ଅବହେଳିତ ବୌଦ୍ଧ ସ୍ମାରକୀ ବଉଦେଇ ପୀଠ

ବାଲିପାଟଣା: ସ୍ଥାନୀୟ ତୁରିନ୍ତିରା ପଞ୍ଚାୟତ କାର୍ଯ୍ୟାଳୟର ଅନତି ଦୂରେରେ ରହିଛି ବୌଦ୍ଧ ସ୍ମାରକୀ ବଉଦେଇ ପୀଠ। ଏହି ପୀଠ ସହ ଗୌତମ ବୁଦ୍ଧଙ୍କ ସ୍ମୃତି ଜଡ଼ିତ ଥିବା ବିଶ୍ବାସ ରହିଛି। ମାତ୍ର ପ୍ରଶାସନ ତଥା ସଂସ୍କୃତି ଓ ଐତିହ୍ୟ ବିଭାଗର ଦୃଷ୍ଟି ଅଢ଼ୁଆଳରେ ଥିବା ଏହି ପୀଠ ବର୍ଷ ବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡ଼ିଛି। ଏହି ପୀଠର ବିକାଶ ହୋଇପାରିନଥିବାରୁ ଏଠାରେ ଗବେଷକମାନଙ୍କ ନଜରରେ ବି ପଡ଼ିପାରୁନାହିଁ।

ଲୋକକଥା ଅନୁସାରେ ପ୍ରାଚୀ ନଦୀ ନିକଟବର୍ତ୍ତୀ ଏହି ଅଞ୍ଚଳଟି ଦିନେ ଘଞ୍ଚ ଜଙ୍ଗଲ ଥିଲା। ବୌଦ୍ଧ ସନ୍ୟାସୀମାନେ ଏଠାରେ ଅବସ୍ଥାନ କରୁଥିଲେ। ପରବର୍ତ୍ତୀ କାଳରେ ବୌଦ୍ଧ ଧର୍ମର ପ୍ରଭାବ କମିବାରେ ଲାଗିଲା ଏବଂ ଏଠାରେ କିଛି କମା ବ୍ରାହ୍ମଣ ସମ୍ପ୍ରଦାୟର ଲୋକେ ବସବାସ କଲେ। କିନ୍ତୁ ସେମାନେ ବୌଦ୍ଧ ମୂର୍ତ୍ତିକୁ ନ ହଟାଇ ଏକ ଦେବୀ ମୂର୍ତ୍ତି ପ୍ରତିଷ୍ଠା କଲେ। ବୁଦ୍ଧଙ୍କୁ ଏକ ଅବତାର ବୋଲି ମାନିନେବା ପରେ ଉକ୍ତ ବ୍ରାହ୍ମଣମାନେ ଏହି ବୁଦ୍ଧ ମୂର୍ତ୍ତିକୁ ପୂଜା କଲେ ଏବଂ ଠାକୁରାଣୀଙ୍କୁ ବଉଦେଇ ବୋଲି କହିଲେ। ବୁଦ୍ଧଙ୍କ ନାଁରୁ ଠାକୁରାଣୀଙ୍କ ନା ବଉଦେଇ ବୋଲି ଏବେ ବି କିଛି ଲୋକ ବିଶ୍ବାସ କରନ୍ତି। ତେବେ ବୁଦ୍ଧ ପ୍ରତିମା ପୂଜାର ବିରୋଧୀ ଥିବା ବେଳେ ଏଠାରେ ବୁଦ୍ଧଙ୍କ ମୂର୍ତ୍ତି ସହ ବଉଦେଇ ଠାକୁରାଣୀଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ଏହା ଏକ ବିରଳ ପରମ୍ପରା ବୋଲି କୁହାଯାଉଛି।

କିନ୍ତୁ ପରିତାପର କଥା ବଉଦେଇ ଠାକୁରାଣୀଙ୍କ ପ୍ରସ୍ତର ମୂର୍ତ୍ତି ଦୀର୍ଘ ବର୍ଷ ହେଲା ଚୋରି ହୋଇଯାଇଛି। ଏବେ ଉକ୍ତ ମନ୍ଦିରରେ ଯେଉଁ ଦୁଇଟି ପଥର ମୂର୍ତ୍ତି ରହିଛି, ସେଥିରୁ ଗୋଟିଏ ବୁଦ୍ଧଙ୍କର ଓ ଅନ୍ୟଟି ଜୈନଙ୍କର ବୋଲି କୁହାଯାଏ। କିନ୍ତୁ ବୌଦ୍ଧ ସ୍ମାରକୀ ବୋଲି ବିଶ୍ବାସ କରାଯାଉଥିବା ପୀଠରେ ଜୈନ ମୂର୍ତ୍ତି କିଭଳି ରହିଛି, ତାହାକୁ ନେଇ କିଛି ସ୍ପଷ୍ଟ ଲୋକକଥା ନାହିଁ। ଜୈନ ମୂର୍ତ୍ତି ଭଳି ପ୍ରତୀୟମାନ ହେଉଥିବା ମୂର୍ତ୍ତିଟି ହୁଏତ ବଉଦେଇ ଠାକୁରାଣୀଙ୍କର ବୋଲି କିଛି ଲୋକ ବିଶ୍ବାସ କରୁଛନ୍ତି। ବଡ଼ କଥା ହେଉଛି ଏଠାରେ ପୂଜା କରୁଥିବା ପୂଜକଙ୍କ ପାଇଁ ଜମିବାଡ଼ି ଖଞ୍ଜା ହୋଇଛି। ତେବେ କିଏ ଜମି ଦାନ କରି ପୂଜକ ଖଞ୍ଜା କରିଛି, ସେନେଇ କିଛି ତଥ୍ୟ ପ୍ରମାଣ ନାହିଁ। ତେବେ ପ୍ରତିଦିନ ଏହି ମନ୍ଦିରକୁ ଆସି ପୂଜକ ଫୁଲ ପାଣି ଦେଇ ପୂଜା କରନ୍ତି। କିନ୍ତୁ ଏଠାରେ କୌଣସି ବଡ଼ଧରଣ ଉତ୍ସବ ପାଳନ କରାଯାଏ ନାହିଁ।

ସେତେବେଳେ ପୂରା ୨୨ ଏକର ଜମିରେ ଘଞ୍ଚ ଜଙ୍ଗଲ ଥିଲା। କିନ୍ତୁ କାଳକ୍ରମେ ଜଙ୍ଗଲ ଲୋପ ପାଇଯାଇଛି। ତେବେ ଗତ କିଛି ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଏହି ପୀଠର ବିକାଶ କାମ ଧୀରେଧୀରେ ଚାଲିଛି। ସ୍ଥାନୀୟ ଲୋକେ ଭୋଜିଭାତ କରିବାକୁ ସେଠାକୁ ଯାଉଛନ୍ତି। ମାତ୍ର ବିଜୁଳି, ପାଣି ବ୍ୟବସ୍ଥା ନଥିବାରୁ ସମସ୍ୟା ହେଉଛି। ଜିଲ୍ଲା ପ୍ରଶାସନ ଏହି ପ୍ରାଚୀନ ପୀଠର ବିକାଶ କାମ ହାତକୁ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର