ଚନ୍ଦ୍ରଶେଖରପୁର: ଆବାସିକ ଜନଜାତି ବିଦ୍ୟାଳୟ କିସ୍, ଭୁବନେଶ୍ୱର ଢାଞ୍ଚାରେ ବାଂଲାଦେଶରେ ଖୋଲିଛି ଡାଫୋଡିଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (ଡିସ୍)। ଢାକାଠାରେ ଲୋକସଭା ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୋମବାର ଏହାର ଉଦ୍ଘାଟନ କରିଛନ୍ତି। ଡାଫୋଡିଲ୍ ଇଣ୍ଟରନ୍ୟାସ୍ନାଲ୍ ୟୁନିଭରସିଟି ହେଉଛି ବାଂଲାଦେଶର ସର୍ବବୃହତ ବିଶ୍ୱବିଦ୍ୟାଳୟ। ଶ୍ରୀ ସାମନ୍ତଙ୍କ ସହ ଏହି ବିଶ୍ୱବିଦ୍ୟାଳୟର ଦୀର୍ଘ ଦିନର ସୁ-ସମ୍ପର୍କ ରହି ଆସିଛି। କିଛି ବର୍ଷ ତଳେ ଡାଫୋଡିଲ୍ ଇଣ୍ଟରନ୍ୟାସ୍ନାଲ୍ ୟୁନିଭରସିଟିର ପ୍ରତିଷ୍ଠାତା ଡ. ମହମ୍ମଦ ସବୁର ଖାଁ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିଲେ। କିଟ୍ ଓ କିସ୍ ପରିଦର୍ଶନ କରିବା ସମୟରେ ସେ ବିମୋହିତ ହୋଇପଡ଼ିଥିଲେ।
ବାଂଲାଦେଶରେ କିସ୍ ଢାଞ୍ଚାରେ ଗରିବ ପିଲାଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ଖୋଲିବା ପାଇଁ ଡ. ସବୁର ଖାଁ ଇଚ୍ଛା ପ୍ରକାଶ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଏଠାରେ ୬ଶହ ଗରିବ ଛାତ୍ରଛାତ୍ରୀ ବିନା ଦେୟରେ ପାଠ ପଢ଼ିବେ। ଡିସ୍ ପାଇଁ କିସ୍ କେବଳ ଆବଶ୍ୟକ ବୈଷୟିକ ପରାମର୍ଶ ପ୍ରଦାନ କରିଛି। ଏହି କ୍ୟାମ୍ପସ୍କୁ ଉଦ୍ଘାଟନ କରି ଶ୍ରୀ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ନିଜ ପ୍ରତିକ୍ରିୟାରେ କହିଛନ୍ତି, କିସ୍ କାର୍ଯ୍ୟରେ ପ୍ରଭାବିତ ହୋଇ ବାଂଲାଦେଶର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଉଦ୍ୟୋଗୀ ଢାକାଠାରେ କିସ୍ ଢାଞ୍ଚାରେ ଏକ ଅନୁଷ୍ଠାନ ଖୋଲି ପାରିଛନ୍ତି।