ରାଜରାସ୍ତାରେ ଯୁବକଙ୍କ ସାର୍ଟ ଧରି ଘୋଷାଡ଼ିଲେ
ପାଚେରି ଡେଇଁ ପ୍ରେମିକଙ୍କ ପାଖରେ ପହଞ୍ଚିଥିଲେ
ଦୁଇ ଜଣଙ୍କୁ କ୍ୟାପିଟାଲ ଥାନାକୁ ନେଲା ପୁଲିସ
ଭୁବନେଶ୍ବର : ‘ମୋତେ ଭଲ ପାଇଲୁ। ମୋ ସହ ବୁଲିଲୁ। ଲିଭ-ଇନ୍ ରିଲେସନସିପ୍ରେ ରହିଲୁ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲୁ। ଏବେ ଧୋକା ଦଉଛୁ, ତୋତେ ଛାଡ଼ିବି ନାହିଁ।’ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଭୁବନେଶ୍ବର ଆଇଜି ପାର୍କ ନିକଟରେ ଜଣେ ଯୁବତୀ ଜଣେ ଯୁବକଙ୍କ ସାର୍ଟ କଲାର୍ ଧରି ଘୋଷାଡ଼ି ଘୋଷାଡ଼ି ଏମିତି ଗାଳିଗୁଲଜ କରି ଚାଲିଥିଲେ। ରାସ୍ତାକଡ଼ର ଏହି ଦୃଶ୍ୟ ଦେଖି ସେହି ବାଟ ଦେଇ ଯାଉଥିବା ଲୋକ ଘଡ଼ିଏ ଅଟକି ଯାଉଥିଲେ। ଫଳରେ ଧୀରେଧୀରେ ଭିଡ଼ ବଢ଼ିବାକୁ ଲାଗିଲା। ଭିଡ଼ ଯେତେ ବଢ଼ୁଥିଲା, ଯୁବତୀଙ୍କ ସ୍ବର ସେତେ ଉଚ୍ଚ ହେଉଥିଲା। କିନ୍ତୁ ଯୁବକଜଣଙ୍କ ନିମ୍ନ ସ୍ବରରେ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ, କାକୁତିମିନତି ହେଉଥିଲେ। ଦୀର୍ଘ ସମୟ ଧରି ଏପରି ଚାଲିବା ପରେ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରୁ ସେମାନଙ୍କୁ ଥାନାକୁ ନେଇ ଯାଇଥିଲା। ଖବର ପାଇ ପରିବାରଲୋକ ଥାନାରେ ପହଞ୍ଚିଥିବା ବେଳେ ଉଭୟଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବା ପୁଲିସ କହିଛି।
ସୂଚନା ଅନୁଯାୟୀ, ଯୁବତୀଙ୍କ ନାଁ ସୌମ୍ୟାଶ୍ରୀ(ଛଦ୍ମନାମ) ଓ ଘର ନୂଆଗାଁ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ନିକଟରେ। ଯୁବକ ରଞ୍ଜିତ ନାୟକଙ୍କ ଘର ରାଉରକେଲାରେ। ସୌମ୍ୟାଶ୍ରୀଙ୍କର ଜଣେ ବାନ୍ଧବୀଙ୍କ ସହ ରଞ୍ଜିତଙ୍କ ଚିହ୍ନା ପରିଚିତ। ଗତବର୍ଷ ଦଶହରା ସମୟରେ ରଞ୍ଜିତ ଭୁବନେଶ୍ବର ଆସିଥିଲେ। ସୌମ୍ୟାଶ୍ରୀଙ୍କ ବାନ୍ଧବୀଙ୍କ ସାଙ୍ଗରେ ତାଙ୍କର ଦେଖାସାକ୍ଷାତ ହୋଇଥିଲା। ସେତେବେଳେ ସୌମ୍ୟାଶ୍ରୀଙ୍କ ସହ ଚିହ୍ନା ପରିଚୟ ହୋଇଥିଲା। ଧୀରେ ଧୀରେ ବନ୍ଧୁତା ଓ ଏହି ସମ୍ପର୍କ ପ୍ରେମ ଆଡ଼କୁ ଯାଇଥିଲା। ରଞ୍ଜିତ ମଝିରେ ମଝିରେ ଭୁବନେଶ୍ବର ଆସନ୍ତି। ପ୍ରେମିକାଙ୍କ ସହ ବୁଲାବୁଲି କରନ୍ତି ଓ ହୋଟଲରେ ରୁହନ୍ତି।
ସୌମ୍ୟାଶ୍ରୀଙ୍କ ଅଭିଯୋଗ ଅନୁସାରେ, ରଞ୍ଜିତ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଅନେକଥର ଶାରୀରିକ ସମ୍ପର୍କ ରଖିଛନ୍ତି। ଏପରିକି ବିବାହ କରିବା ପାଇଁ ୫ଲକ୍ଷ ଟଙ୍କା ମାଗିଥିଲେ। ସେଥିରେ ମଧ୍ୟ ସେ ଓ ତାଙ୍କ ପରିବାରଲୋକ ରାଜି ହୋଇଥିଲେ। କିନ୍ତୁ ଗତ କିଛି ଦିନ ହେଲା ସେ ତାଙ୍କ ଫୋନ୍ ଉଠାଉ ନଥିଲେ। ଏପରିକି ବିବାହ ପାଇଁ ପରିବାରଲୋକ ରାଜି ନଥିବା କହୁଥିଲେ। ସୌମ୍ୟାଶ୍ରୀ ଗତ ମେ’ ୩୧ ତାରିଖରେ ରଞ୍ଜିତଙ୍କୁ ଖୋଜି ଖୋଜି ରାଉରକେଲାରେ ପହଞ୍ଚି ଯାଇଥିଲେ। ପାଚେରି ଡେଇଁ ତାଙ୍କ ଘରକୁ ଯାଇଥିଲେ। ରଞ୍ଜିତଙ୍କୁ ସାଙ୍ଗରେ ଧରି ଭୁବନେଶ୍ବର ଆସିଥିଲେ। ପୁଣି ଏକାଠି ବୁଲାବୁଲି କରିଥିଲେ। ଆଜି ଆଇଜି ପାର୍କ ନିକଟକୁ ସେମାନେ ଯାଇଥିଲେ। ସୌମ୍ୟାଶ୍ରୀ ବିବାହ କଥା ଉଠାଇବାରୁ ରଞ୍ଜିତ ମନା କରିଦେଇଥିଲେ। ଏଥିରେ ରାଗି ଯାଇ ସେ ରଞ୍ଜିତଙ୍କ ସାର୍ଟ ଧରି ଘୋଷାଡ଼ିବା ସହ ଗାଳିଗୁଲଜ କରିଥିଲେ। ଏପରିକି ରଞ୍ଜିତ ତାଙ୍କୁ ମାଡ଼ ମାରିଥିବା ମଧ୍ୟ ସେ ଗଣମାଧ୍ୟମ ଆଗରେ କହିଥିଲେ। ଫଳରେ ତାଙ୍କ ହାତରେ ଆଘାତ ଲାଗିଥିଲା ସେ ଦେଖାଇଥିଲେ।
ଅନ୍ୟପକ୍ଷରେ ରଞ୍ଜିତଙ୍କ କହିବା ଅନୁସାରେ, ତାଙ୍କର ଆର୍ଥିକ ସ୍ଥିତି ଭଲ ନୁହେଁ। ଚଳିବା ତାଙ୍କ ପକ୍ଷେ କଷ୍ଟକର। ଯଦି ବିବାହ କରିବେ, ତାହେଲେ ପରିବାର ଚଳାଇବା ଆହୁରି କଷ୍ଟକର ହୋଇପଡ଼ିବ। ଏଭଳି ସ୍ଥିତିରେ ସେ ଯେଉଁଠି, ଯେମିତି ସ୍ଥିତିରେ ରହିବେ, ସୌମ୍ୟାଶ୍ରୀ କ’ଣ ସେଠାରେ ନିଜକୁ ଖାପ ଖୁଆଇ ଚଳିପାରିବେ ବୋଲି କହିଥିଲେ।