ଭୁବନେଶ୍ୱର: ନୂଆ ରୂପ ନେବାକୁ ଯାଉଛି ରାଜଧାନୀ ଭିତର ଦେଇ ଯାଇଥିବା ଜାତୀୟ ରାଜପଥ। କୁଆଖାଇ ନଦୀ ଠାରୁ ପାତ୍ରପଡ଼ାସ୍ଥିତ ହୋଟେଲ୍‌ ତାଜ୍‌ ଭିଭାନ୍ତ ପର୍ଯ୍ୟନ୍ତ ପ୍ରାୟ ୧୭ କିଲୋମିଟର ଜାତୀୟ ରାଜପଥ ଉଭୟ ପାର୍ଶ୍ବକୁ ଆକର୍ଷଣୀୟ କରିବା ପାଇଁ ଯୋଜନା କରିଛି ବିଡିଏ। ଏଠାରେ ଥିବା ସରକାରୀ ଜାଗାକୁ ଚିହ୍ନଟ କରାଯିବ। ଜବରଦଖଲ ହଟାଯିବା ସହ ଦୋକାନଗୁଡ଼ିକୁ ସ୍ମାର୍ଟ ଜନପଥ ଭଳି ଗୋଟିଏ ଡିଜାଇନ୍‌ର କରାଯିବ। ଘରୋଇ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ସେହିଭଳି କରିବାକୁ କୁହାଯିବ। ବସ୍‌ଷ୍ଟପ୍‌ଗୁଡ଼ିକୁ ମଧ୍ୟ ମୋ ବସ୍‌ଷ୍ଟପ୍‌ ଭଳି ଗୋଟିଏ ପ୍ରକାରର କରାଯିବ। ଯେଉଁଠି ଆବଶ୍ୟକତା ଥିବ ନୂଆ ତିଆରି କରାଯିବ। ଘରୋଇ ଜାଗାରେ ମଧ୍ୟ କେହି କିମ୍ଭୁତ କିମାକାର ନିର୍ମାଣ କରିପାରିବେ ନାହିଁ। ଏଥିପାଇଁ କଟକଣା କରାଯିବ। ଏପରିକି ରାସ୍ତା କଡ଼ରେ ଥିବା ଘରଗୁଡ଼ିକୁ ଗୋଟିଏ ରଙ୍ଗର କରାଯିବାକୁ ପ୍ରସ୍ତାବ ରହିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ସର୍ଭେ ହେବ। ସର୍ଭେର ତଥ୍ୟ ଆଧାରରେ ଡିପିଆର ପ୍ରସ୍ତୁତ କରାଯାଇ କାମ ଆରମ୍ଭ ହେବ। ରାଜପଥର ଉଭୟପାର୍ଶ୍ବ ସର୍ଭେ କରିବା ପାଇଁ ଠିକା ସଂସ୍ଥା ଚୟନ କରିବାକୁ ଟେଣ୍ଡର ଡକାଯାଇଛି। ୨୬ ତାରିଖରେ ଆବେଦନର ଶେଷ ତାରିଖ ରହିଥିବା ବେଳେ ୨୭ରେ ଟେଣ୍ଡର ଖୋଲାଯିବ। ଠିକା ସଂସ୍ଥା ଚୟନ ହେବା ପରେ ସର୍ଭେ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Advertisment

କୁଆଖାଇରୁ ତାଜ୍‌ଭିଭାନ୍ତ ପର୍ଯ୍ୟନ୍ତ ୧୭ କିମି

ହଟିବ ଜବରଦଖଲ

ଗୋଟିଏ ଡିଜାଇନ୍‌ର କିଓସ୍କ, ବସ୍‌ ଷ୍ଟପ୍‌

ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ଉଦ୍ୟମ ଜାରି ରହିଛି। ବିଏମ୍‌ସି ଓ ବିଡିଏ ଉଭୟ ଏଥିରେ ସାମିଲ ଅଛନ୍ତି। ବିଶ୍ବକପ୍‌ ହକି ସମୟରେ ଅବ୍ୟବହୃତ ଜାଗାକୁ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି। ବିଏମ୍‌ସି ପାଖାପାଖି ଦେଢ଼ ଏକର ଜାଗା ଚିହ୍ନଟ କରିଛି। ମୁକ୍ତାରେ ଖୁବ୍‌ଶୀଘ୍ର ଏ ସବୁ କାର୍ଯ୍ୟକ୍ଷମ ହେବାକୁ ଯୋଜନା ରହିଛି। ଜବରଦଖଲ ଉଚ୍ଛେଦ ହେବା ପରେ ପୁଣି ଥରେ ସେ ସବୁ ଜାଗା ଦଖଲକୁ ଚାଲି ଯାଉଥିବାରୁ ଏଭଳି ଯୋଜନା ହାତକୁ ନିଆଯାଇଛି। ସମ୍ପୃକ୍ତ ଜାଗା ମଧ୍ୟ ଏକ ନୂଆ ରୂପ ପାଉଛି। ଏ ସବୁ ସହର ଭିତରେ ଚାଲିଥିବା ବେଳେ ଜାତୀୟ ରାଜପଥ ଉଭୟପାର୍ଶ୍ବ ଅବହେଳିତ ହୋଇ ରହିଛି। ନିକଟ ଅତୀତରେ ଜି-୨୦ ସମ୍ମିଳନୀ ସମୟରେ ରାଜପଥର ଉଭୟପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଏକ କମିଟି ଗଠନ ହେବା ସହ ବୈଠକ ବସି ଏକାଧିକ ନିଷ୍ପତ୍ତି ନିଆଯାଇଥିଲା। ସର୍ଭେ ହୋଇନଥିବାରୁ କମ୍‌ ସମୟରେ ଉନ୍ନତୀକରଣ ସମ୍ଭବ ହୋଇନଥିବା ବେଳେ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ମଧ୍ୟ ସହଯୋଗ କରିନଥିଲେ। ଫଳରେ ଯୋଜନା ଫସର ଫାଟିଥିଲା। ଶେଷରେ ବିଡିଏ ବିଧିବଦ୍ଧ ଭାବରେ ସର୍ଭେ କରି ଏହାର ସୌନ୍ଦର୍ଯ୍ୟୀକରଣ ଯୋଜନା‌ କରିଛି।

କେବଳ ସୌନ୍ଦର୍ଯ୍ୟୀକରଣ ନୁହେଁ, ବରଂ କେତେକ ଜାଗାରେ ଟ୍ରାଫିକ୍‌ ସମସ୍ୟା ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜୁଛି। ବସ୍‌ଗୁଡ଼ିକ ରାସ୍ତା ଉପରେ ଛିଡ଼ା ହୋଇ ରହୁଥିବାରୁ ଏହି ସମସ୍ୟା ହୋଇଛି। ବିଶେଷକରି ସତ୍‌ସଙ୍ଗ ବିହାର ଓ ପଳାସୁଣି ଛକରେ ଅଧିକ ସମସ୍ୟା ରହିଛି। ସର୍ଭେ ପରେ ସରକାରୀ ଜାଗା ଚିହ୍ନଟ ହେଲେ ଏହି ସମସ୍ୟାକୁ ଦୂର କରାଯାଇ ପାରିବ ବୋଲି ବିଡିଏ ଯୋଜନା କରିଛି। ବାଣୀବିହାର ପାଚେରି ଓ ଏନ୍‌ଏଚ୍‌କୁ ଲାଗି ରହିଥିବା ବସ୍ତି ମଧ୍ୟ ସୌନ୍ଦର୍ଯ୍ୟୀରକଣରେ ବାଧକ ହୋଇଛି। ଏହା ଏନ୍‌ଏଚ୍‌ ଜାଗାରେ ଥିବାରୁ ବିଏମ୍‌ସି କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଏନ୍‌ଏଚ୍‌ଏଆଇ ମଧ୍ୟ ସହଯୋଗ କରୁନାହିଁ। ବିଡିଏର ସୌନ୍ଦର୍ଯ୍ୟୀକରଣ ଯୋଜନାରେ ଏହି ବସ୍ତି ସମସ୍ୟା ସମାଧାନ ହୋଇଯିବ ବୋଲି ଆଶା ପ୍ରକାଶ ପାଇଛି।

କଳିଙ୍ଗ ଷ୍ଟାଡିୟମ ଠାରୁ ସିଆରପି ଛକ ପର୍ଯ୍ୟନ୍ତ ସର୍ଭିସ୍‌ ରୋଡ୍‌ରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ହେଇଛି। ଏନ୍‌ଏଚ୍‌ଆଇର ରହିଥିବା ଜାଗା ଏକାଧିକ ବାର ଜବରଦଖଲ ଉଚ୍ଛେଦ ହୋଇଥଲେ ମଧ୍ୟ ଏହାକୁ ଜବରଦଖଲମୁକ୍ତ ରଖିବାକୁ ଏନ୍‌ଏଚ୍‌ଏଆଇ ସକ୍ଷମ ହେଉ ନାହିଁ। ବରମୁଣ୍ଡାରୁ ଖଣ୍ଡଗିରି ପର୍ଯ୍ୟନ୍ତ ଉଭୟପାର୍ଶ୍ବରେ ଜବରଦଖଲ ଜାଗାରେ ‌ହୋଇଥିବା ନର୍ସରି ମଧ୍ୟ ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ଏ ସବୁ ଏହି ସୌନ୍ଦର୍ଯ୍ୟୀକରଣ ଯୋଜନାରେ ସମାଧାନ ହେବ ବୋଲି ଆଶା ପ୍ରକାଶ ପାଇଛି।