ବାଲିପାଟଣା: ସଂପତ୍ତି ବିବାଦକୁ କେନ୍ଦ୍ର କରି ବାଲିପାଟଣା ଥାନା ବାରହଳ ଗ୍ରାମରେ ଜଣେ ଯୁବକଙ୍କୁ କାତିରେ ଆକ୍ରମଣ ହୋଇଛି। ଗ୍ରାମର ବାବୁ ଖାନ୍ (୨୭) ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ଆକ୍ରମଣକାରୀ ରହେମାନ୍ ଓରଫ୍ ଲାଡେନ (୨୫)କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। କଲଭର୍ଟ ତଳେ ସେ ଲୁଚିଥିବା ବେଳେ ପୁଲିସ୍ ତାକୁ ମାଡ଼ି ବସିଥିଲା। ଅପରପକ୍ଷେ, ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଉତ୍ତେଜନା ଲାଗି ରହିଛି।
ସୂଚନାନୁସାରେ, ଗ୍ରାମର ଶୋଭାନ ଖାନ୍ ଏବଂ ସେକ୍ କଲିମଙ୍କ ମଧ୍ୟରେ ଜାଗାବାଡ଼ି ସୀମାକୁ ନେଇ ବିବାଦ ରହିଥିଲା। ଆଜି ମଧ୍ୟାହ୍ନରେ ଶୋଭାନ ବାଡ଼ିପଟେ ପାଚେରି ନିର୍ମାଣ କରିବାରୁ କଲିମ ଏହାକୁ ବିରୋଧ କରିଥିଲେ। ଏହି କଥାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। କିଛି ସମୟ ପର ଶୋଭାନ୍ଙ୍କ ପୁଅ ବାବୁ ଦାଣ୍ଡ ଦୁଆରେ ଠିଆ ହୋଇଥିବା ବେଳେ କଲିମ, ପତ୍ନୀ ମମତାଜ ବିବି ଏବଂ ଝିଅ ରାନୁ ବେଗମ ତାଙ୍କୁ ମାଡ଼ି ବସିଥିଲେ। କଲିମଙ୍କ ପୁଅ ଲାଡେନ୍ ଘରୁ ଏକ କାତି ଆଣି ବାବୁଙ୍କ ବେକକୁ ଚୋଟ ପକାଇଥିଲା। ବାବୁ ବୁଲି ପଡ଼ିବାରୁ ଚୋଟଟି ତାଙ୍କ ଡାହାଣ ହାତରେ ବାଜିଥିଲା। ପରେ ଲାଡେନ୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ରକ୍ତଜୁଡୁବୁଡୁ ବାବୁଙ୍କୁ ତାଙ୍କ ପରିବାରଲୋକ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ବାବୁଙ୍କ ହାତରେ ଅସ୍ତ୍ରୋପଚାର ହୋଇଛି। ଖବର ଲେଖା ହେବା ବେଳକୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ଅଭିଯୁକ୍ତ ଲାଡେନ୍ ଧରାପଡ଼ିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ତନାଘନା ଚଳାଇଛି। ଆହତ ବାବୁଙ୍କ ମା’ ଅମିରନ୍ ବିବିଙ୍କ ଅଭିଯୋଗ ଆଧାର ରେ ଥାନାରେ ମାମଲା ରୁଜୁ ହୋଇଥିବା ଏସ୍.ଆଇ ରାକେଶ ସାମଲ ସୂଚନା ଦେଇଛନ୍ତି।