ଧଉଳି : ଶୁକ୍ରବାର ଧଉଳି ପାହାଡ଼ରେ ଏକ ପ୍ରେମୀଯୁଗଳଙ୍କ ବିବାଦ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ପ୍ରେମିକ ସହ ଧଉଳି ବୁଲୁଥିବା ବେଳେ ପ୍ରେମିକା ଜଣକ ଫୋନ୍ରେ ଅନ୍ୟ ଜଣକୁ ‘ଆଇ ଲଭ୍ ୟୁ’ କହିବାରୁ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ରାଗି ଯାଇ ପ୍ରେମିକ ଯୁବତୀଙ୍କୁ ଏକ ଥାପଡ଼ ମାରିବା ସହ ପାହାଡ଼ରେ ତାଙ୍କୁ ଏକାକୀ ଛାଡ଼ି ପଳାଇଥିଲା। ପରେ ଟୁରିଷ୍ଟ ପୁଲିସ ପାହାଡ଼ରୁ କାନ୍ଦୁଥିବା ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରିଥିଲା ଓ ଫୋନ୍ କରି ଯୁବକଙ୍କୁ ଡାକିଥିଲା। ପୁଲିସ ହସ୍ତକ୍ଷେପ କରିବା ପରେ ଯୁବକଜଣକ ଫେରି ଆସି ଯୁବତୀଙ୍କୁ ସାଙ୍ଗରେ ନେଇଥିଲା।
ସୂଚନାନୁସାରେ ପ୍ରେମୀଯୁଗଳଙ୍କ ଘର ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଅଞ୍ଚଳରେ। ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ବେଳେ ସେମାନେ ଏକ ଅଟୋ ଯୋଗେ ଧଉଳିଗିରି ବୁଲିବାକୁ ଆସିଥିଲେ। ଶାନ୍ତିପାର୍କ ଏବଂ ହାତୀଗୁମ୍ଫା ବୁଲାବୁଲି କଲେ। ସେଲ୍ଫି ଉଠାଇଲେ। ସେତିକିବେଳେ ପ୍ରେମିକା ମୋବାଇଲ୍ ଫୋନ୍କୁ ଏକ କଲ୍ ଆସିବାରୁ ସେ କିଛି ଦୂରକୁ ଚିମିରି ଗୁମ୍ଫା ପାର୍ଶ୍ବକୁ ଯାଇ କଥାହେଲେ। ସନ୍ଦେହ ହେବାରୁ ପ୍ରେମିକ କାନ ଡେରି ତାଙ୍କ କଥା ଶୁଣିଲେ। ଯୁବତୀ ଜଣକ ‘ଆଇ ଲଭ୍ ୟୁ’ କହିବା ପ୍ରେମିକ କାନରେ ପଡ଼ିଗଲା। ଏଥିରେ ପ୍ରେମିକର ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ରାଗରେ ସେ ପ୍ରେମିକାଙ୍କ ଗାଲକୁ ଏକ ଶକ୍ତ ଚଟକଣି ବସାଇଥିଲା ଓ ଅଭିମାନ କରି ଅଟୋ ନେଇ ସେଠାରୁ ପଳାଇଥିଲା।