ବାଲିଅନ୍ତା: ସ୍ଥାନୀୟ ରଙ୍ଗବଜାର-ପରିଆପାଟପୁର ପର୍ଯ୍ୟନ୍ତ ଦୀର୍ଘ ୭ କିମି ବିଶିଷ୍ଟ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଅବସ୍ଥା ଏବେ ଅତି କଦର୍ଯ୍ୟ ହୋଇପଡ଼ିଛି। ବିଶେଷକରି ସୁଧଷଡ଼ଙ୍ଗୀ ଛକରୁ ବ୍ରାହ୍ମଣଷଡ଼ଙ୍ଗୀ ପର୍ଯ୍ୟନ୍ତ ୩ କିମି ରାସ୍ତାକୁ ଠିକାଦାର ଡୋଜର୍ ଲଗାଇ ଦୁଇ ଫୁଟ୍ ଗଭୀରରେ ଖୋଳି ପକାଇଛି। ୨ ମାସ ଧରି ରାସ୍ତା ଖୋଳା ଯାଇଥିଲେ ମଧ୍ୟ ଦାୟିତ୍ବରେ ଥିବା ଠିକାଦାର କାମ ଆରମ୍ଭ କରିବା ପରିବର୍ତ୍ତେ ରନିଙ୍ଗ ବିଲ୍ରେ ଏକ ଲକ୍ଷ ଟଙ୍କା ନେଇ ଛୁ’ ମାରିଥିବା ଜଣାଯାଇଛି।
ଅନ୍ୟପକ୍ଷରେ ରାସ୍ତା କାମରେ ଅହେତୁକ ବିଳମ୍ବ ଯୋଗୁଁ ସ୍ଥାନୀୟ ଲୋକେ ଯାତାୟାତରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପାର୍ଶ୍ବ ରାସ୍ତାକୁ ଖୋଳିଦେବା ଦ୍ବାରା ରାସ୍ତାଟି ଅତ୍ୟନ୍ତ ସଂକୀର୍ଣ୍ଣ ହୋଇପଡ଼ିଛି। ଏହି ଅଣଓସାରିଆ ରାସ୍ତାରେ ଗାଡ଼ି ମଟର ଅତିକ୍ରମ କରିବା ବେଳେ ଦୁର୍ଘଟଣା ଘଟୁଛି। ଅପରପକ୍ଷେ ରାସ୍ତା ନିର୍ମାଣକୁ ଏହା ମଧ୍ୟରେ ଦୀର୍ଘ ୮ ମାସ ବିତିଯାଇଥିଲେ ମଧ୍ୟ ୩୦ ପ୍ରତିଶତ କାମ ବି ସରିନି। ବର୍ଷାଦିନ ଯୋଗୁଁ ରାସ୍ତାରେ ହୋଇଥିବା ଛୋଟବଡ଼ ଗାତରେ ପାଣି ଜମି କୃତ୍ରିମ ଜଳାଶୟର ଭ୍ରମ ସୃଷ୍ଟି ହେଉଛି। ଏଥିଯୋଗୁଁ ଛାତ୍ରଛାତୀମାନେ ସ୍କୁଲ, କଲେଜକୁ ଯିବା ଆସିବା ବେଳେ ବଡ଼ ସମସ୍ୟା ଭୋଗୁଛନ୍ତି। ହେଲେ ଠିକାଦାର ରାସ୍ତା ନିର୍ମାଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ସ୍ଥାନୀୟ ଲୋକ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏ ସଂପର୍କରେ ସହକାରୀ ଯନ୍ତ୍ରୀ ବସନ୍ତ ଦଳେଇଙ୍କୁ ପଚାରିବାରୁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
ସୂଚନାନୁସାରେ, ୭ କିମି ବିଶିଷ୍ଟ ଉକ୍ତ ରାସ୍ତାର ନବୀକରଣ ପାଇଁ ୨କୋଟି ଟଙ୍କା ମଂଜୁର ହୋଇଛି। ଜାନୁଆରିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିରେ ରାସ୍ତାର ବିଭିନ୍ନ ଅଂଶରେ କଂକ୍ରିଟ୍, ପିଚୁ ଓ କଲଭର୍ଟ ସଂପ୍ରସାରଣ କରାଯିବ ବୋଲି ବ୍ୟୟ ଅଟକଳ ଫଳକରେ ଉଲ୍ଲେଖ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/32-6.jpg)