ଗ୍ରାହକଙ୍କ ପସନ୍ଦ ମେଡ୍‌ ଇନ୍‌ ଚାଇନା

ଭୁବନେଶ୍ବର : ଚୀନ୍‌ ବିରୋଧୀ ଆକ୍ରୋଶ ବଢ଼ି ଚାଲିଛି। ମେଡ୍‌-ଇନ୍‌-ଚାଇନା ସାମଗ୍ରୀ ବର୍ଜନ କରିବାକୁ ସ୍ବର ଉଠିଛି। ଚୀନ୍ ସୈନ୍ୟଙ୍କ ଦ୍ବାରା ଭାରତୀୟ ସେନା ମୃତାହତ ହେବା ପରେ ଏଇ ସ୍ବର ଶାଣିତ ହୋଇଛି। ଚୀନ୍‌କୁ ହରାଇବାକୁ ହେଲେ ହାତରେ ନମାରି ଭାତରେ ମାରିବାକୁ ହେବ ବୋଲି କୁହାଯାଉଛି। ଚୀନ୍‌କୁ ବାଣିଜ୍ୟରେ ଆକ୍ରମଣ କରିବା ନେଇ ମତ ଉଠିଛି। ଚୀନ୍‌ ଉତ୍ପାଦର ଅନ୍ୟ ବିକଳ୍ପ ମଧ୍ୟ ଅଛି। ମାତ୍ର ବଜାର ଭିନ୍ନ କଥା ବୟାନ କରୁଛି। ବଜାର ଉପରେ ଚାଇନା ବିରୋଧୀ ମାନସିକତାର ପ୍ରଭାବ ପରିଖିବାକୁ ପହଞ୍ଚିଥିଲୁ ରାଜ୍ୟର ଇଲେକ୍ଟ୍ରୋନିକ୍ସ ହବ୍‌ ବାପୁଜୀନଗର ଓ ରାଜ୍ୟର ବଡ଼ ବଜାର ୧ନଂ ହାଟରେ। ବଜାରକୁ ଆସୁଥିବା ଗ୍ରାହକଟିଏ ଆଜି ବି ଚାଇନା କମ୍ପାନିର ମୋବାଇଲ୍‌ ଡିମାଣ୍ଡ କରୁଥିଲା। ସେଇ ମୋବାଇଲ୍‌ଟା ଚୀନରେ ତିଆରି ନା ଆମେରିକା‌‌ରେ, ତାହା ପଚାରୁନଥିଲା, ବରଂ ସିଧା ଆସି ଚାଇନା ବ୍ରାଣ୍ଡର ମୋବାଇଲ୍‌ ମାଗୁଥିଲା। ଚୀନ୍‌ ସାମଗ୍ରୀ ବର୍ଜନ ତାତି ଆଜି ଉଠିନାହିଁ, ବରଂ ବାରମ୍ବାର ଏହି ସ୍ବର ତେଜ ହେଉଥିଲେ ମଧ୍ୟ ଚୀନ ଉତ୍ପାଦର ମୋହରୁ ଦୂରେଇ ପାରିନାହାନ୍ତି ଗ୍ରାହକ।

ଗ୍ରାହକ ତା’ ଟଙ୍କାର ମୂଲ୍ୟ ଚାହୁଁଛି, ସାମଗ୍ରୀ କୋଉଠାର ପଚାରୁନି
କଥାରେ ଅଛି ‘ଚାଇନା ମାଲ୍‌ ଦରିଆମେ ଡାଲ୍‌’। ମାତ୍ର ବଜାରରେ ନିଜର ପତିଆରା ବଜାୟ ରଖିଛି ଚୀନ୍‌ ସାମଗ୍ରୀ। ଖେଳନା, ଲୁଗା, ହସ୍ତତନ୍ତ, ହାର୍ଡୱେର୍‌, ଜୋତା, ପୋଷାକ, ରୋଷେଇ ଓ ବୈଦ୍ୟୁତିକ ସାମଗ୍ରୀ, ଉପହାର, ପ୍ରସାଧନ ସାମଗ୍ରୀ, ବ୍ୟାଗ୍, ଘଡ଼ି, ଗହଣା, ଷ୍ଟେସନାରି, କାଗଜ, ଘରୋଇ ସାମଗ୍ରୀ, ଆସବାବ, ସ୍ୱାସ୍ଥ୍ୟ ସାମଗ୍ରୀ, ପ୍ୟାକେଜିଂ ଭଳି ସବୁ ‌କ୍ଷେତ୍ରରେ ଚାଇନା ସାମଗ୍ରୀ କିଣାଯାଉଛି। ବାପୁଜୀନଗରସ୍ଥିତ ‘ଚାଇନା ଟାଉନ’ର ସେଲ୍‌ସ ବୟ ଅମର ବେହେରା କହିଲେ, ଲୋକେ ଆସିବା ମାତ୍ରେ ଭିଭୋ ମୋବାଇଲ୍‌ ଖୋଜୁଛନ୍ତି। ତେଣୁ ଆମର ଦିନକୁ ୮ଟି ଭିଭୋ ମୋବାଇଲ୍‌ ବିକ୍ରି ହେଉଥିବା ବେଳେ ଓପୋର ୨ଟି ବିକ୍ରି ହେଉଛି। ଭାରତୀୟ କମ୍ପାନି ଯେପର୍ଯ୍ୟନ୍ତ ଏହାର ବିକଳ୍ପ ବାହାର କରିନାହାନ୍ତି, ଲୋକଙ୍କର ଚାହିଦା ରହିବ। ଏବେ ଚୀନ୍‌ ବିରୋଧୀ ସ୍ବର ଉଠିଥିଲେ ବି ବିକ୍ରିବଟା ଉପରେ ତା’ର ପ୍ରଭାବ ପଡ଼ିନାହିଁ।

