ନଜର ଆଢ଼ୁଆଳରେ ବ୍ରହ୍ମା ମନ୍ଦିର

ପୁରୁଣା ଭୁବନେଶ୍ୱର: ରାଜଧାନୀର ବିନ୍ଦୁସାଗର କୂଳ ଅନନ୍ତ ବାସୁଦେବ ମନ୍ଦିର ସମ୍ମୁଖରେ ରହିଛି ବ୍ରହ୍ମା ମନ୍ଦିର। ଏହି ମନ୍ଦିର ସଂପର୍କରେ ଓଡ଼ିଶାର ଖୁବ୍‌ କମ୍‌ ଲୋକ ଜାଣନ୍ତି। ଐତିହାସିକଙ୍କ ମତ ଅନୁଯାୟୀ, ୧୫ଶହ ଶତାବ୍ଦୀର ଏହି ମନ୍ଦିର ଲୋକଲୋଚନକୁ ଆସି ପାରିନାହିଁ। ଏକାମ୍ର କ୍ଷେତ୍ରକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଏହି ମନ୍ଦିରକୁ କେହି ଯାଆନ୍ତି ନାହିଁ। ମନ୍ଦିର ନିକଟ ରାସ୍ତାରେ ହଜାର ହଜାର ଭକ୍ତ ଯିବା ଆସିବା କରୁଥିଲେ ମଧ୍ୟ ସେଠାରେ ବ୍ରହ୍ମା ମନ୍ଦିର ରହିଛି ବୋଲି ଅନେକ ଜାଣନ୍ତି ନାହିଁ। ତେବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ସେପରି କିଛି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନଥିବା ଏହାର ଅନ୍ୟତମ କାରଣ ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ସନ୍ଧ୍ୟା ହେଲେ ମନ୍ଦିର ଗର୍ଭଗୃହ ଅନ୍ଧାର ହୋଇଯାଉଛି। ପର୍ଯ୍ୟଟକଙ୍କ ସୂଚନା ଲାଗି ସୂଚନା ଫଳକଟିଏ ମଧ୍ୟ ଲାଗି ନାହିଁ। ମନ୍ଦିରଟି ସର୍ବଦା ବନ୍ଦ ରହୁଥିବା ବେଳେ ମୁଖଶାଳା ଏବେ ଶ୍ରାଦ୍ଧସ୍ଥଳୀ ଭାବେ ପରିଣତ ହୋଇଛି। ପ୍ରତିଦିନ ମନ୍ଦିର ପ୍ରାଙ୍ଗଣରେ ଶ୍ରାଦ୍ଧ ଦିଆ ଚାଲିଛି। ଫଳରେ ଜଣେ ପର୍ଯ୍ୟଟକ ଚାହିଲେ ମଧ୍ୟ ମନ୍ଦିର ଭିତରକୁ ସହଜରେ ଯାଇପାରିବ ନାହିଁ। ସ୍ଥାନୀୟ ଅଞ୍ଚଳର ଜଣେ ବ୍ରାହ୍ମଣ ସେବାୟତ ଏହି ମନ୍ଦିରରେ ସେବା କରିଥାଆନ୍ତି। କିମ୍ୱଦନ୍ତୀ ଅନୁଯାୟୀ, ବିନ୍ଦୁସାଗର ପ୍ରତିଷ୍ଠା ବେଳେ ବ୍ରହ୍ମା ଏଠାକୁ ଆସିଥିଲେ। ସେତେବେ‌ଳେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା ବୋଲି ସ୍ଥାନୀୟ ଲୋକେ କୁହନ୍ତି। ମନ୍ଦିରରେ ପ୍ରତିଷ୍ଠା ହୋଇଛନ୍ତି ଚାରି ବାହୁ ବିଶିଷ୍ଟ ବ୍ରହ୍ମା ମୂର୍ତି। ଦୁଇ ପାର୍ଶ୍ବରେ ରହିଛି ସାବିତ୍ରୀ ଓ ସରସ୍ୱତୀଙ୍କ ମୂର୍ତି। ଏହି ମନ୍ଦିରରେ ବ୍ରହ୍ମାଙ୍କୁ ଦର୍ଶନ ପରେ ଶ୍ରୀଅନନ୍ତ ବାସୁଦେବ ଓ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ତ୍ରିଦେବ ଦର୍ଶନ ହୁଏ ବୋଲି କୁହାଯାଏ। ମାତ୍ର ମନ୍ଦିରଟି ପ୍ରାୟ ସମୟ ବନ୍ଦ ରହିବା, ଉପଯୁକ୍ତ ଆଲୋକ ବ୍ୟବସ୍ଥା ନ କରିବା, ମନ୍ଦିର ବିଷୟରେ ପର୍ଯ୍ୟଟକମାନେ ସୂଚନା ପାଇ ପାରୁନଥିବାରୁ ଏଠାକୁ କେହି ଆସନ୍ତି ନାହିଁ। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ଉନ୍ନତୀକରଣ ପାଇଁ ପଦକ୍ଷେପ ନିଆଯିବା ପାଇଁ ଦୁଇ ବର୍ଷ ହେଲା କୁହାଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନାହିଁ। ଏ ସଂପର୍କରେ ଓଟିଡିସି ସୁପରିନ୍‌ଟେଣ୍ଡଣ୍ଟ ଇଞ୍ଜିନିୟରଙ୍କୁ ପଚାରିବାରୁ ସେ କୁହନ୍ତି ନିର୍ବାଚନ ସରିଲେ ଯାହା କରିବୁ।

ସମ୍ବନ୍ଧିତ ଖବର