ଜଟଣୀ: ଯୁବକଙ୍କୁ ଅପହରଣ କରି ଲୁହାରଡ୍ରେ ନିର୍ଘାତ ପିଟିଲେ। ସେତିକିରେ ସେମାନଙ୍କ ବୁଝିଲାନି ଯେ ହାତ, ଗୋଡ଼ ବାନ୍ଧି ଗାଲରେ ସିଗାରେଟ୍ ଚେଙ୍କ ଦେଲେ। କୌଣସି ବଲିଉଡ୍ ଚଳଚ୍ଚିତ୍ରର ଦୃଶ୍ୟ ଭଳି ଘଟିଥିବା ଏହି ଅପରାଧ ହରିପୁର କଲେଜ ପଛପଟ ପଡ଼ିଆରେ ଘଟିଛି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଆପରାଧିକ ଘଟଣା ଘଟିଥିବା ବେଳେ ଆଜି ପଦାକୁ ଆସିଛି। ଦୁର୍ବୃତ୍ତଙ୍କ ଏଭଳି ଅମାନୁଷିକ ନିର୍ଯାତନାର ଶିକାର ଯୁବକଜଣଙ୍କ ହେଲେ, ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଅଞ୍ଚଳର ସୁନୀଲ ବଳିଆସିଂହ। ଏ ସଂପର୍କରେ ଅଭିଯୋଗ ହେବାରୁ ଜଟଣୀ ପୁଲିସ୍ ନମ୍ବର ୧୧୯/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଅପରାଧ ଘଟିଥିବା ପୁଲିସ୍ ପ୍ରାଥମିକ ସୂତ୍ରରୁ ଜାଣିବାକୁ ପାଇଛି। ଅଭିଯୁକ୍ତମାନଙ୍କୁ ଧରିବା ଲାଗି ତନାଘନା ଚଳାଇଛି। ଅପରପକ୍ଷେ, ଏହି ଘଟଣା ପଦାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।
ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ସୁନୀଲ କୌଣସି କାମରେ ଜଟଣୀ ହରିଭାଇନା ଛକଠାରୁ ଷଣ୍ଢପୁର ଆଡ଼କୁ ବାଇକ୍ରେ ଯାଉଥିଲେ। ସେହି ସମୟରେ ୬ଜଣ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିବା ସହ ବାଇକ୍ରେ ଅପହରଣ କରି ନେଇଥିଲେ। ସେମାନେ ସୁନୀଲଙ୍କୁ ହରିଭାଇନା ଛକଠାରୁ ପ୍ରାୟ ୭ କିମି ଦୂର ଡେଲାଙ୍ଗ ଥାନା ହରିପୁର କଲେଜ ପଛପଟ ପଡ଼ିଆକୁ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ଏକ ଲୁହାରଡ୍ରେ ନିସ୍ତୁକ ପିଟିବା ସହ ଗାଲରେ ସିଗାରେଟ୍ ଚେଙ୍କ ଦେଇଥିଲେ। ପାଖାପାଖି ଅଧଘଣ୍ଟା କାଳ ଦୁର୍ବୃତ୍ତମାନଙ୍କ ଦ୍ବାରା ସେ ନିର୍ଯାତିତ ହୋଇଥିଲେ ହେଁ କେହି ଏହାର ଟେର୍ ପାଇ ନଥିଲେ। ସୁନୀଲ ଅଚେତ ହୋଇଯିବା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ତାଙ୍କ ଚେତା ଫେରିବା ପରେ ସେ ପରିବାରଲୋକଙ୍କୁ ଖବର ଦେଇଥିଲେ। ପରିବାରଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତାଙ୍କ ପିଠି ସାରା ମାଡ଼ ଚିହ୍ନ ଓ ମୁହଁରେ ଏକାଧିକ ଚେଙ୍କ ଦାଗ ରହିଛି।
ଏ ସଂପର୍କରେ ପରିବାରଲୋକ ଡେଲାଙ୍ଗ ଥାନାରେ ଅଭିଯୋଗ କରିବାରୁ ସେଠାରେ ଅଭିଯୋଗ ଗ୍ରହଣ ନକରି ଜଟଣୀ ଥାନାକୁ ଯିବାକୁ କହିଥିଲେ। ପରେ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ଘର ହରିପୁର ଅଞ୍ଚଳର ଓ ସୁନୀଲ ସେମାନଙ୍କୁ ଚିହ୍ନିଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣାରେ ଜଟଣୀ ଥାନା ଆଇଆଇସି ସୌମ୍ୟକାନ୍ତ ବଳିଆର୍ସିଂ କହିଛନ୍ତି ଯେ ଅଭିଯୋଗ ଆଧାରରେ ପୁଲିସ୍ ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ଜଟଣୀ ଥାନା ଅଞ୍ଚଳରେ ପ୍ରତିଦିନ ଲୁଟ୍, ଛିନ୍ତାଇ, ଆକ୍ରମଣ, ଅପହରଣ, ନିଶା କାରବାର ଭଳି ବିଭିନ୍ନ ଆପରାଧିକ ଘଟଣା ଘଟୁଛି। ଦିନ ଦି’ପହର ହେଉ କିମ୍ବା ବିଳମ୍ବିତ ରାତି, ପୁଲିସକୁ ଅପରାଧୀମାନେ ଖୁଲୁମ୍ଖୁଲା ଚ୍ୟାଲେଞ୍ଜ ଦେଇ ଅପରାଧ ଘଟାଉଛନ୍ତି।