କଟକ: ୨ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ କର୍ମଚାରୀଙ୍କୁ ହାଇକୋର୍ଟ ସଂପୂର୍ଣ୍ଣ ଦୋଷମୁକ୍ତ କରିଛନ୍ତି। ସୂଚନା ଅନୁଯାୟୀ ୨୦୦୬ରେ ବାସୁଦେବ ମହାନ୍ତିଙ୍କ ଗ୍ରାଚୁଇଟି ବାବଦ ଫାଇଲ୍ କାମ ତ୍ବରାନ୍ବିତ କରିବା ପାଇଁ ରାଉରକେଲା ଆଞ୍ଚଳିକ ଲେବର କମିସନ୍ ଅଫିସ (କେନ୍ଦ୍ରୀୟ)ର ବରିଷ୍ଠ କିରାଣୀ ମହେନ୍ଦ୍ର ମହାରଣା ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ଟିମ୍ ହାତରେ ଧରାପଡିଥିଲେ। ଶ୍ରୀ ମହାରଣାଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା।
ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟ ଶୁଣାଣି କରି ୨୦୧୧, ଜୁନ ୨୯ ରେ ଶ୍ରୀ ମହାରଣାଙ୍କୁ ଦୁର୍ନୀତି ନିବାରଣ ଆଇନ-୧୯୮୮ର ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡିତ କରିଥିଲେ। ଗୋଟିଏ ଅଭିଯୋଗରେ ଶ୍ରୀ ମହାରଣାଙ୍କୁ ୬ ମାସ ସଶ୍ରମ କାରାଦଣ୍ଡ, ୧ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଆଦାୟ ନ ହେଲେ ଆଉ ୧ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲା। ସେହିଭଳି ଆଉ ଏକ ଦଫାରେ ଶ୍ରୀ ମହାରଣାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଆଦାୟ ନ ହେଲେ ଆଉ ୩ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। କିନ୍ତୁ ଏହା ବିରୋଧରେ ଶ୍ରୀ ମହାରଣା ହାଇକୋର୍ଟରେ ଆବେଦନ କରିଥିଲେ। ଚୂଡାନ୍ତ ଶୁଣାଣି କରି ବିଚାରପତି ଜଷ୍ଟିସ୍ ସଂଗମ କୁମାର ସାହୁ ସମସ୍ତ ଅଭିଯୋଗରୁ ଶ୍ରୀ ମହାରଣାଙ୍କୁ ଦୋଷମୁକ୍ତ କରିବା ସହିତ ସିବିଆଇ ଅଦାଲତର ଦଣ୍ଡକୁ ରଦ୍ଦ କରିଛନ୍ତି। ଶ୍ରୀ ମହାରଣାଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ଓ ସୁଦୀପ୍ତ ପଣ୍ଡା ମାମଲା ପରିଚାଳନା କରୁଥିଲେ।