ଭୁବନେଶ୍ବର: ଆଜି ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରେମିକାଙ୍କ ଘରେ ପ୍ରେମିକ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଭୁବନେଶ୍ବର ସିଆର୍ପିଏଫ୍ କ୍ୟାମ୍ପସ୍ରେ ରହୁଥିବା କେନ୍ଦ୍ରାପଡ଼ା ଅନ୍ତେଇପହିଲ ଗାଁର ପ୍ରଭୁ ମହିମା ବେହେରା। ଦୁଇ ବର୍ଷର ପ୍ରେମ ସମ୍ପର୍କ ଥିବା ସତ୍ତ୍ବେ ହଠାତ୍ କଣ ପାଇଁ ପ୍ରଭୁ ମହିମା ଏଭଳି କାଣ୍ଡ ଭିଆଇଲେ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହା ପଛରେ କୌଣସି ଷଡ୍ଯନ୍ତ୍ର ଥିବା ସନ୍ଦେହ କରି ପ୍ରଭୁ ମହିମାଙ୍କ ପରିବାର ଲୋକେ ଚନ୍ଦକା ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଚନ୍ଦକା ଥାନା ପୁଲିସ ବ୍ୟବଚ୍ଛେଦ କରାଇବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଘଟଣାର ଅଧିକ ଖୋଳତାଡ଼ କରୁଛି।
ପ୍ରଭୁ ମହିମାଙ୍କ ବାପା ଜଣେ ସିଆର୍ପିଏଫ୍ ଯବାନ। ସେ ଭୁବନେଶ୍ବର ସିଆର୍ପିଏଫ୍ କ୍ୟାମ୍ପସ୍ରେ ରହୁଛନ୍ତି। ପ୍ରଭୁ ମହିମା ଡିପ୍ଲୋମା ପାସ୍ କରି ଚାକିରି ଅନ୍ବେଷଣରେ ଥିଲେ। ଏହା ଭିତରେ ସେ ଗୋଠପାଟଣାରେ ଭଡ଼ାଘରେ ରହୁଥିବା ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ପ୍ରାୟ ୨ ବର୍ଷ ହେଲା ସେମାନେ ମିଳାମିଶା କରୁଥିଲେ ଏବଂ ସେମାନେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇସାରିଥିଲେ। ତେଣୁ ପ୍ରଭୁ ମହିମା ବହୁ ସମୟରେ ଯୁବତୀଙ୍କ ଘରକୁ ଯାଇ ରହୁଥିଲେ। ଗତକାଲି ସନ୍ଧ୍ୟାରେ ସେ ପ୍ରେମିକାଙ୍କ ଘରକୁ ଯାଇଥିଲେ ଏବଂ ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ମା’ଙ୍କୁ ଫୋନ୍ କରି ଗୋଠପାଟଣାରେ ଥିବା ଜଣାଇଥିଲେ। କିନ୍ତୁ କିଛି ସମୟ ପରେ ହଠାତ୍ ପ୍ରଭୁ ମହିମାଙ୍କ ଘରକୁ ଫୋନ୍ ଆସିଥିଲା କି ସେ ଅସୁସ୍ଥ ଏବଂ କ୍ୟାପିଟାଲ୍ ହସ୍ପିଟାଲ୍ରେ ଅଛନ୍ତି।
ପରିବାର ଲୋକେ ହସ୍ପିଟାଲ୍ରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ ଯେ ପ୍ରଭୁ ମହିମାଙ୍କ ମୃତ୍ୟୁ ହୋଇସାରିଛି। ଯୁବତୀଙ୍କ କହିବା କଥା କୌଣସି କାରଣକୁ ନେଇ ଝଗଡ଼ା ହେବାରୁ ପ୍ରଭୁ ମହିମା ତାଙ୍କୁ ବାଥ୍ରୁମ୍ରେ ବନ୍ଦ କରିଦେଲେ ଏବଂ ନିଜେ ଅନ୍ୟ ଏକ ରୁମ୍କୁ ଯାଇ କବାଟ କିଳି ଫ୍ୟାନ୍ରେ ଝୁଲିପଡ଼ିଲେ। ଯୁବତୀ ବାଥ୍ରୁମ୍ର କବାଟ ଭାଙ୍ଗି ବାହାରକୁ ଆସିବା ପରେ ପ୍ରଭୁ ମହିମାଙ୍କ ସାଙ୍ଗମାନଙ୍କୁ ଡାକିଥିଲେ। ପ୍ରଭୁଙ୍କ ୩ ସାଙ୍ଗ ପହଞ୍ଚିବା ପରେ ସେମାନେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ପ୍ରଥମେ ସମ୍ ହସ୍ପିଟାଲ୍ ଓ ପରେ କ୍ୟାପିଟାଲ୍ ହସ୍ପିଟାଲ୍କୁ ନେଇଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
ଚନ୍ଦକା ଥାନା ପୁଲିସ କହିବା କଥା ପ୍ରଭୁଙ୍କ ମୃତଦେହକୁ କିଭଳି ଉଦ୍ଧାର କରାଗଲା, ସେନେଇ ଛାନ୍ଭିନ୍ ଚାଲିଛି। ଯୁବତୀଙ୍କ ଫୋନ୍ ପାଇ ଘଟଣାସ୍ଥଳକୁ ଆସିଥିବା ପ୍ରଭୁଙ୍କ ସାଙ୍ଗମାନଙ୍କୁ ପୁଲିସ ପଚରାଉଚରା କରୁଛି। ସେହିଭଳି ଅଘଟଣ ପୂର୍ବରୁ ଯୁବତୀଙ୍କ ସହ ପ୍ରଭୁ ମହିମାଙ୍କର କଣ ପାଇଁ ଝଗଡ଼ା ହେଲା, ସେନେଇ ଯୁବତୀଙ୍କୁ ଜେରା କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ଓ ସମସ୍ତଙ୍କୁ ଜେରା କରାଯିବା ପରେ ସବୁ ସତ୍ୟ ପଦାକୁ ଆସିଯିବ ବୋଲି ପୁଲିସ କହିଛି।