ଚନ୍ଦ୍ରଶେଖରପୁର: ବରମୁଣ୍ଡା ଅଞ୍ଚଳର ୩୦ ବର୍ଷୀୟ ବ୍ରହ୍ମାନନ୍ଦ ଗିରି। କିଛି ଦିନ ପୂର୍ବରୁ ବାଇକ୍ରେ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ମୁହଁ, ଛାତି ଓ ମୁତ୍ରାଶୟରେ ଆଘାତ ଲାଗିଥିଲା। ସୌଭାଗ୍ୟବଶତଃ ସେ ମୁଣ୍ଡରେ ହେଲମେଟ୍ ପିନ୍ଧିଥିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଦୁର୍ଘଟଣାରେ ତାଙ୍କ ମୁହଁ ଦଳି ହୋଇଯାଇଥିବା ବେଳେ ନାକ, ଓଠ, ଉପର ଓ ତଳ ଥୋଡ଼ି ନଷ୍ଟ ହୋଇଥିଲା। ହସ୍ପିଟାଲ ଅଣାଯିବା ସମୟରେ ତାଙ୍କ ମୁହଁ ଓ ଖପୁରୀର ତଳ ଭାଗରୁ ଗଭୀର ରକ୍ତସ୍ରାବ ହୋଇଥିଲା। ଫଳରେ ରକ୍ତଚାପ କମିଯିବା ସହ ତାକୁ ରେକର୍ଡ କରିବା ସମ୍ଭବପର ନଥିଲା। ବି.ଆର୍. ଲାଇଫ୍ କଳିଙ୍ଗ ହସ୍ପିଟାଲର ଜରୁରୀକାଳୀନ ବିଭାଗର ଡାକ୍ତରଙ୍କ ସହ ଆନାସ୍ଥେସିଓଲୋଜିଷ୍ଟ ଡାକ୍ତର ପଙ୍କଜ ରାଉତ ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଅଧିକ ରକ୍ତସ୍ରାବ କାରଣରୁ ବ୍ରହ୍ମାନନ୍ଦଙ୍କୁ ୬ଘଣ୍ଟା ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରଖାଯାଇଥିଲା। ଅବସ୍ଥା ସ୍ଥିର ହେବା ପରେ ତାଙ୍କୁ ହସ୍ପିଟାଲର ପ୍ଳାଷ୍ଟିକ୍ ଓ କସମେଟିକ୍ ସର୍ଜରି ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ଅକ୍ଷୟ ରାଉତଙ୍କ ପାଖକୁ ମୁହଁରେ ସୁଧାରାତ୍ମକ ସର୍ଜରି ପାଇଁ ପଠା ଯାଇଥିଲା। ଏବେ ସେ ସୁସ୍ଥ ଥିବା ବେଳେ ସଫଳ ଅସ୍ତ୍ରୋପ୍ରଚାର ହୋଇପାରିଛି।
ଡା. ଅକ୍ଷୟ ରାଉତଙ୍କ କହିବାନୁଯାୟୀ, ଶ୍ରୀ ଗିରିଙ୍କୁ ଆମ ପାଖକୁ ଅଣାଯିବା ସମୟରେ ଅବସ୍ଥା ସଙ୍ଗିନ୍ ରହିଥିଲା। ମୁହଁ ଓ ନାକର ହାଡ଼ ନଷ୍ଟ ହୋଇଯାଇଥିଲା। ନାକକୁ ଧୋଇ ସଫା କରିବା ପ୍ରକ୍ରିୟାରେ ହାଡ଼ ସବୁ ସଫା ହୋଇଯାଇଥିଲା। ତାଙ୍କ ଶରୀରରୁ ରକ୍ତ କମି ଯାଇଥିବାରୁ ରକ୍ତ କିଭଳି ବଢ଼ିପାରିବ, ସେ ଦିଗରେ ପଦକ୍ଷେପ ନେଇଥିଲୁ। ରକ୍ତଦାନ ପରେ ତାଙ୍କ ଅବସ୍ଥା ସ୍ଥିର ହୋଇଥିଲା। ତା’ ପରେ ଆମେ ଅନ୍ତିମ ସର୍ଜରି ଆରମ୍ଭ କରିଥିଲୁ। ଏହି ସର୍ଜରି ଦ୍ବାରା ଲୋକାଲ୍ ଫ୍ଲାପ୍ ଟିସୁ ବ୍ୟବହାର କରି ତାଙ୍କ ନାକ ପୁନଃଗଠନ କରିଥିଲୁ। ଓଠ ଓ ଉଭୟ ଥୋଡ଼ିକୁ ସୁଧାରିଥିଲୁ। ପିଆରଏସ୍ ଗବେଷଣା ରିପୋର୍ଟ ଅନୁଯାୟୀ, ୨୦୧୫ରେ ଦେଶରେ ୫ଲକ୍ଷ ସଡ଼କ ଦୁର୍ଘଟଣା ହୋଇଥିଲା, ଯେଉଁଥିରେ ୧.୫ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ୫ଲକ୍ଷରୁ ଅଧିକ ଆହତ ହୋଇଥିଲେ। ଦ୍ରୁତ ବାଇକ୍ ଚଳନା ଯୋଗୁଁ ଅଧିକ ଦୁର୍ଘଟଣା ହେଉଛି। ଏଥିସହ ଉପଯୁକ୍ତ ସଡ଼କ ଭିତ୍ତିଭୂମିର ଅଭାବ ଓ ଯାନବାହନର ଖରାପ ଅବସ୍ଥା ମଧ୍ୟ ସଡ଼କ ଦୁର୍ଘଟଣା ଜନିତ ଜୀବନହାନିର ଆଉ ଏକ କାରଣ। ତେଣୁ ସଡ଼କରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/fhfhsfh5sfh789sf74h56sfh56sf4h56s4h56s4hsdhsssssssssssss.jpg)