ଭୁବନେଶ୍ବର: ଭାରତ ସମ୍ପର୍କରେ ମାଳଦ୍ବୀପ ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ପରେ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଏହାର ଦୃଢ଼ ବିରୋଧ କରୁଛନ୍ତି। ‌ଦେଶ ସାରା 'ବଏକଟ୍‌ ମାଳଦ୍ବୀପ' ଟ୍ରେଣ୍ଡ ଜାରି ରହିଛି। ମାଳଦ୍ବୀପକୁ ବୁଲିବାକୁ ଯୋଜନା କରିଥିବା ହଜାର ହଜାର ଭାରତୀୟ ଟିକେଟ୍‌ ବାତିଲ କରୁଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଭୁବନେଶ୍ବରରୁ ଜଣେ ବ୍ୟକ୍ତି ମାଳଦ୍ବୀପ ଯିବା ଓ ଆସିବାରେ ପ୍ରାୟ ୪୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଦମ୍ପତି ବା ଯୋଡ଼ିଙ୍କ ପାଇଁ ଲକ୍ଷେରୁ ଦେଢ଼ଲକ୍ଷ ଟଙ୍କାର ପ୍ୟାକେଜ୍‌ ଓଡ଼ିଶାରେ ଥିବା ଟ୍ରାଭେଲ୍‌ ଏଜେନ୍ସିଗୁଡ଼ିକ ପ୍ରଦାନ କରନ୍ତି। ମାଳଦ୍ବୀପରେ ଛୁଟି କାଟିବାଲାଗି ଉତ୍ତର-ପଶ୍ଚିମ ଭାରତ, ବିଶେଷକରି ମୁମ୍ବାଇରୁ ଅଧିକ ପର୍ଯ୍ୟଟକ ଯାଉଥିବାବେଳେ ସେଠାକୁ ଓଡ଼ିଶାରୁ ବେଶୀ ଲୋକ ଯାଆନ୍ତି ନାହିଁ। ତା’ ଅପେକ୍ଷା ଗୋଆ, ମରିସସ୍‌, ସିଙ୍ଗାପୁର ଓ ଥାଇଲାଣ୍ଡକୁ ଓଡ଼ିଶାରୁ ଯଥେଷ୍ଟ ଅଧିକ ଲୋକ ଯାଆନ୍ତି। ଏକଥା ସତ ଯେ ଟ୍ରାଭେଲ୍‌ ଏଜେନ୍ସିଙ୍କ ସହାୟତା ବିନା ମଧ୍ୟ ଅନେକ ଲୋକ ଯାଆନ୍ତି। କିନ୍ତୁ ଯଦି ଭୁବନେଶ୍ବରରେ ଅଫିସ୍‌ ଥିବା ଟ୍ରାଭେଲ୍‌ ଏଜେନ୍ସିଙ୍କ ଜରିଆରେ ହେଉଥିବା ବୁକିଂକୁ ହିସାବକୁ ନିଆଯିବ, ତେବେ ମାଳଦ୍ବୀପକୁ ଓଡ଼ିଶାରୁ ଗୋଟିଏ ବର୍ଷରେ ମାତ୍ର ୧୦୦ରୁ ୧୫୦ ବୁକିଂ ହୁଏ। କିନ୍ତୁ ଉପରୋକ୍ତ ଘଟଣା ପରେ ସେହି ସ୍ବଳ୍ପ ବୁକିଂ ଭିତରୁ କିଛି ବାତିଲ୍‌ ହୋଇଛି ଓ ଆଉ କିଛି ଝୁଲି ରହିଛି, ନୂଆ ବୁକିଂ ମୋଟେ ହେଉନାହିଁ।

Advertisment

‘ସ୍ବସ୍ତି ଟ୍ରଭେଲସ୍‌’ କହିବା ଅନୁସାରେ, ଗତ ଦୁଇବର୍ଷରେ ଓଡ଼ିଶାରୁ ମାଳଦ୍ବୀପକୁ ଅତିବେଶିରେ ୧୦ଟି ବୁକିଂ ମିଳିଛି। ଚଳିତ ବର୍ଷ ଆରମ୍ଭରୁ ଏଯାଏ ଗୋଟିଏ ବି ବୁକିଂ ହୋଇନାହିଁ। ଅବଶ୍ୟ ବୁକିଂ ପାଇଁ କିଛି ଲୋକ ଅନୁସନ୍ଧାନ କରିଥିଲେ, କିନ୍ତୁ ପରେ ବାତିଲ ହୋଇଗଲା। ସେହିପରି ଟ୍ରାଭେଲ୍‌ ଏଜେନ୍ସି ‘କ୍ୟାପ୍‌ଟେନ୍‌ କୁକ୍‌ ହଲିଡେ'ର ପ୍ରୀତିଶ ମହାନ୍ତି କହିଲେ, ‘‘ଗୋଟିଏ ବର୍ଷରେ ମାଳଦ୍ବୀପ ପାଇଁ ଆମ ପାଖକୁ ପ୍ରାୟ ୧୫ରୁ ୨୦ଟି ବୁକିଂ ଆସିଥାଏ। ଏବେ ୩ଟି ବୁକିଂ ଥିଲା। ଗୋଟିଏ ହନିମୁନ୍‌ ପ୍ୟାକେଜ୍‌ ମାଳଦ୍ବୀପ ବଦଳରେ ବାଲିକୁ କରାଗଲା। ଅନ୍ୟ ୨ଟି ଝୁଲି ରହିଛି।’’ ‘ଏକ୍‌ଜିକ୍ୟୁଟିଭ୍‌ ଟୁର୍‌ ଆଣ୍ଡ ଟ୍ରାଭେଲ୍‌’ରେ ସଂପୃକ୍ତ ବିଭାଗ ପରିଚାଳନା କରୁଥିବା ଅଧିକାରୀ ଜଣକ କହିଲେ, ‘‘ଆମର ମାସକୁ ପାଖାପାଖି ୫ଟି ମାଳଦ୍ବୀପ ବୁକିଂ ରହେ। କିନ୍ତୁ ଏବେ ବୁକିଂ ଆସୁନାହିଁ। ଆମେ ଆଶା କରିଥିଲୁ, ବଦଳରେ ଲାକ୍ଷାଦ୍ବୀପ ବୁକିଂ ହେବ। କିନ୍ତୁ ଲାକ୍ଷାଦ୍ବୀପକୁ ବିମାନ ସେବା କମ୍‌ ଓ ସେଠାରେ ରହିବାକୁ ଭଲ ବ୍ୟବସ୍ଥା ବି ନଥିବାରୁ ବୁକିଂ ହେଉନାହିଁ। ଲାକ୍ଷାଦ୍ବୀପରେ ଭିତ୍ତିଭୂମି ବିକାଶ ହେବା ପରେ ବୁକିଂ ଆସିବ ବୋଲି ଆମେ ଆଶାବାଦୀ ଅଛୁ।’’ ସେହିପରି ‘ଟୁର୍‌ ଏନ୍‌ ଟ୍ରାଭେଲସ୍‌’ର ସାହିଲ୍‌ ସରକାର କହିଲେ, ‘‘ପୂର୍ବରୁ ଯାହା ଗୋଟେ ଦୁଇଟି ବୁକିଂ ଆସୁଥିଲା, କିନ୍ତୁ ଏବେ ଗୋଟିଏ ବି ବୁକିଂ ଆସୁନାହିଁ।’’