇ ଠିକାନା’ କବି ରାଜେନ୍ଦ୍ର କିଶୋର ପଣ୍ଡା ଲୋର୍କାପଣ କରିଥିଲେ। ହିନ୍ଦୀ କବିତା ଉପରେ ଡ. ଶଙ୍କରଲାଲ ପୁରୋହିତ ଆଲୋଚନା କରିଥିଲେ ଓ ଡ. ଅଜୟ ପଟ୍ଟନାୟକ କବିତା ପାଠ କରିଥିଲେ। ବଙ୍ଗଳା କବିତା ଉପରେ ଡ. ବସନ୍ତ କୁମାର ପଣ୍ଡା ଆଲୋଚନା କରିଥିବା ବେଳେ ଡ. ଉପେନ୍ଦ୍ର ନାୟକ ବଙ୍ଗଳା କବିତା ପାଠ କରିଥିଲେ। ପ୍ରଫେସର ନିତ୍ୟାନନ୍ଦ ଶତପଥୀ ଓଡ଼ିଆ କବିତା ଗ୍ରନ୍ଥ ‘ଅରଣ୍ୟର ମୋହ’ ଲେକାର୍ପଣ କରି ଏହି କବିତା ଉପରେ ଆଳୋଚନା କରିଥିଲେ।

ଏହି ଉତ୍ସବରେ କବି ଡ. ଫନୀ ମହାନ୍ତି ଅଧ୍ୟକ୍ଷତା କରିଥିଲେ ଓ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ସ୍ୱାଗତ ଭାଷଣ ଦେଇଥିଲେ। ପଦ୍ମଭୂଷଣ କବି ରମାକାନ୍ତ ରଥ, ପ୍ରଫେସର ନିତ୍ୟାନନ୍ଦ ଶତପଥୀ, କବି ରାଜେନ୍ଦ୍ର କିଶୋର ପଣ୍ଡା, ଡ. ଶଙ୍କରଲାଲ୍‌ ପୁରୋହିତ ଓ ଡ. ବସନ୍ତ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର