ଭୁବନେଶ୍ବର: ୯ ତାରିଖ ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ କସ୍‌ମସ୍‌ ବାର୍‌ରେ ଜଣେ ବାଉନ୍‌ସର୍‌ଙ୍କୁ ଗୁଳିମାଡ଼ ହୋଇଥିଲା। ଏହି ମାମଲାରେ କମିସନରେଟ୍‌ ପୁଲିସ ରାଜ୍ୟର ୫ ଜିଲ୍ଲାରେ ଚଢ଼ଉ କରି ପୁରୀର କୁଖ୍ୟାତ ଶିବା ଗ୍ୟାଙ୍ଗ୍‌ର ୧୧ଜଣଙ୍କୁ ବାନ୍ଧିଛି। ସେମାନେ ହେଲେ ପୁରୀ ଜିଲ୍ଲା କୋଣାର୍କ ଥାନା ଡାଳିମ୍ବଗରଡ଼ିର ବାଦଲ ସ୍ବାଇଁ(୨୧), ପୁରୀ ସଦର ଥାନା ବ୍ରହ୍ମଗିରି ଅଞ୍ଚଳର ବବ୍ରୁ ପ୍ରଧାନ(୨୫), ଭୁବନେଶ୍ବର କ୍ୟାପିଟାଲ୍‌ ଥାନା ଶିଶୁଭବନ ଅଞ୍ଚଳର ରାଜେଶ ନାୟକ(୨୪), ଯାଜପୁର ବରୁଆଁ ଅଞ୍ଚଳର ଚିନ୍ମୟ କୁମାର ଦେ(୨୧), କୁଆଖିଆ ଅଞ୍ଚଳର ଜାଗ୍ରତ ପଣ୍ଡା(୩୨), ଢେଙ୍କାନାଳ ସଦର ଷ୍ଟେସନ୍‌ବଜାର ଅଞ୍ଚଳର ସାହିଲ୍‌ ଦାସ(୨୩), କଟକ ନୂଆପଡ଼ା ବାଲିସାହି ଅଞ୍ଚଳର ଓଁକାର ପାତ୍ର(୨୯), ବାରଙ୍ଗ ଅଞ୍ଚଳର ରଂଜିତ ସାହୁ(୩୧), ଆଲୋକ ସାହୁ(୨୯), କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳର ଅଚ୍ୟୁତାନନ୍ଦ ଲେଙ୍କା(୨୫) ଓ ଲକ୍ଷ୍ମୀସାଗର ଥାନା ଗଣେଶମଣ୍ଡପ ଛକ ଅଞ୍ଚଳର ଅସିତ ପାତ୍ର(୩୨)। ପୁଲିସ ସେମାନଙ୍କ ନିକଟରୁ ୨ଟି ବାଇକ୍‌, ୨ଟି ଗୁଳି ଜବତ କରିଛି।‌ କିନ୍ତୁ ଏହି ଗ୍ୟାଙ୍ଗ୍‌ର ସର୍ଦ୍ଦାର ଶିବା ପାତ୍ର, କାହ୍ନୁ, ରଶ୍ମି, ରବି ଓ ଘଟଣାଦିନ ଗୁଳି ଚଳାଇଥିବା ଦୟା ଆଦି ୬ଜଣଙ୍କୁ ପୁଲିସ ଧରିପାରିନାହିଁ। ସେମାନଙ୍କୁ ଗିରଫ କରିବା ଲାଗି ପୁଲିସ ଚଢ଼ଉ ଜାରି ରହିଛି ବୋଲି ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର୍‌ ସୁରେଶ ଦେବଦତ୍ତ ସିଂ ଓ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

Advertisment

ପୁଲିସ ସୂଚନା ମୁତାବକ ଘଟଣା ଦିନ ରାତିରେ ଶିବା ଗ୍ୟାଙ୍ଗ୍‌ର ୧୦ରୁ ଅଧିକ ସଦସ୍ୟ କସ୍‌ମସ୍‌ ବାର୍‌ରେ ମଦ ପିଇ ଆସର ଜମାଇଥିଲେ। ରାତି ୨ଟା ବାଜିବା ପରେ ବି ସେମାନେ ବାର୍‌ ଛାଡ଼ି ନଥିଲେ। ତେଣୁ ବାର୍‌ର ବାଉନ୍‌ସର୍‌ ସୂର୍ଯ୍ୟକାନ୍ତ  ପ୍ରଧାନ ଓ ଅନ୍ୟମାନେ ସେମାନଙ୍କୁ ଚାଲିଯିବାକୁ ବାଧ୍ୟ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ହାତାହାତି ‌ହୋଇଥିଲା। ଶିବା ଗ୍ୟାଙ୍ଗ୍‌ ଧମକ ଦେଇ ବାର୍‌ରୁ ଚାଲିଯାଇଥିଲେ। ବାହାରକୁ ଆସି ସେମାନେ ବାର୍‌ ଉପରକୁ ଇଟା ଫିଙ୍ଗି କାଚ ଭାଙ୍ଗି ଦେଇଥିଲେ। ଏହା ଦେଖି ବାଉନ୍‌ସର୍‌ମାନେ ଗୋଡ଼ାଇବାରୁ ସେମାନେ ‌ଗୋଟିଏ କଳା ରଙ୍ଗର ସ୍କର୍ପିଓ ଓ ଧଳା ରଙ୍ଗର ଇନୋଭା ନେଇ ସେଠାରୁ ଚାଲିଯାଇଥିଲେ। କିନ୍ତୁ ବାଉନ୍‌ସର୍‌ ସୂର୍ଯ୍ୟକାନ୍ତ ଉପରେ ପ୍ରତିଶୋଧ ନେବାକୁ ସେମାନେ ପୁଣି ବାର୍‌କୁ ଫେରିଥିଲେ। ଗ୍ୟାଙ୍ଗ୍‌ର ସଦସ୍ୟ ଦୟା, ସୂର୍ଯ୍ୟକାନ୍ତ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲା। ୨ଟି ଗୁଳି ଫୁଟିନଥିଲା। କିନ୍ତୁ ଫୁଟିଥିବା ୩ଟି ଗୁଳିରୁ ଗୋଟିଏ ସୂର୍ଯ୍ୟକାନ୍ତଙ୍କ ବାମ  ଗୋଡ଼ରେ ବାଜିଥିଲା। ଏହାପରେ ସେମାନେ ୨ଟି ବୋମା ଫିଙ୍ଗିଥିଲେ। ମାତ୍ର ସେଗୁଡ଼ିକ ଫୁଟି ନଥିଲା। ସେମାନେ ବୋମା ୨ଟିକୁ ଗୋଟାଇ ନେଇ ପଳାଇଥିଲେ। ଭାରତ-ପାକ୍‌ ଯୁଦ୍ଧକୁ ନେଇ ପୂରା ସହର ହାଇଆଲର୍ଟରେ ଥିବା ବେଳେ ଏଭଳି ଗୁଳିକାଣ୍ଡ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ତେଣୁ ସ୍ପେସାଲ୍‌ ସ୍କ୍ବାଡ୍‌ ନେତୃତ୍ବରେ ୪ଟି ଟିମ୍‌ ଗଠନ କରାଯାଇଥିଲା। ସିସିଟିଭି ଫୁଟେଜ୍‌ରୁ ପୁଲିସ ଦୁଇଟିଯାକ ଗାଡ଼ି ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ଏହାପରେ ତାଳଚେର, ଅନୁଗୁଳ, ପୁରୀ, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୧ଜଣଙ୍କୁ ଗିରଫ କରାଯାଇଥିଲା।