୮୩୬୯ ପିଲାଙ୍କୁ ବଣ୍ଟା ହେବ ବହି, ୩ଟି ପର୍ଯ୍ୟାୟରେ ହେଉଛି ହ୍ବାଟସ୍‌ଆପ୍‌ରେ ପାଠପଢ଼ା

ବାଲିପାଟଣା: କରୋନା ଲକ୍‌ଡାଉନ୍‌ ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ସ୍କୁଲ ବନ୍ଦ ଥିବାରୁ ପିଲାଙ୍କୁ ମାଗଣା ବହି ମଧ୍ୟ ଦିଆଯାଇ ପାରୁନାହିଁ। ଏହାକୁ ଗୁରୁତ୍ବର ସହ ନେଇ ଏବେ ସରକାର ପିଲାଙ୍କୁ ବହି ବାଣ୍ଟିବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ଆଜି ବାଲିପାଟଣା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ଅଠାନ୍ତର ଓ ଧାନହରା କ୍ଲଷ୍ଟର୍‌କୁ ବହି ଯୋଗାଇ ଦିଆଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ ମହେଶ୍ବର ସାହୁ ସୂଚନା ଦେଇଛନ୍ତି। ବାଲିପାଟଣା ବ୍ଲକରେ ମୋଟ ୧୪୮ଗୋଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚବିଦ୍ୟାଳୟ, ଆବାସିକ ବିଦ୍ୟାଳୟ ରହିଛି। ଏହିସବୁ ବିଦ୍ୟାଳୟକୁ ୧୦ଟି କ୍ଲଷ୍ଟର୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଦିନ ଦୁଇଟି କ୍ଲଷ୍ଟର୍‌କୁ ବହି ଯୋଗାଇ ଦିଆଯିବ। ଆସନ୍ତା ୩୦ ତାରିଖ ସୁଦ୍ଧା ଏହି କାର୍ଯ୍ୟକ୍ରମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୋଟ ୮୩୬୯ ଛାତ୍ରଛାତ୍ରୀଙ୍କୁ ୫୦ ହଜାରରୁ ଊର୍ଧ୍ବ ବହି ଶ୍ରେଣୀ ଅନୁଯାୟୀ ମାଗଣାରେ ବଣ୍ଟାଯିବ ବୋଲି ଏବିଇଓ ଅଜୟ ସାହୁ କହିଛନ୍ତି।

ଅନ୍ୟପକ୍ଷରେ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ମାଧ୍ୟମରେ ହେଉଥିବା ପାଠପଢ଼ାକୁ ବିଇଓ ଶ୍ରୀ ସାହୁ ଯାଞ୍ଚ କରୁଛନ୍ତି। ହ୍ବାଟସଆପ୍‌ ଗ୍ରୁପ୍‌ରେ ପାଠପଢ଼ା ସଠିକ୍‌ ଭାବେ ଚାଲିଥିବା ସେ କହିଛନ୍ତି। ପ୍ରତ୍ୟେକ ଦିନ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସକାଳ୯ରୁ ୧୧ଟା ପାଠ ପଢ଼ା ଯାଉଥିବା ବେଳେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଝିରେ ଏକ ଘଣ୍ଟା ବ୍ରେକ୍‌ ପରେ ଦିନ ସାଢ଼େ ୧ଟାରେ ସରୁଥିବା ଜଣାଯାଇଛି। ମୋଟ ୫୫୦ ଶିକ୍ଷକ/ଶିକ୍ଷୟିତ୍ରୀ ସିଆର୍‌ସିସି ଏହି ଦାୟିତ୍ବରେ ଅଛନ୍ତି। ପ୍ରତ୍ୟେକ ଶ୍ରେଣୀର ଗ୍ରୁପ୍‌ରେ ସମସ୍ତ ବିଷୟର ଶିକ୍ଷକ ପର୍ଯ୍ୟାୟକ୍ରମେ ପାଠପଢ଼ା ଦାୟିତ୍ବ ସମ୍ଭାଳୁଛନ୍ତି। ଶିକ୍ଷଣ ଫର୍ଦ, କାର୍ଯ୍ୟ ଫର୍ଦ, ଉତ୍ତର ଫର୍ଦ, ଏହି ତିନୋଟି ଜିନିଷ ମାଧ୍ୟମରେ ପାଠପଢ଼ା ଯାଉଛି। ଶିକ୍ଷଣ ଫର୍ଦରେ ନୂତନ ଜ୍ଞାନ ଦିଆଯାଉଥିବା ବେଳେ କାର୍ଯ୍ୟ ଫର୍ଦ ମାଧ୍ୟମରେ ପିଲାଙ୍କୁ ପ୍ରଶ୍ନ ଦିଆଯାଉଛି। ଉତ୍ତର ଫର୍ଦ ଦ୍ବାରା ଶିକ୍ଷକ/ଶିକ୍ଷୟିତ୍ରୀ ପିଲାଙ୍କ ଉତ୍ତର ଖାତାକୁ ଯାଞ୍ଚ କରୁଛନ୍ତି। ଅଭିଭାବକମାନେ ଉତ୍ତର ଖାତା ଯାଞ୍ଚ କରି ସେଥିରେ ଦସ୍ତଖତ କରିବାର ନିୟମ ଅଛି। ଗ୍ରୀଷ୍ମ ଛୁଟି ସରିବା ପରେ ପ୍ରତ୍ୟେକ ପିଲା ଏହି ଉତ୍ତର ଖାତା ଶ୍ରେଣୀ ଶିକ୍ଷକଙ୍କ ପାଖରେ ଦାଖଲ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଗ୍ରୁପ୍‌ରେ ବିଇଓ, ଏବିଇଓ, ସିଆର୍‌ସିସି ଦାୟିତ୍ବରେ ଥିବା ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର