ଇ-ବିପାସ୍‌ ପ୍ରହସନ : ନାଁକୁ ଅନଲାଇନ୍, ସବୁ ଅଫଲାଇନ୍

ତିନି ଦିନ କହୁଥିଲେ, ତିନି ମାସରେ ମିଳୁନି, ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ସଂସ୍ଥା ଫେଲ୍‌ ମାରିଥିଲା, ହନିୱେଲ୍‌ ବି ଫେଲ୍‌

ଭୁବନେଶ୍ବର : ବିଏମ୍‌ସି କି ବିଡିଏ ଅଧୀନରେ ଯେଉଁମାନେ ଘର ନିର୍ମାଣ କରିବାକୁ ଚାହିଁବେ ସେମାନଙ୍କୁ ଆଉ ପ୍ଲାନ୍ ଅନୁମୋଦନ କରିବାକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି। ଅନଲାଇନ୍‌ରେ ପ୍ଲାନ୍ ଆବେଦନ କଲେ, ସବୁ ଡକୁମେଣ୍ଟ ଠିକ୍‌ ଥିଲେ ତିନି ଦିନରେ ପ୍ଲାନ୍‌ ଅନୁମୋଦନ ହୋଇଯିବ। ଏହିଭଳି ବ୍ୟବସ୍ଥା ଡିସେମ୍ବର ୧୮, ୨୦୧୮ରେ ଆରମ୍ଭ ହୋଇଥିଲା। ଏହାର ବର୍ଷକ ପରେ ଜଣାପଡ଼ୁଛି ଯେ, ଲୋକ ତିନି ଦିନରେ ତ ପ୍ଲାନ୍ ପାଇଲେନି। ତିନି ମାସ ପରେ ବି ପ୍ଲାନ୍ କେବେ ଅନୁମୋଦନ ହେବ ଜାଣିନାହାନ୍ତି।

ବିଏମ୍‌ସି ଓ ବିଡିଏ ଅନଲାଇନ୍‌ରେ ପ୍ଲାନ୍ ଅନୁମୋଦନ କରିବେ ବୋଲି ଦୀର୍ଘ ଅଢେଇ ବର୍ଷ ହେଲା ଯୋଜନା ହେଲାଣି। ହେଲେ ମାତ୍ର ହାତଗଣତି କିଛି ଲୋକ ଏହାଦ୍ବାରା ଉପକୃତ ହୋଇଛନ୍ତି। କିଛି ହାତଗଣତି ଅଧିକାରୀ ମନଇଚ୍ଛା ଘରୋଇ ସଂସ୍ଥାଙ୍କୁ ନିୟୋଜିତ କରିଦେଉଥିବାବେଳେ ଉକ୍ତ ସଂସ୍ଥାଗୁଡ଼ିକର ଅପାରଗତା ଯୋଗୁ ଏବେ ରାଜଧାନୀରେ ଘର କରିବା ଲୋକଙ୍କ ପାଇଁ ସାତସପନ ପାଲଟି ଯାଉଛି। ଫଳରେ ବର୍ଷକ ମଧ୍ୟରେ ୪୨୦ଜଣ ଅନଲାଇନ୍‌ରେ ପ୍ଲାନ୍ ଆବେଦନ କରିଥିଲେ ହେଁ ଏବେ ସୁଦ୍ଧା ମାତ୍ର ୧୩୪ଜଣଙ୍କ ଆବେଦନ ଉପରେ ନିଷ୍ପତ୍ତି ହୋଇପାରିଛି। ଏଥିରୁ ୧୩୧ଜଣଙ୍କ ପ୍ଲାନ୍ ଅନୁମୋଦନ ହୋଇଥିବାବେଳେ ୩ଜଣଙ୍କ ପ୍ଲାନ୍ ରଦ୍ଦ ହୋଇଛି। ୧୨୪ଜଣଙ୍କ ପ୍ଲାନ୍ ଏବେ ବିଚାରାଧୀନ ଅଛି।

ବର୍ଷକରେ ମାତ୍ର ୧୩୧ଜଣଙ୍କୁ ଅନଲାଇନ୍‌ରେ ପ୍ଲାନ୍ ଅନୁମୋଦନ ହେବା ‌ନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ସିନା ଅନଲାଇନ୍‌ରେ ପ୍ଲାନ୍ ଗ୍ରହଣ କରୁଛୁ। ହେଲେ ସବୁ କାମ ଅଫଲାଇନ୍‌ରେ ହେଉଛି। ପ୍ଲାନ୍‌ ଯାଞ୍ଚ ଠାରୁ ଆରମ୍ଭ କରି ଡ୍ରଇଁ ଯାଞ୍ଚ ଭଳି କାମ ବି ଅଫଲାଇନ୍ ମୋଡରେ ହେଉଛି। ତେଣୁ ଅଧିକ ସମୟ ଲାଗୁଛି। କେବଳ ଏତିକି ନୁହେଁ ଅନଲାଇନ୍ ପ୍ଲାନ୍ ଅନୁମୋଦନ କରିବା ପାଇଁ ବିଡିଏର ଆବଶ୍ୟକୀୟ କର୍ମଚାରୀ ନାହାନ୍ତି। ଯେତିକି କର୍ମଚାରୀ ଅଛନ୍ତି ସେମାନଙ୍କୁ ଅଫଲାଇନ୍‌ରେ ଆସୁଥିବା ପ୍ଲାନ୍ ବି ଦେଖିବାକୁ ପଡ଼ୁଛି। ଏହାସହ ସର୍ବକ୍ଷମାରେ ଯେଉଁମାନେ ଆବେଦନ କରୁଛନ୍ତି ସେମାନଙ୍କ ଆବେଦନକୁ ଯାଞ୍ଚ୍‌ କରିବାକୁ ପଡ଼ୁଛି।

ସବୁଠୁ ବଡ଼ ସମସ୍ୟା ହେଲା ବିଭିନ୍ନ ବିଭାଗରୁ ଏନ୍ଓସି ଅନଲାଇନ୍‌ରେ ଆସିବାକୁ ନିୟମ ହୋଇଥିଲେ ହେଁ ଏହା ହୋଇପାରୁନି। ଫଳରେ ବିଭିନ୍ନ ବିଭାଗ ଅଫଲାଇନ୍‌ରେ ଏନ୍ଓସି ଦେଉଛନ୍ତି। କେତେକ ବିଭାଗ ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ଏନ୍‌ଓସି ଦେଉଥିବାରୁ ଲୋକଙ୍କ ପ୍ଲାନ୍ ଅନୁମୋଦନରେ ବିଳମ୍ବ ହେଉଛି।

ସୂଚନାଯୋଗ୍ୟ ଯେ, ଅଢେଇ ବର୍ଷ ତଳେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ନିଜ ତରଫରୁ ଆଗ୍ରହ ଦେଖାଇ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ନାମକ ଏକ ସଂସ୍ଥାକୁ ଅନଲାଇନ୍‌ରେ ପ୍ଲାନ୍ ମଞ୍ଜୁର ଦାୟିତ୍ବ ଦେଇଥିଲେ। ଏହି ସଂସ୍ଥା ପ୍ରାୟ ବର୍ଷେ କାଳ ପ୍ଲାନ୍‌ଗୁଡ଼ିକୁ ପକାଇ ରଖିଥିଲେ ହେଁ କିଛି କରିପାରିଲାନି। ଏପରିକି ସଫ୍‌ଟୱେୟାର ଡେଭଲପ୍ କରିବାକୁ ମାସାଧିକ ସମୟ ନେଇଥିଲେ ବି କିଛି ଉନ୍ନତି ହେଲାନି। ପରେ ବିଡିଏ ପକ୍ଷରୁ ଅନଲାଇନ୍ ଆବେଦନ ବନ୍ଦ କରି ଅଫଲାଇନ୍‌ରେ ଆବେଦନ ସଂଗ୍ରହ କରାଗଲା। ଆଉ ୮ମାସ କେବଳ ଅଫଲାଇନ୍‌ରେ ପ୍ଲାନ୍ ଆବେଦନ ଓ ଅନୁମୋଦନ ଚାଲିବା ପରେ ଡିସେମ୍ବର ୧୮, ୨୦୧୮ରେ ଇ-ବିପାସ୍‌ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହାକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ କାମ ନେଇଥିବା ‘ହନିୱେଲ୍‌’ ସଂସ୍ଥାକୁ ଦିଆଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ରାଜଧାନୀରେ ସ୍ମାର୍ଟ ସଲ୍ୟୁସନ୍ ଯୋଗାଇବାରେ ବିଫଳ ହୋଇଥିବା ହନିୱେଲ୍‌ ବି ଇ-ବିପାସ୍‌ କରିବାରେ ‌ବି ଫେଲ୍‌ ମାରିଲା।

ସୂଚନା‌ଯୋଗ୍ୟ ଯେ ଇ-ବିପାସ୍‌ ବ୍ୟବସ୍ଥାରେ ଗୃହ ନିର୍ମାଣ କରିବାକୁ ଥିବା ଜଣେ ବ୍ୟକ୍ତି/ସଂସ୍ଥା ପ୍ରଥମେ ନାମ ପଞ୍ଜୀକରଣ କରି ଲଗ୍‌ ଇନ୍ ଆଇଡି ଓ ପାସ୍‌ୱାର୍ଡ ସଂଗ୍ରହ କରୁଛନ୍ତି। ଏ‌ହାପରେ ନିଜର ସମସ୍ତ ସୂଚନା ଓ ଜମିର ସୂଚନା ଦେ‌ଉଛନ୍ତି। ସେ କେଉଁ ଆର୍କିଟେକ୍ଟଙ୍କ ମାଧ୍ୟମରେ ପ୍ଲାନ୍ ଆବେଦନ କରିବେ, ତାଙ୍କ ସୂଚନା ‌ଦେଉଛନ୍ତି। ଏହାପରେ ଉକ୍ତ ଆର୍କିଟେକ୍ଟଙ୍କୁ ମେସେଜ୍ ମାଧ୍ୟମରେ ଜଣାଇ ଦିଆଯାଉଛି। ଆର୍କିଟେକ୍ଟ ପ୍ଲାନ୍ ଆବେଦନ କରୁଛନ୍ତି। କିନ୍ତୁ ବିଡିଏ/ବିଏମ୍‌ସି ପକ୍ଷରୁ ସମସ୍ତ ସୂଚନା ହିତାଧିକାରୀଙ୍କୁ ମୋବାଇଲ୍‌ ମେସେଜ୍ ଓ ଇମେଲ୍‌ ମାଧ୍ୟମରେ ଜଣାଇ ଦିଆଯାଉଛି। ଏହାପରେ ଏହି ପ୍ଲାନ୍ ପାଇଁ କ୍ଷେତ୍ର ପରିଦର୍ଶନ କରିବାକୁ କେଉଁ ଅମିନ ଯିବେ ତାଙ୍କ ମୋବାଇଲ୍‌ରେ ମେସେଜ୍ ଚାଲିଯାଉଛି। ଅମିନମାନେ କ୍ଷେତ୍ର ପରିଦର୍ଶନ କରି ଅନଲାଇନ୍‌ରେ ସବୁ ଯାଞ୍ଚ୍‌ କରିବାକୁ କୁହାଯାଇଥିଲା। ହେଲେ ତାହା ହେଉନି। ଏହାପରେ ବିଡିଏ/ବିଏମ୍‌ସି ଅଧିକାରୀ ଅନଲାଇନ୍‌ରେ ଅନୁ‌େମାଦନ କରିବାର ଥିଲା। କିନ୍ତୁ ଅମିନଙ୍କ ଯାଞ୍ଚ ଓ ବିଡିଏ ଅଧିକାରୀଙ୍କ ଯାଞ୍ଚ ଏବେ ବି ଅଫଲାଇନ୍‌ରେ ହେଉଛି। ଯଦି କୌଣସି ବଡ଼ ପ୍ରକଳ୍ପ ପାଇଁ ପ୍ଲାନ୍ ଆବେଦନ ଆସୁଛି , ତେବେ ଦୁଇ ସପ୍ତାହ ମଧ୍ୟରେ ପ୍ଲାନ୍ ଅନୁମୋଦନ ହେବା କଥା। ଏଥିପାଇଁ ଆବଶ୍ୟକୀୟ ଏନ୍‌ଓସି ସଂପୃକ୍ତ ସଂସ୍ଥାଗୁଡ଼ିକୁ ଅନଲାଇନ୍ ମାଧ୍ୟମରେ ପଠାଇ ଦିଆଯାଉଛି। ହେଲେ ଏନ୍ଓସି ଅଫଲାଇନ୍‌ରେ ଆସୁଥିବାରୁ ସବୁ କାମ ବିଳମ୍ବ ହୋଇଯାଉଛି।

ସମ୍ବନ୍ଧିତ ଖବର