କାମ ନ ପାଇ ବସିଛନ୍ତି ବୈଦିକ ବ୍ରାହ୍ମଣ, ସହାୟତା ଯୋଗାଇ ଦେବାକୁ ଦାବି

ଭୁବନେଶ୍ୱର: ବିଶ୍ବବ୍ୟାପୀ ଦେଖା ଦେଇଥିବା କରୋନା ମହାମାରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏବେ ସାରା ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଏହାଦ୍ୱାରା ବୈଦିକ କର୍ମକାଣ୍ଡ କରି ଜୀବିକା ନିର୍ବାହ କରୁଥିବା ଓ ମଠ ମନ୍ଦିରରେ ସେବା ପୂଜା କରୁଥିବା ବୈଦିକ ବ୍ରାହ୍ମଣମାନଙ୍କର ପ୍ରବଳ କ୍ଷତି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ହଜାରରୁ ଅଧିକ ମନ୍ଦିର ରହିଛି। ତେବେ କରୋନା କଟକଣା ଯୋଗୁଁ ଗତ ୨୦ଦିନ ହେଲା ମନ୍ଦିରରେ ଭକ୍ତଙ୍କ ଦେଖାନାହିଁ। ଏହାଦ୍ବାରା ମନ୍ଦିର ପୂଜକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ତେଣୁ ସେମାନଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି। ଏଥିସହ ଲକ୍‌ଡାଉନ୍‌ ଯୋଗୁଁ କୌଣସି ବୈଦିକ ଉତ୍ସବ, ପର୍ବପର୍ବାଣି, ବିବାହ, ଘର ପ୍ରତିଷ୍ଠା, ଯଜ୍ଞ କାମ ଆଦି ବନ୍ଦ ହେବା ଦ୍ୱାରା ରାଜ୍ୟର ହଜାର ହାଜର ବ୍ରାହ୍ମଣ ପରିବାର ଆର୍ଥକ ଭାବେ ପ୍ରଭାବିତ ହୋଇଛନ୍ତି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ବୈଦିକ ବ୍ରାହ୍ମଣଙ୍କ କଥା ବିଚାର କରିବାକୁ ବୈଦିକ ବ୍ରାହ୍ମଣ ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରିବାକୁ ଟ୍ରଷ୍ଟର ଅଧ୍ୟକ୍ଷ ପଣ୍ଡିତ ସତ୍ୟବ୍ରତ ମିଶ୍ର ଶର୍ମା, ନୃସିଂହ ଚରଣ ପତି, ଜଗନ୍ନାଥ ପଣ୍ଡା, ମନୋଜ ଷଡ଼ଙ୍ଗୀ, ପ୍ରମୋଦ ଶତପଥୀ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର