ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପରିସରରେ ରାଜ୍ୟର ପ୍ରଥମ ବ୍ୟାପକ ସ୍ତନ୍ୟପାନ ପରିଚାଳନା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ, ଅଧୀକ୍ଷକ ଦିଲ୍ଲୀପ ପଣ୍ଡା, ଉପଅଧୀକ୍ଷକ ଧନଞ୍ଜୟ ଦାଶ ପ୍ରମୁଖ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଏହି କେନ୍ଦ୍ରରେ ମା’ ଛେଉଣ୍ଡ, ଦୁର୍ବଳ ଓ ପାଳିତ ଶିଶୁମାନଙ୍କୁ ମା’ କ୍ଷୀର ଦିଆଯାଇପାରିବ।
ସୂଚନା ଅନୁସାରେ, ଏହି କେନ୍ଦ୍ରରେ କ୍ଷୀରଦାନ ପୂର୍ବରୁ ମା’ନଙ୍କର ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଗ୍ରହଣ କରାଯିବା ସହ ଯେପରି ତାଙ୍କୁ କୌଣସି ସଂକ୍ରାମକ ରୋଗ ନଥିବ, ତାହା ସୁନିଶ୍ଚିତ କରାଯାଉଛି। ନିଜ ଶିଶୁକୁ ସ୍ତନ୍ୟପାନ କରାଇବା ପରେ ବଳକା କ୍ଷୀରକୁ ମା’ମାନେ ସ୍ବେଚ୍ଛାକୃତ ଭାବେ ଏହି କେନ୍ଦ୍ରରେ ଦାନ କରୁଛନ୍ତି। ଏହି କ୍ଷୀରକୁ ଉପଯୁକ୍ତ ପ୍ରଣାଳୀରେ ବିଶୁଦ୍ଧୀକରଣ କରି ବିଯୁକ୍ତ ୨୦ ଡିଗ୍ରି ତାପମାତ୍ରାରେ ସଂରକ୍ଷିତ କରାଯାଇଥାଏ। ଆବଶ୍ୟକ ଅନୁସାରେ ସଂରକ୍ଷିତ କ୍ଷୀରକୁ ଶିଶୁମାନଙ୍କୁ ପ୍ରଦାନ କରାଯାଇଥାଏ। ବଜାରରେ ମିଳୁଥିବା କୃତ୍ରିମ କ୍ଷୀର ଅପେକ୍ଷା ମା’କ୍ଷୀର ଶିଶୁମାନଙ୍କର ସାମଗ୍ରିକ ବିକାଶ କରିଥାଏ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।