ଚୀନ୍‌ ଉପକରଣ ଆଖିଦୃଶିଆ ଯୋଗୁଁ ଲୋକ ନେଉଛନ୍ତି
ମୋବାଇଲ୍‌ ଉପକରଣ ବିକ୍ରି କରୁଥିବା ଦୀପକ କୁମାର ଜେନା କହିଛନ୍ତି, ଚୀନ୍‌ରୁ ଆସୁଥିବା ମୋବାଇଲ୍‌ କଭରଠୁ ନେଇ ଟାମ୍ପର୍ଡ ଗ୍ଲାସ, ଟ୍ରାଇପଡ଼, ଇୟର ଫୋନ୍‌ ସମେତ ଅନ୍ୟ ମୋବାଇଲ୍‌ ଉପକରଣରର ଭାରତୀୟ ଉତ୍ପାଦ ବି ରହିଛି। ଏହା ଭାରତୀୟ ଉପକରଣର ଦରଠୁ ବି କମ୍‌ ନୁହେଁ। ତେବେ ଚୀନର ଉପକରଣଗୁଡ଼ିକ ଆଖିଦୃଶିଆ ହୋଇଥିବାରୁ ସେଗୁଡ଼ିକ ଲୋକେ ବେଶି କିଣୁଛନ୍ତି।

ଲୋକେ କିଣୁଛନ୍ତି ବୋଲି ଆମେ ଆଣୁଛୁ
୧ ନମ୍ବର ହାଟରେ ବୈଦ୍ୟୁତିକ ସାମଗ୍ରୀର ବ୍ୟବସାୟୀ ସୁଶାନ୍ତ କୁମାର ସ୍ବାଇଁ କହିଛନ୍ତି, ମୋ ନିକଟରେ ୮୦ ପ୍ରତିଶତ ସାମଗ୍ରୀ ମେଡ୍‌-ଇନ୍‌-ଚାଇନା। ମୁଁ ଏଇ ଜିନିଷ ଆଣିଛି ବୋଲି ଯେ ଲୋକ କିଣୁଛନ୍ତି ସେ କଥା ନୁହେଁ, ବରଂ ଲୋକ କିଣୁଛନ୍ତି ବୋଲି ମୁଁ ଆଣୁଛି। ଯଦି ଭାରତୀୟ ବ୍ୟବସାୟୀ ଏଭଳି ଉତ୍ପାଦ ଦେବେ, ତାକୁ ବି ଆମେ ବିକିବାକୁ ପ୍ରସ୍ତୁତ ଅଛୁ। ମାତ୍ର ନିକଟ ଭବିଷ୍ୟତରେ ତାହା ସମ୍ଭବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ୧ନମ୍ବର ମାର୍କେଟ୍‌ର ଅନ୍ୟତମ ବ୍ୟବସାୟୀ ଦୀପକ ସାହୁ ବି କହିଛନ୍ତି ବିକଳ୍ପ ଉତ୍ପାଦ ବାହାରିଲେ, ଆମେ ବି ଚାଇନା ସାମଗ୍ରୀ ବିକ୍ରି କରିବୁ ନାହିଁ।

ଚୀନ୍‌ ବିରୋଧୀ ହାୱା ଥିବା ଯାଏଁ ଏମିତି ହୁଏ, ତାପରେ …
ବାସ୍ତବରେ ଯେବେ ଚୀନ୍‌ ବିରୋଧୀ ସ୍ବର ଉଠେ, ସେତେବେଳେ ହିଁ ଚୀନ୍‌ ସାମଗ୍ରୀ ବର୍ଜନ ପାଇଁ ମତ ଉଠେ। ଏଇ ସ୍ବର କେବଳ ମାମଲା ଥଣ୍ଡା ପର୍ଯ୍ୟନ୍ତ ବଳବତ୍ତର ରୁହେ। ନିର୍ଦିଷ୍ଟ ସମୟ ଗଡ଼ିଯିବା ପରେ ଯଥା ପୂର୍ବଂ ତଥା ପର ବୋଲି କହିଛନ୍ତି ୧ନମ୍ବର ମାର୍କେଟ୍‌ର ବୈଦ୍ୟୁତିକ ସାମଗ୍ରୀ ବ୍ୟବସାୟୀ ଏନ୍‌.ଏମ୍‌ ରାଓ। ଶ୍ରୀ ରାଓ ନିକଟ ଅତୀତର ଏକ ସ୍ମୃତିକୁ ମନେ ପକାଇ କହିଲେ, ଯେବେ ସ୍ବଦେଶୀ ଆନ୍ଦୋଳନ ହେଲା, ମୋ’ଠୁ ବ୍ୟାଟେରି କିଣୁଥିବା କିଛି ଲୋକ ମତେ ଆସି ପଚାରିଲେ, ମେଡ୍‌ ଇନ ଇଣ୍ଡିଆ ଜିନିଷ ହିଁ ଦିଅ। ୫-୬ଦିନ ଟିକେ ବେପାର ମାନ୍ଦା ହୋଇଯାଏ। ମାତ୍ର ପୁଣି ଚାଲେ। ଏହା ହିଁ ବାସ୍ତବତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର