ଭୁବନେଶ୍ବର: ଏଡ୍‌ସ ମଣିଷକୁ ମାରିଦିଏ ନାହିଁ। ବରଂ ସାମାଜିକ ଲାଞ୍ଛନା ଏଡ୍‌ସ ଆକ୍ରାନ୍ତଙ୍କୁ ବଞ୍ଚି ଥାଉ ଥାଉ ମାରିଦିଏ। ଏଡ୍‌ସ ଆକ୍ରାନ୍ତଙ୍କୁ ଛୁଇଁଲେ, ତାଙ୍କ ସହ ଏକାଠି ଖାଇଲେ, ବସିଲେ, ଗପସପ କଲେ ଏହା ବ୍ୟାପେ ନାହିଁ। ତଥାପି ଏଡ୍‌ସ ଆକ୍ରାନ୍ତ ବ୍ୟକ୍ତିଟିଏ ସାମ୍ନାରେ ଥିବା ଜାଣି ପାରିଲେ ଅନେକ ବ୍ୟକ୍ତି ପାଦ ପଛକୁ ଫେରେଇ ନିଅନ୍ତି। କଥାବାର୍ତା କରିବାକୁ ମନ ବଳାନ୍ତି ନାହିଁ। ଏହି ବିଡ଼ମ୍ବନାକୁ ରୋକିବାକୁ ହେବ। ଗୋଷ୍ଠୀ ବା ବିଭିନ୍ନ ଅନୁଷ୍ଠାନ ଓ ଲୋକଙ୍କୁ ସାମିଲ୍‌ କରି ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ହେବ। ‘ବି.ଆର୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲ୍‌’ ଓ ‘ସମ୍ବାଦ’ ପକ୍ଷରୁ ବିଶ୍ବ ଏଡ୍‌ସ ଦିବସ ପରିପ୍ରେକ୍ଷୀରେ ଏସ୍‌ପ୍ଲାନେଡ୍‌ରେ ଆୟୋଜିତ ‘ଏଡ୍‌ସକୁ ନା’ କାର୍ଯ୍ୟକ୍ରମରେ ଅତିଥିମାନେ ଏହି ଆହ୍ବାନ ଦେଇଛନ୍ତି। କଳିଙ୍ଗ ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିନ୍‌ଟେଣ୍ଡେଣ୍ଟ୍‌ ଡାକ୍ତର ମଞ୍ଜିଦର ସିଂ ଭଟ୍ଟି କହିଲେ, ସାମାଜିକ ଭେଦଭାବ ଭୟଙ୍କର ରୂପ ନେଲାଣି। ତେଣୁ ଏଡ୍‌ସରୁ ଦୂରେଇ ରହିବା ପାଇଁ ସତର୍କ ରହିବା ସହ ସମସ୍ତେ ମିଳିତ ଭାବେ ସଚେତନତାର ସ୍ବରକୁ ଶାଣିତ କରିବାକୁ ପଡ଼ିବ।

Advertisment

ସର୍ବଭାରତୀୟ ଘରୋଇ ସ୍କୁଲ୍‌ ଓ ଛାତ୍ର ମଙ୍ଗଳ ସଂଘର ସାଧାରଣ ସମ୍ପାଦିକା ଚିଦାତ୍ମିକା ଖଟୁଆ କହିଲେ, କେହି ବି ଜାଣି ଜାଣି ଏଡ୍‌ସର ଶିକାର ହୁଏ ନାହିଁ। ତେଣୁ ସେମାନଙ୍କୁ ଅଛୁଆଁ ବୋଲି ଭାବୁଥିବା ଲୋକେ ପ୍ରଥମେ ଏପରି ଭ୍ରାନ୍ତ ଧାରଣାରୁ ଦୂରେଇ ରହିବା ଉଚିତ୍‌। ଆମେ ସେମାନଙ୍କୁ ସାଧାରଣ ମଣିଷ ଭଳି ଭାବିବା ଓ ସେମାନଙ୍କ ସହ ଖୁସି ଓ ଭଲପାଇବା ବାଣ୍ଟିବା। ଏଲ୍‌ଜିବିଟିର ସାଧନା ମିଶ୍ର କହିଲେ, ଗୋଷ୍ଠୀ ଭାଗୀଦାରିତା ଓ ସଚେତନତା ଦ୍ବାରା ଏଡ୍‌ସ ଆକ୍ରାନ୍ତଙ୍କ ପ୍ରତି ଥିବା ଭ୍ରାନ୍ତ ଭାବନା ଦୂର ହୋଇପାରିବ। ଏଥିସହ ସୋସିଆଲ୍‌ ମିଡିଆରେ ଏ ସଂକ୍ରାନ୍ତରେ ବ୍ୟାପକ ପ୍ରଚାର ପ୍ରସାର କରିବା ମଧ୍ୟ ଯୁବପିଢ଼ିଙ୍କ ଦାୟିତ୍ବ ବୋଲି ସେ କହିଛନ୍ତି। ଏସ୍‌ପ୍ଲାନେଡ୍‌ର ପ୍ରବନ୍ଧକ ଶ୍ୟାମା ଝା କହି‌ଲେ, କୌଣସି ରୋଗ ସମ୍ବନ୍ଧରେ ଯେତେ ସଚେତନତା ସୃଷ୍ଟି ହେବ ଏବଂ ଆଲୋଚନା ହେବ ସମାଧାନର ରାସ୍ତା ସେତେ ପ୍ରଶସ୍ତ ହେବ।publive-image

କଳିଙ୍ଗ ହସ୍ପିଟାଲ୍‌ର ଡାକ୍ତର ବିଶ୍ବଜିତ ନନ୍ଦ କହିଲେ, ଏଡ୍‌ସ ଏକ ଭୂତାଣୁ ଜନିତ ରୋଗ। ତେଣୁ ସଂକ୍ରମଣକୁ ରୋକିବା ଓ ତାକୁ ନ ଡରି ତାହାର ମୁକାବିଲା କରିବା ଉଚିତ। ଡାକ୍ତର ବିଶ୍ବବିକାଶ ମହାନ୍ତି କହିଲେ, ଏଡ୍‌ସର ଚିକିତ୍ସା ସମ୍ଭବ। ଏଡ୍‌ସ ଆକ୍ରାନ୍ତ ରୋଗୀ ମେଡିସିନ୍‌ ଖାଇ ସାଧାରଣ ଜୀବନଯାପନ କରିପାରି‌ବେ। ତଥାପି ଏହା ନ ବ୍ୟାପିବା ପାଇଁ କେତେକ ଦିଗ ପ୍ରତି ନିଶ୍ଚିତ ‌ଧ୍ୟାନ ଦେବା ଉଚିତ। ଡାକ୍ତର ଶୁଭାଶିଷ ଜାମୁଡା କହିଲେ, ଏଡ୍‌ସ ଆକ୍ରାନ୍ତଙ୍କ ସହ ଅସୁରକ୍ଷିତ ଯୌନ ସମ୍ପର୍କ ଯେ ଏଡ୍‌ସ ସଂକ୍ରମଣର ପ୍ରମୁଖ କାରଣ, ତ‌ାହା ମୁହଁ ଖୋଲି କେହି ବୁଝାଇବାକୁ ନାରାଜ। ତେଣୁ ଏ ବାବଦରେ ଖୋଲା ଆଲୋଚନା ସହ, ସାମାଜିକ ଭେଦଭାବ ମନରୁ ଦୂର କରି ଏଡ୍‌ସ ଆକ୍ରାନ୍ତଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବାରଣ ସୃଷ୍ଟି କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଇଣ୍ଡଲ୍‌ଗ ଦି ସେଲୁନ୍‌ର ପରିଚାଳନା ନିର୍ଦେଶିକା ସୁକୀର୍ତି ପଟ୍ଟନାୟକ କହିଲେ, ଏଡ୍‌ସ ଆକ୍ରାନ୍ତଙ୍କ ପାଇଁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବାରଣ ସୃଷ୍ଟି କରିବା ସହ ସମସ୍ତେ ମିଳିତ ଭାବେ ଏଡ୍‌ସ ହଟାଇବାକୁ ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିବା ଉଚିତ। ‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଲେ, ଏଡ୍‌ସ ସମ୍ବନ୍ଧରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ସ୍ତରରେ ଅଭିନବ କାର୍ଯ୍ୟକ୍ରମ କରାଯାଉଛି। ‘ଏଡ୍‌ସକୁ ନା’ ମଧ୍ୟ ଏହି ଅଭିଯାନର ଏକ ଅଂଶବିଶେଷ। ଏଥିସହ କୁନିକୁନି ପ୍ରତିଭାଙ୍କୁ ମଞ୍ଚ ଯୋଗାଇ ଦେଇ ସେମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ କରିବା ମଧ୍ୟ ‘ସମ୍ବାଦ’ର ଲକ୍ଷ୍ୟ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ବଣିକ ଗ୍ରୁପ୍‌, ଇଣ୍ଡଲ୍‌ଗ ଦି ସେଲୁନ୍‌, ଓଡ଼ିଶା କସ୍‌ମେଟିକ୍‌ ସର୍ଜରି କ୍ଲିନିକ୍‌, ଟର୍କ୍ୟୁ କ୍ଲାସେସ୍‌, ଆପ୍ଟି ପ୍ଲସ୍‌ ଏକାଡେମି, ୱିଫି ଇଣ୍ଟରନେଟ୍‌, କୁବେର ଅପ୍ଟିକାଲ୍‌, ଲାଇଫ୍‌ କେୟାର ‌ଏମ୍ପୋରିୟମ, କମ୍ୟୁନିଟି ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ, ହାମ୍‌ଲେସ୍‌ ଟଏ ସପ୍‌ ପ୍ରମୁଖ ସହଯୋଗର ହାତ ବଢ଼ାଇଥିଲେ।

ନାଚିଲେ, ପୁରସ୍କାର ଜିତିଲେ
ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅବସରରେ କୁନିକୁନି ପିଲାଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ପ୍ରସ୍ତୁତ ହୋଇଥିଲା ମଞ୍ଚ। କିଏ ନୃତ୍ୟରେ ତ କିଏ ଗୀତରେ ଦର୍ଶକଙ୍କୁ ବିଭୋର କରିଥିଲେ। କମ୍ୟୁନିଟି ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆର ସମ୍ପାଦକ ବିକାଶ ରାଉତଙ୍କ ତତ୍ତ୍ବାବଧାନରେ ବସ୍ତି ଅଞ୍ଚଳର ପିଲାମାନେ ରିମ୍‌ଝିମ୍‌ ପାନି.., ଲାଲ ଗୁଲାବି.., ଦହି ଆଣିଚିରେ.. ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ। କୁନିକୁନି ପାଦର କମନୀୟ ଗତି ସାଙ୍ଗକୁ ସେମାନଙ୍କ ମନ‌ଲୋଭା ମୁଖଭଙ୍ଗୀ ଉପସ୍ଥିତ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲା। କୁନି ଶିଳ୍ପୀ ଶ୍ରଦ୍ଧା ମହାପାତ୍ର, ସରସ୍ବତୀ ନାୟକ, କବିତା ନାୟକ ଓ ସାଥୀ, ବି.କ୍ରିଷ୍ଣା ଓ ସାଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଡ୍‌ସ ସମ୍ବନ୍ଧରେ ଜାଣି ନ ଥିଲେ ହେଁ ଏଡ୍‌ସକୁ ହଟାଇବାକୁ ପିଲାମାନେ ମିଳିତ ଭାବେ ସ୍ଲୋଗାନ ଦେଇଥିଲେ।

publive-image

ଏଡ୍‌ସ ଆକ୍ରାନ୍ତ କଥା ଶୁଣି ସିଟ୍‌ ଛାଡ଼ି ପଳାଇଲେ...
ଏଡ୍‌ସକୁ ନେଇ କିଭଳି ଭ୍ରାନ୍ତ ଧାରଣା ଲୋକଙ୍କ ମନରେ ବସା ବାନ୍ଧିଛି ସେ ସମ୍ପର୍କରେ ଜଣେ ଏଡ୍‌ସ ଆକ୍ରାନ୍ତ ବ୍ୟକ୍ତି ତଥା ଏଡ୍‌ସ ସଚେତନ କରୁଥିବା ସାମାଜିକ କର୍ମୀ ନିଜର ଅନୁଭବ ବାଣ୍ଟିଥିଲେ। କିଛି ଦିନ ତଳେ ସମ୍ବଲପୁରରେ ଏକ ଟ୍ରେନ୍‌ରେ ଆସୁଥିବା ବେଳେ ୪ ଜଣ ବ୍ୟକ୍ତି ବସିଥିବା ଏକ ସିଟ୍‌ରେ ବସିବା ପାଇଁ ଜାଗା ଦେବାକୁ ସେ ଅନୁରୋଧ କଲେ। ମାତ୍ର ସେମାନେ ଜାଗା ଦେବାକୁ ମନା କରିଦେଲେ। ଏହା ଶୁଣିବା ପରେ ସମ୍ପୃକ୍ତ ସାମାଜିକ କର୍ମୀ ଜଣକ ଜଣେ ବ୍ୟକ୍ତିଙ୍କୁ କହିଲେ ଆଜ୍ଞା ମୁଁ ଏଚ୍‌ଆଇଭି ପଜିଟିଭ ଆକ୍ରାନ୍ତ। ଏହା ଶୁଣିବା ମାତ୍ରେ ୪ ଜଣ ବ୍ୟକ୍ତି ସେ ସ୍ଥାନ ଛାଡ଼ି ପଳେଇଲେ। ସିଟ୍‌ ଖାଲି ହେଇଗଲା। ସେହି ସିଟ୍‌ରେ ବସି ‌ସେ ଭୁବନେଶ୍ବର ଯାଏ ଆସିଥିଲେ। ମାତ୍ର ଉଦ୍ଦେଶ୍ୟମୂଳକ ଭାବେ ସେ ଏହା କରି ନ ଥିଲେ। ବରଂ ଏଡ୍‌ସ ଆକ୍ରାନ୍ତଙ୍କ ପ୍ରତି ଲୋକଙ୍କ ମନୋଭାବକୁ ପରଖିବା ପାଇଁ କରିଥିଲେ। ଏପରି ନକାରାତ୍ମକ ଚିତ୍ର ତାଙ୍କ ମନକୁ ଆଘାତ ପହଞ୍ଚାଇଥିଲା ବୋଲି ଅଭିଜ୍ଞତା ବାଣ୍ଟିବା ବେଳେ ସେ କହିଥିଲେ।

ଟିପ୍‌ସ ଦେଲେ, ଲକ୍ଷଣ କହିଲେ
ଏଡ୍‌ସ ହେବାର କାରଣ ଏବଂ ଆଣ୍ଟି ରେଟ୍ରୋଭାଇରାଲ୍‌ ଥେରାପି (ଏଆର୍‌ଟି) ମେଡିସିନ୍‌ ସେବନ ସମ୍ପର୍କରେ ସଚେତନ କରାଇଥିଲେ ଉପସ୍ଥିତ ଡାକ୍ତର। ଏଡ୍‌ସ ଆକ୍ରାନ୍ତଙ୍କ ସହ ଅସୁରକ୍ଷିତ ଯୌନ ସମ୍ପର୍କ, ଗୋଟିଏ ସିରିଞ୍ଜରେ ବହୁ ବ୍ୟକ୍ତି ଇଞ୍ଜେକ୍ସନ୍‌ ନେବା ଦ୍ବାରା, ଆକ୍ରାନ୍ତ ମା’ଠୁ ଛୁଆକୁ ଏବଂ ଅନ୍ୟ କାରଣ ବାବଦରେ ଅବଗତ କରାଇଥିଲେ। ଥଣ୍ଡା ହେବା, ତଣ୍ଟି ଦରଜ ହେବା, ଡାଇରିଆ, ପାଟିରେ ଘା’ ବହୁଦିନ ପର୍ଯ୍ୟନ୍ତ ନ ଶୁଖିବା ଆଦି ଲକ୍ଷଣ ଦେଖାଗଲେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ କରି ରକ୍ତ ପରୀକ୍ଷା କରାଇବା ଉଚିତ୍‌ ବୋଲି ଡାକ୍ତରମାନେ କହିଥିଲେ। ସେହିପରି ଏଚ୍‌ଆଇଭି ପଜିଟିଭ୍‌ ଜଣାପଡ଼ିବାର ୩ ଘଣ୍ଟା ଭିତରେ ଏଆର୍‌ଟି ମେଡିସିନ୍‌ ସେବନର ଗୁରୁତ୍ବ ବାବଦରେ ଡାକ୍ତରମାନେ ସଚେତନ କରାଇଥିଲେ।

ହସାଇଲେ ନନ୍‌ସେନ୍‌ସ ମଣି
କାର୍ଯ୍ୟକ୍ରମରେ ରଙ୍ଗ ଭରିବା ପାଇଁ ଆଜି ହସର ତଡ଼କା ସାଙ୍ଗକୁ ମିଠା ସଂଗୀତରେ ଭିଜିବାର ଅବକାଶ ମିଳିଥିଲା। କମେଡିଆନ ନନ୍‌ସେନ୍‌ସ ମଣିଙ୍କ ହସର ତଡ଼କା ଦର୍ଶକଙ୍କୁ ଖୁବ୍‌ ହସାଇଥିଲା। ଖଳନାୟକ ରାଇମୋହନ ପରିଡ଼ାଙ୍କ ମିମିକ୍ରିରେ ମଜାଦାର କମେଡ଼ି ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏଥିସହ ଅଜାଣତରେ ଜୀବନରେ ଘଟୁଥିବା କିଛି ଘଟଣାକୁ ସେ କମେଡ଼ିରେ ଉତାରି ହସ ବାଣ୍ଟିଥିଲେ। ତାଙ୍କ ପ‌ରେ ଓଡ଼ିଆ ମନଛୁଆଁ ସଂଗୀତରେ ବିଭୋର କରିଥିଲେ ପ୍ରଦୀପ। ରେଡିଓ ଚକଲେଟ୍‌ର ଆର୍‌‌ଜେ ଅନିଲ୍ ଓ ନିଭି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ମଜାଦାର କଥାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।