ଭୁବନେଶ୍ବର : ଖାକିରୁ ଲିଭୁନି ଲାଞ୍ଚ ଛିଟା। ଭିଜିଲାନ୍ସ ପଞ୍ଝାରେ ଫସୁଥିଲେ ବି କମିସନରେଟ୍ ପୁଲିସରେ ଲାଞ୍ଚୁଆ ପୁଲିସ ବାବୁଙ୍କ ସଂଖ୍ୟା କମୁନାହିଁ। ଭିଜିଲାନ୍ସ ମାତ୍ର କେତୋଟି ହାତଗଣତି ମାମଲାରେ ଲାଞ୍ଚୁଆ ପୁଲିସ କର୍ମଚାରୀଙ୍କୁ ଗିରଫ କରିବାରେ ସଫଳ ହେଉଛି ସିନା ଲାଞ୍ଚ କାରବାର ଥମିବା ନାଁ ଧରୁନାହିଁ। ବହୁ ମାମଲା ଚାପି ହୋଇଯାଉଛି। ସାଧାରଣ ଜନତାଙ୍କୁ ସୁରକ୍ଷା ଦେବାକୁ ବାଡ଼ ଭଳି କାମ କରିବାକୁ ଥିବା ପୁଲିସ ବିଭାଗ ନିଜେ ଫସଲ ଖାଉଛି। ବର୍ଷକ ମଧ୍ୟରେ ଖୋଦ୍ କମିସନରେଟ୍ ପୁଲିସରେ ଚାରି ଚାରି ଜଣ ପୁଲିସ ବାବୁଙ୍କୁ ଭିଜିଲାନ୍ସ ଟ୍ରାପ୍ କରିବା ଏବଂ ଗତ ୪ ବର୍ଷରେ ସମଗ୍ର ରାଜ୍ୟରୁ ୪୫ ଜଣଙ୍କ ଭିଜିଲାନ୍ସ ମାମଲାରେ ଛନ୍ଦି ହେବା, ରାଜ୍ୟ ଗୃହ ବିଭାଗରେ କେତେ ମାତ୍ରାରେ ଦୁର୍ନୀତିଗ୍ରସ୍ତ ଜଳଜଳ ହୋଇ ଦେଖାଯାଉଛି।
ଗୁରୁବାର ଦିନ ଖଣ୍ଡଗିରି ଥାନା ଏସ୍ଆଇ ସୁଶାନ୍ତ ସ୍ବାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସରେ ହାତରେ ଧରାପଡ଼ିଛନ୍ତି। ଏକ ମାମଲାର ରଫଦଫା ପାଇଁ ସେ ଜଣେ ବିଲ୍ଡରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ କାବୁ କରିଛି। ତାଙ୍କ ସହିତ ଥାନାର ଡାଟା ଏଣ୍ଟ୍ରିଅପରେଟର୍ ଚିରଞ୍ଜିବୀ ବାଲା ମଧ୍ୟ ଅଟକ ଅଛନ୍ତି। ଏସ୍ଆଇ ସୁଶାନ୍ତଙ୍କୁ ଧରିବା ପରେ ଭିଜିଲାନ୍ସ ଟିମ୍ ଏକକାଳୀନ ତାଙ୍କ ଘାଟିକିଆସ୍ଥିତ ଫ୍ଲାଟ୍ ଓ କଟକସ୍ଥିତ ପୈତୃକ ଘରେ ଚଢ଼ଉ ଜାରି ରଖିଛି। ସେହିଭଳି ୨୦୨୨ ଫେବ୍ରୁଆରି ୪ରେ ଚୋରା ମଦ କାରବାରକୁ ପ୍ରଶ୍ରୟ ଦେବା ଲାଞ୍ଚ ନେବା ବେଳେ ମଞ୍ଚେଶ୍ବର ଥାନାର ଏଏସ୍ଆଇ ରବିନାରାୟଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ପାଣ୍ଡରାସ୍ଥିତ ଏକ ଢାବା ମାଲିକଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ଗତ ବର୍ଷ ଅଗଷ୍ଟ ୩ରେ ବାଲିପାଟଣା ଥାନାର ଏଏସ୍ଆଇ ପୁଷ୍ପଲତା ପାଇକରାୟ ୫ ହଜାର ଟଙ୍କା ଲାଞ୍ଚ ପାଇଁ ଭିଜିଲାନ୍ସ ଟିମ୍ ହାତରେ ଗିରଫ ହୋଇଥିଲେ। ଏକ ମାର୍ପିଟ ମାମଲାର ରଫାଦଫା ପାଇଁ ସେ ନରିଶୋ ପଞ୍ଚାୟତ କଣ୍ଟାପଡ଼ା ଗ୍ରାମର ନୃସିଂହ ସେନାପତିଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ଥିଲା ଯେ ସେ କମିସନରେଟ ପୁଲିସରେ ଡିଜି ଡିସ୍କ ସମ୍ମାନରେ ସମ୍ମାନିତ ହୋଇଥିଲେ।
ସେହିପରି ଗତ ଡିସେମ୍ବର ୧୫ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତମାଣ୍ଡୋ ଥାନା ଏସ୍ଆଇ ଅଭିମନ୍ୟୁ ଚୌଧୁରୀ ଭିଜିଲାନ୍ସ ଜାଲରେ ଫସିଥିଲେ। ପାଇକନଗରରେ ୧୦ହଜାର ବର୍ଗଫୁଟ୍ରେ ନିର୍ମିତ ଦେଢ଼ କୋଟିରୁ ଊର୍ଧ୍ବ ଟଙ୍କାର ୪ ମହଲା କୋଠା, ନଗଦ ଏକ ଲକ୍ଷ ୭୫ହଜାର ଟଙ୍କା ଓ ପୁଳା ପୁଳା ସୁନା ଗହଣା ଜବତ କରାଯାଇଥିଲା। ସେହିପରି ରାଜଧାନୀରେ ତାଙ୍କର ୭ଟି ଏବଂ ନୟାଗଡ଼ରେ ଗୋଟିଏ ଏମିତି ମୋଟ ୮ଟି ପ୍ଲଟ୍ ଠାବ କରାଯାଇଥିଲା।
୪ ବର୍ଷରେ ୪୫ ଦୁର୍ନୀତିଖୋର୍ ଭିଜିଲାନ୍ସ ଜାଲରେ
ଗତ ୨୦୧୭ରୁ ୨୦୨୧ ମସିହା, ଏହି ୪ ବର୍ଷରେ ଦୁର୍ନୀତିରେ ଲିପ୍ତ ଥିବା ଜଣେ ଡିଏସ୍ପିଙ୍କ ସମେତ ୪୫ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସରେ ମାମଲା ହୋଇଛି। ଏଥିରେ ସର୍ବାଧିକ ୨୬ଜଣ ପୁଲିସ ସବ୍ଇନ୍ସପେକ୍ଟର, ୧୮ଜଣ ଇନ୍ସପେକ୍ଟର ଏବଂ ଜଣେ ଡିଏସ୍ପିଙ୍କ ନାମ ରହିଛି। ୨୦୧୭ ମସିହାରେ ୩ ଜଣ ସବ୍ଇନ୍ସପେକ୍ଟର ଓ ୬ ଜଣ ଇନ୍ସପେକ୍ଟରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ୧୨ ଜଣ ଏସ୍ଆଇ ଓ ୪ଜଣ ଇନ୍ସପେକ୍ଟର ନାମରେ ମାମଲା ହୋଇଛି। ସେହିପରି ୨୦୧୯ରେ ଜଣେ ଡିଏସ୍ପି, ୪ଜଣ ଏସ୍ଆଇ ଓ ୪ଜଣ ଇନ୍ସପେକ୍ଟର, ୨୦୨୦ରେ ୩ଜଣ ଏସ୍ଆଇ ଓ ଜଣେ ଇନ୍ସପେକ୍ଟର ଏବଂ ୨୦୨୧ରେ ୪ଜଣ ଏସ୍ଆଇ ଓ ୩ଜଣ ଇନ୍ସପେକ୍ଟରଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ କରିଛି।