ଥାନାରେ ପ୍ରେମିକର ଉନ୍ମତ୍ତକାଣ୍ଡ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ

ନାବାଳିକା ପ୍ରେମିକାକୁ ଫେରାଇ ଆଣିବାକୁ ଜିଦ୍‌, କାବୁ କଲା ପୁଲିସ

ଭୁବନେଶ୍ବର : ଜଣେ ନାବାଳିକା ପ୍ରେମରେ ପାଗଳ ପ୍ରାୟ ହୋଇ ଜଣେ ଯୁବକ ଥାନାରେ ଉନ୍ମତ୍ତକାଣ୍ଡ ଘଟାଇଛି। ନାବାଳିକାକୁ ତାଙ୍କ ପରିବାର ଲୋକ କେଉଁଆଡ଼େ ନେଇ ଯାଇଥିବାରୁ ଫେରାଇ ଆଣିବାକୁ ଜିଦ୍ ଧରି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ଯୁବକଙ୍କୁ କାବୁ କରିଛି ନୟାପଲ୍ଲୀ ଥାନା ପୁଲିସ। ଯୁବକ ଜଣକ ଅଳ୍ପକେ ରକ୍ଷା ପାଇ ଯାଇଛି ସତ; କିନ୍ତୁ ଆଇନ ଜାଲରୁ ବର୍ତ୍ତି ପାରି ନାହିଁ। ପୁଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲା ନୟାପଲ୍ଲୀ ଗଣପତିନଗର ବସ୍ତିର ଅଜୟ ଦୋରା(୨୦)। ଅଜୟର ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ।

ପୁଲିସ ସୂଚନା ଅନୁସାରେ, ଅଜୟ ରହୁଥିବା ଗଣପତିନଗର ଅଞ୍ଚଳରେ ଜଣେ ନାବାଳିକା ରହେ। କିଛିମାସ ତଳେ ଅଜୟ ସହ ନାବାଳିକାର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ଦୁଇ ମାସ ହେଲା ନାବାଳିକାର ପରିବାର ଲୋକ ଏ କଥା ଜାଣିବା ପରେ ଝିଅକୁ ଦୂରେଇ ରଖିଥିଲେ। ଗତକାଲି ସନ୍ଧ୍ୟା ସାଢ଼େ ୭ଟାରେ ଅଜୟ ନୟାପଲ୍ଲୀ ଥାନାରେ ପହଞ୍ଚି ତା’ ପ୍ରେମିକାକୁ ପରିବାର ଲୋକ ରାଜସ୍ଥାନ ନେଇ ପଳାଇଥିବା କହିଥିଲା। ଯେମିତି ହେଉ ପ୍ରେମିକାକୁ ଫେରାଇ ଆଣିବା ପାଇଁ ପୁଲିସକୁ ନେହୁରା ହୋଇଥିଲା। କିନ୍ତୁ ନାବାଳିକା କିମ୍ବା ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଇବା ଆଇନ ବିରୁଦ୍ଧ ବୋଲି ପୁଲିସ କହିବାରୁ ଅଜୟ ଥାନାରୁ ପଳାଇ ଯାଇଥିଲା। କିଛି ସମୟ ପରେ ଏକ ବୋତଲରେ ପେଟ୍ରୋଲ ଧରି ସେ ଥାନାକୁ ଫେରିଥିଲା ଏବଂ ଗୋଟିଏ ହାତରେ ପେଟ୍ରୋଲ ନିଜ ଦେହରେ ଢାଳିବା ସହ ଅନ୍ୟ ହାତରେ ଧରିଥିବା ଦିଆସିଲି ବାହାର କରି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା। ସେତିକିବେଳେ ସେଠାରେ ଉପସ୍ଥିତ ଥିବା ପୁଲିସ ଏଏସ୍ଆଇ ସୁଧାକର ପାତ୍ର ଓ ଅନ୍ୟ କର୍ମଚାରୀ ତା’କୁ ମାଡ଼ି ବସିଥିଲେ। ଅଜୟ ପୁଲିସକୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ନୟାପଲ୍ଲୀ ଥାନା ପୁଲିସ ଆଇପିସି ଦଫା ୩୪୧,୨୯୪,୩୫୩,୩୦୯ରେ ମାମଲା ରୁଜୁ କରିଛି। ଅଜୟଠାରୁ ପେଟ୍ରୋଲ ବୋତଲ, ଦିଆସିଲି ଓ ପେଟ୍ରୋଲ ଢଳା ଯାଇଥିବା ସାର୍ଟ ଜବତ କରିଛି।

ବର୍ଷକ ତଳେ ଦେହରେ ନିଆଁ ଲଗାଇଥିଲେ ମହିଳା
ବର୍ଷକ ତଳେ ନୟାପଲ୍ଲୀ ଥାନାରେ ସମାନ ଘଟଣା ଘଟିଥିଲା। ୨୦୨୦ ମାର୍ଚ୍ଚ ୧୦ ତାରିଖରେ ଜଣେ ମହିଳା ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ। ପୋଡ଼ିଯାଇ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ରାଜଧାନୀରେ ବେଶ୍ ଆଲୋଡ଼ନ ସୃଷ୍ଟି ହୋଇଥିଲା। ସ୍ବାମୀଙ୍କଠାରୁ ଅଲଗା ହୋଇ ସାଲିଆସାହିରେ ନିଜ ବାପାମାଙ୍କ ସହ ରହୁଥିଲେ ମହିଳା। ଏକ ହୋଟେଲରେ କାମ କରୁଥିବା ବେଳେ ଜଣେ ସୁରକ୍ଷାକର୍ମୀ ଜିତେନ୍ଦ୍ର କୁମାର ପ୍ରଧାନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ଜିତେନ୍ଦ୍ର ପୂର୍ବରୁ ବିବାହିତ ଓ ତାଙ୍କର ପିଲା ଥିବା ଜଣା ପଡ଼ିଥିଲା। ଜିତେନ୍ଦ୍ର ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ସେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ମହିଳା ଜଣଙ୍କ ଥାନାରେ ନିଜ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ପୁଲିସ ଜିତେନ୍ଦ୍ରକୁ ଗିରଫ କରିଥିଲା।

ଥାନାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ନାବାଳିକା
ଭୁବନେଶ୍ବର : ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଜଣେ ନାବାଳିକା ୧୨ ଦିନ ତଳେ ବାଲିପାଟଣା ଥାନାରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ନାବାଳିକାଙ୍କ ସହ ଜଣେ ଯୁବକଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ସେ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଆଣିଥିଲେ। ଯୁବକ ମଧ୍ୟ ନାବାଳିକାଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ଗତ ଫେବ୍ରୁଆରି ୨୮ ତାରିଖରେ ନାବାଳିକା ଥାନାକୁ ଯାଇ ନ୍ୟାୟ ମାଗିବା ସହ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ଏହି ଘଟଣା ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧିତ ଖବର