ଛିଣ୍ଡୁନି ସୀମା ନିର୍ଦ୍ଧାରଣ ବିବାଦ, ଅଭିଯୋଗ ପ୍ରସ୍ତାବକୁ ଆଉ ୨ ଦିନ ବାକି

ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତ ୭ ତାରିଖ ଦିନ ପ୍ରକାଶ ପାଇଥିବା ସୀମା ନିର୍ଦ୍ଧାରଣ ଓ ଓ୍ବାର୍ଡ ଚିଠା ସଂରକ୍ଷଣ ତାଲିକା ଉପରେ ଜନସାଧାରଣଙ୍କଠାରୁ ବିଭାଗ ପ୍ରସ୍ତାବ ଓ ଅଭିଯୋଗ ଆହ୍ବାନ କରାଯାଇଛି। ଏହି ଅବଧିର ଆଉ ୩ ଦିନ ବାକି ରହିଛି। ଗୋଟିଏ ପଟେ ପ୍ରକାଶିତ ଚିଠା ତାଲିକାରେ ବିଶେଷ କିଛି ପରିବର୍ତ୍ତନ ନ କରିବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନିଆ ସରିଥିବା ବେଳେ ଏବେ ସୀମା ନିର୍ଦ୍ଧାରଣକୁ ନେଇ ଅଡ଼ୁଆ ଛିଡ଼ୁନାହିଁ। ପାଇକରାପୁରରେ ଏଭଳି ସୀମା ବିବାଦକୁ ନେଇ ପ୍ରବଳ ଜନଅସନ୍ତୋଷ ଦେଖାଦେଇଛି। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗରେ ଅଧିବାସୀମାନେ ଲିଖିତ ଭାବେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛନ୍ତି।

ଅଭିଯୋଗ ମୁତାବକ, ସୀମା ନିର୍ଦ୍ଧାରଣ ପୂର୍ବରୁ ଅର୍ଥାତ୍‌ ପାଇକରାପୁର ଯେତେ‌ବେଳେ ବିଏମ୍‌ସିରେ ସାମିଲ ହୋଇଥିଲା ସେତେବେଳେ ଏହି ଅଞ୍ଚଳ ସୀମାକୁ ଲାଗିଥିବା‌ ୱାର୍ଡ ନମ୍ବର ୨୩ ଅର୍ଥାତ୍‌ ଘାଟିକିଆ ସହ ଏହାକୁ ସଂଯୋଗ କରାଯାଇଥିଲା। ଘାଟିକିଆରୁ ଭତ୍ତା ମିଳିବା ସହ ଅନ୍ୟାନ୍ୟ ଯାବତୀୟ ମୌଳିକ ସୁବିଧା ଏହି ଅଞ୍ଚଳରୁ ମିଳୁଥିଲା। ଏବେ ବି ସେଠାରୁ ହିତାଧିକାରୀମାନେ ଭତ୍ତା ଗ୍ରହଣ କରୁଛନ୍ତି। କିନ୍ତୁ ଯେତେବେଳେ ଗତ ଡିସେମ୍ବର ମାସରେ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ହେଲା ସେତେବେଳେ ଏହାକୁ ୨୨ ନମ୍ବର ୱାର୍ଡ ଅର୍ଥାତ୍‌ ଭରତପୁରରେ ସାମିଲ କରା ଯାଇଥିବା ଜଣାପଡ଼ିଥିଲା। ଏହା ପାଇକରାପୁର ଠାରୁ ୧୦ କିଲୋମିଟର ଦୂରରେ ରହିଥିଲା। ୧୦ କିଲୋମିଟର ଦୂର ୱାର୍ଡ ସହ ସଂଯୋଗ କରିବା ସୀମା ପୁନଃନିର୍ଦ୍ଧାରଣ ବ୍ୟବସ୍ଥାର ବିରୋଧାଚରଣ କରୁଥିଲା। ଏହାକୁ ବିରୋଧ କରି ଗ୍ରାମବାସୀମାନେ ପାଇକରାପୁରକୁ ୱାର୍ଡ ନମ୍ବର ୨୩ରେ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଭରତପୁରକୁ ଲାଗିଥିବା ଷ୍ଟୁଡିଓ ଛକ, ଶ୍ୟାମପୁର ଅଞ୍ଚଳକୁ ୱାର୍ଡ ୨୨ରେ ସାମିଲ କଲେ ସମସ୍ୟା ହେବ ନାହିଁ ବୋଲି ସେମାନେ ପ୍ରସ୍ତାବ ଦେଇଛନ୍ତି।

ଗତ ଡିସେମ୍ବର ୧୦ ତାରିଖରେ ଗୃହ ଓ ନଗର ଉନ୍ନୟନ ବିଭାଗ ଏଭଳି ଏକ ଚିଠା ତାଲିକା ପ୍ରକାଶ କରିଥିଲା। ତାହା ଉପରେ ଅଭିଯୋଗ ଓ ପ୍ରସ୍ତାବ ଆହ୍ବାନ କରିଥିଲା। ଲୋକମାନେ ଅଭିଯୋଗ ଓ ପ୍ରସ୍ତାବ ଦେଇଥିଲେ। ବେଶ୍‌ କିଛି ଦିନ ଏହାକୁ ତର୍ଜମା ମଧ୍ୟ କରିଥିଲା। ଠିକ୍‌ ଏତିକି ବେଳେ ଓବିସିଙ୍କ ପାଇଁ ସଂରକ୍ଷିତ ଆସନକୁ ବାତିଲ କରି ସାନି ଚିଠା ତାଲିକା ପ୍ରକାସ ନିମନ୍ତେ ଆଦେଶ ହୋଇଥିଲା। ଆଦେଶ ମୁତାବକ ଏହି ସାନି ତାଲିକା ଚଳିତ ୭ ତାରିଖରେ ପ୍ରକାଶ ପାଇଥିଲା। ଏଥିରେ ଓବିସିଙ୍କ ପାଇଁ ସଂରକ୍ଷିତ ଆସନ ସହିତ ଆସିଥିବା ଅଭିଯୋଗ ଓ ପ୍ରସ୍ତାବ ଆଧାରରେ ବିଏମ୍‌ସି ଅନେକ ପରିବର୍ତ୍ତନ କରିଥିଲା। ହେଲେ ପାଇକରାପୁରବାସୀଙ୍କ ଏହି ଅଭିଯୋଗକୁ ବିଚାରକୁ ନିଆଯାଇନଥିଲା। ପୂର୍ବବତ୍‌ ଏମାନେ ୨୨ ନମ୍ବର ୱାର୍ଡରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର