ଭୁବନେଶ୍ବର: ସାମାନ୍ୟ ବର୍ଷାରେ ଆଜି ଭୁବନେଶ୍ବର ମହାନଗର ନିଗମ ୩୩ ନମ୍ବର ୱାର୍ଡ ଅନ୍ତର୍ଗତ ବମିଖାଲ କେନାଲ୍ ବନ୍ଧ ରାସ୍ତା(ଜଗନ୍ନାଥନଗର ନିକଟରେ) ଧସିଛି। ଏଥିସହ ଏଠାରେ କେନାଲ୍ ପାଇଁ ଆର୍‌ସିସି ୱାଲ୍ କରୁଥିବା ଠିକାସଂସ୍ଥାର ପଟା ଓ ଅନ୍ୟାନ୍ୟ ସରଞ୍ଜାମ ବି କେନାଲ୍‌ରେ ଆସୁଥିବା ପାଣିର ପ୍ରଖର ସ୍ରୋତରେ ଭାସିଯାଇଛି। ପ୍ରାୟ ଦେଢ଼ବର୍ଷ ହେଲାଣି କେନାଲ୍‌ ଆର୍‌ସିସି ୱାଲ୍ କାମ ଚାଲିଛି। ଏଥିପାଇଁ କେନାଲ୍ ଦେଇ ପ୍ରବାହିତ ହେଉଥିବା ନାଳପାଣିକୁ ବାଲିବସ୍ତା ପକାଇ ଅଟକାଇ ଠିକାସଂସ୍ଥା ଆର୍‌ସିସି ୱାଲ୍ କାମ କରୁଥିଲା। କିନ୍ତୁ ଆଜି ଅପରାହ୍ଣରେ ପ୍ରବଳ ବର୍ଷାରେ କେନାଲ୍ ଭିତରେ ପ୍ରଖର ସ୍ରୋତ ଆସିବା ସହ ଏହି ବାଲିବସ୍ତା ବନ୍ଧ ଭାସିଯାଇଥିଲା। 

Advertisment

ଫଳରେ ଠିକାସଂସ୍ଥା ଆର୍‌ସିସି ୱାଲ୍ ପାଇଁ ଲଗାଇଥିବା କାଠ ଓ ଅନ୍ୟ ସରଞ୍ଜାମ ଭାସିଯାଇଥିଲା। ସେପଟେ ଠିକାସଂସ୍ଥା କେନାଲ୍ ରାସ୍ତାକୁ ଖୋଳି ଆର୍‌ସିସି ୱାଲ୍ କରୁଥିଲା। କିନ୍ତୁ ବର୍ଷା ଓ କେନାଲ୍‌ର ପ୍ରଖର ସ୍ରୋତ ଏହି କେନାଲ୍ ରାସ୍ତାର ଖନନ ସ୍ଥାନକୁ ଗ୍ରାସିବାରେ ଲାଗିଛି। ବହୁସ୍ଥାନରେ ରାସ୍ତା ଓ ମାଟିକୁ ଧୋଇନେଇଛି। ସେପଟେ କେନାଲ୍ ଉପରେ ଯାଇଥିବା ସେତୁ ସଂଲଗ୍ନ ରାସ୍ତା ବି ଧୋଇଯାଇଛି। କେନାଲ୍ ରାସ୍ତା କ୍ରମେ କେନାଲ୍ ଭିତରକୁ ଧସିବା ଜାରିରଖିଛି। ସେପଟେ ରାସ୍ତା ଧୋଇଯିବା ଫଳରେ ରାସ୍ତାରେ ଥିବା ବିଦ୍ୟୁତ୍ ଖୁଣ୍ଟି ବି କେନାଲ୍ ଭିତରକୁ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି।