ବ୍ରହ୍ମତତ୍ତ୍ୱ ଫକୀରମୋହନଙ୍କ ସାହିତ୍ୟର ତତ୍ତ୍ୱ

ଫକୀରମୋହନଙ୍କ ୨୧ଟି କୃତିର ଇଂରାଜୀ ଅନୁବାଦ ହେଲା

ଭୁବନେଶ୍ୱର: ଫକୀର ମୋହନ ସେନାପତିଙ୍କ କାଳଜୟୀ କୃତିକୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ରାଜ୍ୟସ୍ତରୀୟ ଫକୀର ମୋହନ ସ୍ମୃତି ସଂସଦର ଉଦ୍ୟମ ସଫଳ ରୂପ ନେଇଛି। ଦୀର୍ଘ ୧୫ ବର୍ଷର ପ୍ରକ୍ରିୟା ପରେ ଆଜି ଫକୀର ମୋହନଙ୍କ ୨୧ଟି କାଳଜୟୀ କୃତୀର ଇଂରାଜୀ ଅନୁବାଦ ‘From the masters loom: Vintage Stories of Fakirmohan Senapathi’ ଲୋକାର୍ପିତ ହୋଇଛି। ଆଜି ସ୍ମୃତି ସଂସଦ ପରିସରରେ ଏହି ପୁସ୍ତକକୁ ବିଶିଷ୍ଟ ଅତିଥିମାନେ ଲୋକାର୍ପିତ କରିଛନ୍ତି। ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଫକୀରମୋହନ ସେନାପତି ଓଡ଼ିଶା ପ୍ରଦେଶ ଗଠନର ରାଜସାକ୍ଷୀ। ବ୍ରହ୍ମତତ୍ତ୍ୱ ହେଉଛି ଫକୀରମୋହନଙ୍କ ସାହିତ୍ୟର ତତ୍ତ୍ୱ। ଯେଉଁଥିରେ ସାଧାରଣରେ ଅସାଧାରଣର ଉପଲବ୍ଧିର ପରିପ୍ରକାଶ ହୋଇଛି ବୋଲି ସେ କହିଥିଲେ। ବିଶିଷ୍ଟ କବି ହରପ୍ରସାଦ ଦାସ ପ୍ରବକ୍ତା ସମୀକ୍ଷକ ଭାବେ ଯୋଗଦେଇ କହିଲେ, ଫକୀର ମୋହନ ସେନାପତି ଥିଲେ ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ। କିନ୍ତୁ ତାଙ୍କ ଉପରେ ଏଯାଏଁ ସମ୍ପୂର୍ଣ୍ଣ ଚର୍ଚା ହୋଇନାହିଁ। ସେହିପରି ତାଙ୍କ ସାହିତ୍ୟର ଅନୁବାଦ ପାଇଁ ଜଣେ ବିଶ୍ୱ ପ୍ରସିଦ୍ଧ ସାହିତ୍ୟିକଙ୍କୁ ସୁଯୋଗ ଦେବା ସହ ୧୦ ଜଣିଆ ଅନୁବାଦକ ଟିମ୍‌ ଗଠନ ହେବା ଉଚିତ। ଏଥିପାଇଁ ସରକାର କୋଟିଏ ଟଙ୍କା ବରାଦ କଲେ ହିଁ ଫକୀରମୋହନଙ୍କ ସାହିତ୍ୟର ଗାରିମା ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିପାରିବ। ଉତ୍କଳ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର ହିମାଂଶୁ ଶେଖର ମହାପାତ୍ର ଅନୁବାଦରେ ମୌଳିକ ଭାବ ପ୍ରକାଶ ପାଇବା ଉଚିତ ବୋଲି କହିବା ସହ ଫକୀରମୋହନଙ୍କ ସାହିତ୍ୟର ପ୍ରକାଶ ଶୈଳୀ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବହିର ସଂକଳକ ପ୍ରଭଞ୍ଜନ ମିଶ୍ର ସଂକଳନ ଅଭିଜ୍ଞତା ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ପ୍ରଫେସର ଅମିୟ କୁମାର ପଟ୍ଟନାୟକ। ପ୍ରାରମ୍ଭରେ ସ୍ମୃତି ସଂସଦର ଉପସଭାପତି ହରିପଦ ଶତପଥୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ସମ୍ପାଦକ ନିରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର