ବୁଷ୍ଟର୍‌ ପାଇଁ ଠେଲାପେଲା: ସବୁଠି ଅବ୍ୟବସ୍ଥା, ଖରାରେ ସିଝିଲେ ବରିଷ୍ଠ ନାଗରିକ

କ୍ୟାପିଟାଲ ହସ୍ପିଟାଲରେ ୪୫୦ ନେଲେ ବୁଷ୍ଟର ଡୋଜ୍, ବିଏମସି ହସ୍ପିଟାଲରେ ୩୫୦

ଭୁବନେଶ୍ବର: ଆଜିଠାରୁ ଭୁବେନଶ୍ବରରେ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର୍‌ ଡୋଜ୍ ଟିକାଦାନ ଆରମ୍ଭ ହୋଇଛି। ରାଜଧାନୀର ୩୫ ଟିକାଦାନ କେନ୍ଦ୍ର‌ରେ ଅପରାହ୍‌ଣ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ ହୋଇଥିବା ଜଣାଯାଇଛି। କେବଳ ପୂର୍ବରୁ ସ୍ଲଟ୍‌ ବୁକିଂ କରିଥିବା ବରିଷ୍ଠ ନାଗରିକମାନଙ୍କୁ ଟିକା ଦିଆଯାଇଛି। ତେବେ ଆଜି ପ୍ରଥମ ଦିନରେ ଟିକାଦାନ କେନ୍ଦ୍ରଗୁଡ଼ିକରେ ଭୀଷଣ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବରିଷ୍ଠ ନାଗରିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ସରକାର ବରିଷ୍ଠ ନାଗରିକମାନଙ୍କୁ ଅତି ଜରୁରୀ କାମ ନଥିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଗହଳିଠାରୁ ଯଥାସମ୍ଭବ ଦୂରେଇ ରହିବାକୁ କୁହାଯାଇଛି। କିନ୍ତୁ ଟିକା ନେବାକୁ ଆସିଥିବା ବରିଷ୍ଠ ନାଗରିକଙ୍କ ପାଇଁ କୌଣସି କେନ୍ଦ୍ରରେ ବ୍ୟାରି‌କେଡ୍‌ ବ୍ୟବସ୍ଥା ନଥିବାରୁ ଲୋକ ଧାଡ଼ିରେ ପାଖକୁ ପାଖ ଲାଗି କରି ଠିଆ ହୋଇଥିଲେ। ଆଗ ଟିକା ନେବା ପାଇଁ ଠେଲାପେଲା ମଧ୍ୟ ହୋଇଥିଲା। ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା। ଫଳରେ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଥିଲା। ‌ସେହିପରି ସଚେତନତା ଅଭାବରୁ ସ୍ଲଟ୍‌ ବୁକିଂ କରିନଥିବା ବହୁ ବରିଷ୍ଠ ନାଗରିକ ଧାଡ଼ିରେ ଠିଆ ହୋଇ ଅଯଥାରେ ଗହଳି କରିଥିଲେ। ପରେ ସେମାନଙ୍କୁ ବୁଝାସୁଝା କରି ଫେରାଇ ଦିଆଯାଇଥିଲା।

ଅପରପକ୍ଷେ, ନୂଆ ନିୟମ ଅନୁଯାୟୀ, ପ୍ରଥମେ କରୋନା ପରୀକ୍ଷା ପରେ ଟିକାଦାନ କରାଯାଉଛି। ଏହା ଏକ ସମୟସାପେକ୍ଷ ପ୍ରକ୍ରିୟା। ଜଣେ ଲୋକଙ୍କ କରୋନା ପରୀକ୍ଷା କରାଯିବା ପରେ ତାଙ୍କୁ ଟିକା ପାଇଁ ପୁଣିଥରେ ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। କିନ୍ତୁ ବିଏମ୍‌ସିର ଟିକାଦାନ କେନ୍ଦ୍ରଗୁଡ଼ିକରେ ଛାମୁଡ଼ିଆ କିମ୍ବା ଅସ୍ଥାୟୀ ସେଡ୍‌ର ବ୍ୟବସ୍ଥା କରାଯାଇ ନଥିବାରୁ ଦିନ ୩ଟାରୁ ଧାଡ଼ିରେ ଥିବା ବରିଷ୍ଠ ନାଗରିକମାନେ ଖରାରେ ସିଝିଥିଲେ। ଏହାକୁ ନେଇ କିଛି କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା।
‌ଆଇଆର୍‌ସି ଭିଲେଜ୍‌ସ୍ଥିତ ଟିକାଦାନ କେନ୍ଦ୍ର‌ରେ ତ ସବୁ ଅବ୍ୟବସ୍ଥା ଯେମିତି ସୀମା ଟପି ଯାଇଥିଲା। ଟିକାଦାନ କେନ୍ଦ୍ରରେ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନଥିବାରୁ ଆଗ ଟିକା ନେବା ପାଇଁ ବରିଷ୍ଠ ନାଗରିକମାନେ ଠେଲାପେଲା ହେବା ସହ ପାଟିତୁଣ୍ଡ କରିଥି‌ଲେ। ଫଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ପରେ ପୁଲିସ୍‌ ଉପସ୍ଥିତିରେ ଶୃଙ୍ଖଳିତ ଢଙ୍ଗରେ ଟିକାଦାନ ହୋଇଥିଲା। ଏଥିପାଇଁ ନିର୍ଧାରିତ ସମୟର ୧ ଘଣ୍ଟା ବିଳମ୍ବରେ ଟିକାଦାନ ଆରମ୍ଭ ହୋଇଥିଲା।

ସୂଚନାନୁଯାୟୀ, ଅପରାହ୍‌ଣରେ ବୁଷ୍ଟର ଡୋଜ୍‌ ନେବା ପାଇଁ ସ୍ଲଟ୍‌ ବୁକିଂ କରିଥିବା ଲୋକମାନେ ଆଇଆର୍‌ସି ଭିଲେଜ୍‌ସ୍ଥିତ କେନ୍ଦ୍ରରେ ଧାଡ଼ିରେ ଛିଡ଼ା ହୋଇଥିଲେ। ୩ଟା ବେଳେ କେନ୍ଦ୍ର ଖୋଲିଥିଲା। କେନ୍ଦ୍ର ଖୋଲୁଖୋଲୁ ଏକାଠି ଶହେରୁ ଊର୍ଦ୍ଧ୍ବ ଲୋକ ଧାଡ଼ି ଭାଙ୍ଗି ଭିତରେ ପଶି ଯାଇଥିଲେ। ନିୟନ୍ତ୍ରଣ କରିବାକୁ କେହି ନଥିଲେ। ସମସ୍ତଙ୍କ ମୁହଁରେ ମାସ୍କ ଥିଲା, ହେଲେ କେହି ଉଚିତ୍‌ ଢଙ୍ଗରେ ପିନ୍ଧି ନଥିଲେ। କର୍ମଚାରୀମାନେ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ କେହି ଶୁଣିବାକୁ ରାଜି ନଥିଲେ। ମତେ ଆଗ ଦିଅ କହି ସେମାନେ ହୋ-ହଲ୍ଲା କରିଥିଲେ। ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। କର୍ମଚାରୀମାନେ ପୁଲିସ ଡାକିବାକୁ ବାଧ୍ୟ ହୋଇଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ଟିକା ଦେଇଥିଲା। ଶେଷ ପର୍ଯ୍ୟନ୍ତ ପୁଲିସ ରହି ଭିଡ଼ ନିୟନ୍ତ୍ରଣ କରିଥିଲା। ଧାଡ଼ିରେ ଜଣଙ୍କ ପରେ ଜଣେ ଟିକା ଦେବାକୁ ଛାଡ଼ିବା ସହ ପ୍ରକ୍ରିୟାକୁ ଶୃଙ୍ଖଳିତ କରିଥିଲା।

ବ୍ୟାରିକେଡ୍‌ ବ୍ୟବସ୍ଥା ନାହିଁ, ଧାଡ଼ି ଭାଙ୍ଗି ଭିତରେ ପଶିଲେ

ପୁଲିସ୍‌ ଉପସ୍ଥିତିରେ ହେଲା ଟିକାଦାନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଥିବା ବୁଷ୍ଟର ଡୋଜ୍‌ ଟିକାକରଣ ପାଇଁ ରାଜଧାନୀର ପ୍ରାୟ ସମସ୍ତ ହସ୍ପିଟାଲ ପରିସରରେ ଲମ୍ବା ଲାଇନ୍‌ ଦେଖା ଦେଇଥିଲା। କରୋନା ଯୋଦ୍ଧା ଓ ୬୦ ବର୍ଷରୁ ଊର୍ଧ୍ବ ଲୋକଙ୍କ ପାଇଁ ଅପରାହ୍‌ଣ ୩ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଟିକାକରଣ ବ୍ୟବସ୍ଥା କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୪୫୦ଜଣ ବୁଷ୍ଟର ଡୋଜ୍‌ ଟିକା ନେଇଥିବା ବେଳେ ବିଏମ୍‌ସି ହସ୍ପିଟାଲରେ ପ୍ରାୟ ୩୫୦ ଜଣ ଟିକା ନେଇଛନ୍ତି। ସେଥିମଧ୍ୟରୁ ପ୍ରାୟ ୮ ଜଣ ଡାକ୍ତର ବୁଷ୍ଟର ଡୋଜ୍ ନେଇଛନ୍ତି।

୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କ ପାଇଁ ଡାକ୍ତରୀ ପରାମର୍ଶ ସହ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ପ୍ରଥମେ କରୋନା ପରୀକ୍ଷା କରାଯିବା ପରେ ନେଗେଟିଭ୍‌ ରିପୋର୍ଟ ଆସିଲେ ଟିକା ଦିଆଯାଉଥିଲା। ତେଣୁ ଟିକାକରଣରେ ବହୁ ବିଳମ୍ବ ହୋଇଥିଲା। ବୃଦ୍ଧବୃଦ୍ଧାମାନେ ବହୁ ସମୟ ଧରି ଧାଡ଼ିରେ ଠିଆ ହୋଇ ବିରକ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର