ଭୁବନେଶ୍ୱର: ‌ଭୋର୍‌ରୁ ପାହାଡ଼ ଉପରୁ ଭାସି ଆସୁଛି ଠକ୍‌ଠକ୍‌, କର୍‌କର୍‌ଶବ୍ଦ। ଏ କୌଣସି ମରାମତି କି କବାଡ଼ି ଖାନାର ଶବ୍ଦ ନୁହେଁ, ବରଂ ନିର୍ଜୀବ ପଥରକୁ ଜୀବନ୍ୟାସ ଦେବା ପାଇଁ ଶିଳ୍ପୀର ନିହଣ ଓ ମୁଗୁରର ଯାଦୁକରୀ ଶବ୍ଦ। ଶିଖରଚଣ୍ଡୀ ପାହାଡ଼ର ନବକଳେବର‌ରେ ଯୋଡ଼ି ହେଉଛି ଏଭଳି ଯାଦୁଗରମାନଙ୍କ କଳାକୃତି। ପଥର ଶିଳ୍ପୀମାନେ ନିଜ ହାତର ଯାଦୁରେ ଆକର୍ଷଣୀୟ କାରୁକାର୍ଯ୍ୟ କରୁଛନ୍ତି। ଯାହା ଶିଖରଚଣ୍ଡୀ ମନ୍ଦିରର ଶିରୀ ବଢ଼ାଇବ। ମନ୍ଦିରର ଚତୁଃପାର୍ଶ୍ବ‌ରେ ଓ ଖୁଣ୍ଟଗୁଡ଼ିକରେ ନିଆରା ଅନୁଭବ ଦେବ ଏହି ପଥର ଭାସ୍କର୍ଯ୍ୟ। କାନ୍ଥରେ ଆକର୍ଷଣ ସାଜିବ ଭଳିକି ଭଳି ନୃତ୍ୟାଙ୍ଗନାଙ୍କ ଭାବଭଙ୍ଗୀ। ପ୍ରାକୃତିକ ପରିବେଶ ମଧ୍ୟରେ ଝଲସିବ ପରମ୍ପରାର ଛିଟା। କଳିଙ୍ଗ କଳା ସ୍ଥାପତ୍ୟର ନିଦର୍ଶନ ଦେଖିବାକୁ ମିଳିବ ଏଠାରେ। ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମା‌ନେ ଓଡ଼ିଶା ପଥର କାରିଗରଙ୍କ ସୃଜନୀରେ ମୋହଗ୍ରସ୍ତ ହେବେ। ପାହାଡ଼ ସାରା ହେଉଥିବା‌ନିର୍ମାଣ କାର୍ଯ୍ୟରେ ପଥରର କାରୁକାର୍ଯ୍ୟ ଦେଖିବେ ଭକ୍ତ। ସବୁଜିମା କୋଳରେ ପଥର କାରିଗରୀ ଶୋଭାକୁ ଦ୍ବିଗୁଣିତ କରୁଛି। ପଥର ନିର୍ମିତ ସିଂହ, ହାତୀ ମୂର୍ତ୍ତି ମଧ୍ୟ ନିର୍ମାଣ ଚାଲିଛି। କିଛି ଭାସ୍କର୍ଯ୍ୟ ଏପରି ଭାରସାମ୍ୟରେ ସ୍ବଳ୍ପ ସ୍ଥାନରେ ପଥର ଉପରେ ଦଣ୍ଡାୟମାନ ହୋଇଛି, ଯାହା ଦେଖିଲେ ଭକ୍ତ ଓ କଳାପ୍ରିୟ ବ୍ୟକ୍ତିମାନେ ଅଭିଭୂତ ହେବେ। ଏହିଭଳି ପଥର କଳାକୃତି ଶିଖରଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବ ବୋଲି ଶିଳ୍ପୀମାନେ କହିଛନ୍ତି। 
 

Advertisment

ଖୋର୍ଦ୍ଧାରୁ ପଥର ଆସିବା ପରେ ଏଠାରେ କଟାଯାଉଛି। ୩ ଜଣ ଶିଳ୍ପୀ ତାହାକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ସେଥିରୁ ଶାଣ ପଥରରେ ମୂର୍ତ୍ତି ତିଆରି କରୁଛନ୍ତି। ରାଜ୍ୟର ପୁରାତନ ମନ୍ଦିରଗୁଡ଼ିକରେ ଯେଉଁ ପ୍ରକାର ମୂର୍ତ୍ତି ରହିଥିଲା, ସେହି ଆଧାରରେ ଏଠାରେ ମୂର୍ତ୍ତି ତିଆରି ହେଉଛି। ଯୋଜନା ଅନୁଯାୟୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ୫୩.୬୪ ଏକର ଜମିରେ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ମାଷ୍ଟର୍‌ପ୍ଲାନ୍‌ଅନୁଯାୟୀ ସମୁଦାୟ ଅଞ୍ଚଳକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଉଛି। ଜୋନ୍‌୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତୀକରଣ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ। ଜୋନ୍‌୨ରେ  ଭିୟୁ ପଏଣ୍ଟ ଓ ଟ୍ରେକିଂ ରୁଟ୍‌ରହିବ। ଜୋନ-୩ ଓ ୪ରେ ମନୋରଞ୍ଜନ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟମନ୍ଦିର, ଦୋକାନଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯିବ।
 ପର୍ଯ୍ୟଟକ ସୁନାକର ସାହୁଙ୍କ କହିବା କଥା ହେଉଛି, କଥାରେ ଅଛି ଗୋଟିଏ ଚିତ୍ର ଶହେଟି ଶବ୍ଦର କଥା କୁହେ। କଳାକାରଙ୍କ ନିଖୁଣ କଳାରେ ପଥର ମୂର୍ତ୍ତି ବି ଜୀବନ୍ତ ଦିଶିଥାଏ। ଏଠାରେ ବିଶାଳକାୟ ପଥର ଖଣ୍ଡକୁ ସୁନ୍ଦର ସୁନ୍ଦର ମୂର୍ତ୍ତିର ରୂପ ଦେବା କେବଳ ଉତ୍କଳୀୟ କାରୀଗରଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ଏଠାରେ ବିଭିନ୍ନ ପ୍ରକାରର ଦେବଦେବୀଙ୍କ ମୂର୍ତ୍ତି ଦେଖି ପୁରୁଣା ସମୟ କଥା ମନେ ପଡ଼ିଯାଉଛି। ଶିଖରଚଣ୍ଡୀ ଉନ୍ନୟନ ପରିଷଦ ସଭାପତି କ୍ଷିତୀଶ ତ୍ରିପାଠୀ କହିଛନ୍ତି ବହୁ ବର୍ଷର ଅପେକ୍ଷା ପରେ ମା’ଙ୍କ ମନ୍ଦିର ନୂଆ ରୂପ ନେଉଛି। ଭାସ୍କଯ୍ୟ ଶିଳ୍ପୀ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ନାତି ସ୍ମିତୀଶ ମହାପାତ୍ରଙ୍କ ଦ୍ୱାରା ଏହି କାରୁକାର୍ଯ୍ୟ ହେଉଛି। ଯାହାକି ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ଶିଳ୍ପୀମାନେ ଏବେ ଦିନରାତି ଏକ କରି କାମ କରୁଛନ୍ତି। ପଥରକୁ କାନ୍ଥ ଓ ଖୁଣ୍ଟରେ ଲଗାଯିବା ପରେ ଶିଳ୍ପୀମାନେ ତାହାକୁ ବିଭିନ୍ନ ପ୍ରକାରର ମୂର୍ତ୍ତିର ରୂପ ଦେଉଛନ୍ତି।