ହୋଲ୍ଡିଂ ଟ୍ୟାକ୍ସ କମାଇଦେବାକୁ ଲାଞ୍ଚ

ଭୁବନେଶ୍ବର: ହୋଲ୍ଡିଂ ଟ୍ୟାକ୍ସ କମ୍‌ କରିବାକୁ ବା ବିଲକୁଲ ଆକଳନ ନ କରିବାକୁ ଯେଉଁ ଲାଞ୍ଚ କାରବାର କଥା ଉଠିଥିଲା ତାହା ସତ ପ୍ରମାଣିତ ହୋଇଛି। ଆଜି ହୋଲ୍ଡିଂ ଟ୍ୟାକ୍ସ କମ୍‌ କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଏମ୍‌ସିର ଜଣେ ୱାର୍ଡ ଅଫିସର ଓ ଜଣେ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସେମାନେ ହେଉଛନ୍ତି ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୱାର୍ଡ ଅଫିସର ଭାବେ କାମ କରୁଥିବା ହେମନ୍ତ କୁମାର ସାହୁ ଓ ଏହି ଜୋନ୍‌ରୁ ଟ୍ୟାକ୍ସ କଲେକ୍ଟର ଭାବେ ଅବସର ନେଇଥିବା ଯୋଗେନ୍ଦ୍ର ପ୍ରଧାନ। ଖଣ୍ଡଗିରିବାରି କମ୍ୟୁନିଟି ସେଣ୍ଟରରେ ଥିବା ୱାର୍ଡ ଅଫିସ୍‌ରେ ଏହି ଲାଞ୍ଚ କାରବାର ହେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ ଉଭୟଙ୍କୁ କାବୁ କରିଛନ୍ତି। ଉଭୟଙ୍କ ପାଖରୁ ୭ହଜାର ୫ଶହ ଲେଖାଏଁ ଜବତ କରାଯାଇଛି। ଉଭୟ ଅପରାଧ ସ୍ବୀକାର କରିଛନ୍ତି। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ପରେ ଶ୍ରୀ ସାହୁଙ୍କର ସୌଭାଗ୍ୟ ନଗରରେ ଥିବା ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉ ବେଳେ ଭୁବନେଶ୍ବରରେ ଶ୍ରୀ ସାହୁଙ୍କର ଅନ୍ୟ ଜାଗାରେ ସମ୍ପତ୍ତି ରହିଥିବା ଭିଜିଲାନ୍ସ ସୂଚନା ପାଇଛି। ସେହିଭଳି ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ପ୍ରଧାନଙ୍କର ରାମେଶ୍ବର ପାଟଣାରେ ୫୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଘର ରହିଥିବା ଜଣାପଡ଼ିଛି। ସେ ସବୁର ଆକଳନ ଚାଲିଛି ବୋଲି ଭିଜିଲାନ୍ସ କହିଛି। ଖଣ୍ଡଗିରି ଅଞ୍ଚଳର ଏକ ବାଣିଜ୍ୟିକ ହୋଲ୍ଡିଂକୁ ଆବାସିକରେ ପରିବର୍ତ୍ତନ କରିବାକୁ ଉଭୟ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଭିଜିଲାନ୍ସକୁ ଖବର ଯିବା ପରେ ଆଜି ସେମାନଙ୍କୁ ଧରିବା ପାଇଁ ଯୋଜନା ହୋଇଥିଲା।

ଧରାପଡ଼ିଲେ ବିଏମ୍‌ସି କର୍ମଚାରୀଙ୍କ ସମେତ ଅବସରପ୍ରାପ୍ତ କର୍ମଚାରୀ
ଟିପାଖାତାରେ ଚାଲିଛି ଟ୍ୟାକ୍ସ ସେକ୍ସନ

୨୦୧୯ ମସିହାରେ ଅବସର ନେବା ପରେ ଯୋଗେନ୍ଦ୍ର ଏହି କାର୍ଯ୍ୟାଳୟରେ ବସି ରହୁଥିଲେ। ତାଙ୍କ ପାଖରେ ସବୁ ହିସାବ ଥିବାରୁ କେଉଁଠୁ କେତେ ପଇସା ଆସିବ ତାହାର ବାଟ ଦେଖାଉଥିଲେ। ଏମାନଙ୍କୁ ଲୋକମାନେ ଗୁରୁ-ଚେଲା ଆଖ୍ୟା ଦେଇଥିଲେ। ପ୍ରଶ୍ନ ଉଠୁଛି, ଦୀର୍ଘ ତିନିବର୍ଷ ଧରି ସେ ଏଠାରେ ବସି ରହି ଏହି କାରବାର କରୁଥିଲେ ମଧ୍ୟ ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ତାହାର ସୁରାକ୍ ପାଇଲେନି କିପରି? ଦକ୍ଷିଣ ପଶ୍ଚିମ ଜୋନ୍‌ର ଜେଡ୍‌ଡିସି ଓ ସୁପରଭାଇଜର ସତରେ କ’ଣ ଏ ସମ୍ପର୍କରେ କିଛି ଜାଣି ନଥିଲେ ନା ଜାଣି ଅଜଣା ଥିଲେ? ଏପ୍ରିଲ ମାସରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଓ ନୂଆ ଅଟକଳ କେବଳ ଅନ୍‌ଲାଇନ୍‌ରେ ହେଉଥିବା ବେଳେ ଜେଡ୍‌ଡିସି କିଭଳି ନଗଦ ଆଦାୟ କରିବାକୁ ସ୍ବୀକୃତି ଦେଇଥିଲେ? ଗୋଟିଏ ୱାର୍ଡରେ ଏହି କାରବାର ଚାଲିଥିଲା ନା ସବୁ ୱାର୍ଡରେ ଏଭଳି କର୍ମଚାରୀ ଅଛନ୍ତି? ଏ ସବୁ ପ୍ରଶ୍ନ ଏବେ ବରିଷ୍ଠ ଅଧିକାରୀଙ୍କୁ ସନ୍ଦେହ ଘେରକୁ ଟାଣିଛି। ଅଧିକାରୀ-କର୍ମଚାରୀ ମିଳିମିଶି ହୋଲ୍ଡିଂ ଟ୍ୟାକ୍ସ ଚଳୁ କରୁଥିବା ଚର୍ଚ୍ଚା ହେଉଛି।

ଏହି ଦୁଇଜଣ ଧରାପଡ଼ିବା ପରେ ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହ ପଛରେ ଥିବା କେଳେଙ୍କାରୀ ପଦାକୁ ଆସିଛି। ହୋଲ୍ଡିଂ ଟ୍ୟାକ୍ସକୁ ନେଇ ଏକ ଡିସିବି(ଡିମାଣ୍ଡ କଲେକ୍ସନ ବାଲାନ୍ସ) ରେଜିଷ୍ଟର କାମ କରିବା କଥା। ହେଲେ୧୦ ବର୍ଷ ଧରି ଏହି ରେଜିଷ୍ଟରରେ ତଥ୍ୟ ଉଲ୍ଲେଖ କରାଯାଉ ନାହିଁ। ବର୍ଷକୁ ବର୍ଷ ଏକ ଡିଫଲ୍ଟର ଲିଷ୍ଟ ତିଆରି ହେବା କଥା ହେଲେ ତାହା ହେଉ ନାହିଁ। ନିୟମିତ କୌଣସି ରେକର୍ଡ ରହୁନାହିଁ କିମ୍ବା ସମୀକ୍ଷା ହେଉନାହିଁ। ଏହି ଉପବିଭାଗଟି କେବଳ ଟିପା ଖାତାରେ ଚାଲିଥିବା ଜଣାପଡ଼ିଛି। ୩ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ହୋଲ୍ଡିଂ ଟ୍ୟାକ୍ସ ବାକି ରହିଲେ ମାମଲା ରୁଜୁ କରି ଆଦାୟ କରିବା କଥା‌। ହେଲେ ଗୋଟିଏ ମାମଲା ହେଉ ନାହିଁ, ସମ୍ପୃକ୍ତ ଅର୍ଥ ଟ୍ୟା‌କ୍ସ କଲେକ୍ଟର ଓ ଅଫିସରଙ୍କ ପକେଟ୍‌କୁ ଯାଉଛି। ଜେଡ୍‌ଡିସି-ଟ୍ୟାକ୍ସ କଲେକ୍ଟର ମିଳିମିଶି ରହୁଥିବାରୁ ଗୋଟିଏ ହେଲେ ଜୋନ୍‌ ଅଫିସ୍‌ରେ ସମୀକ୍ଷା ବୈଠକ ହେଉ ନାହିଁ। ଅନ୍‌ଲାଇନ୍‌ ହେବା ପରେ ମଧ୍ୟ ଏହି କାରବାର ଅନ୍‌ଲାଇନ୍‌ରେ କରାଯାଉ ନାହିଁ।

ଅନ୍ୟପଟେ ଭିଜିଲାନ୍ସରେ ଦୁଇଜଣ ଧରାପଡ଼ିବା ପରେ ତନାଘନା ହୋଇଛି। ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଅପରାହ୍ନରେ ରାଜସ୍ବ ଉପବିଭାଗର ସମୀକ୍ଷା କରିଛନ୍ତି। ବିଏମ୍‌ସିର କିଭଳି ରାଜସ୍ବ ବଢ଼ିବ, ହୋଲ୍ଡିଂ ଟ୍ୟାକ୍ସ କିଭଳି ବାଟମାରଣା ହେବ ନାହିଁ ତାହା ଉପରେ ଗୁରୁତ୍ବ ଦେଇଛନ୍ତି। ପ୍ରତ୍ୟେକ ୱାର୍ଡ ଅଫିସରଙ୍କୁ ଟାବଲେଟ୍‌ ଯୋଗାଇ ଦିଆଯିବ। ସେମାନେ ଅନ୍‌ଲାଇନ୍‌ ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହକୁ ପ୍ରୋତ୍ସାହିତ କରିବେ। ସମୀକ୍ଷା ବେଳେ ଜଣାପଡ଼ିଛି କି ଗତ ବର୍ଷ ଜୁଲାଇ ସୁଦ୍ଧା ୫ କୋଟି ୮୭ ଲକ୍ଷ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ଅନ୍‌ଲାଇନ୍‌ ହେବା(ଏପ୍ରିଲ୍‌ରୁ) ପରେ ଜୁନ୍‌ ପର୍ଯ୍ୟନ୍ତ ୨୦ କୋଟି ୧୧ ଲକ୍ଷ ଆଦାୟ ହୋଇଛି। ଏହି ଅବଧିରେ ହୋଲ୍ଡିଂ ଟ୍ୟାକ୍ସ ନୂଆ ଆକଳନ ଗତବର୍ଷ ୧୫୦ଟି ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍‌ ସୁଦ୍ଧା ୩୨୧୦ ଟି ହୋଇଛି। ଅନ୍‌ଲାଇନ୍‌ରେ ଲୋକମାନଙ୍କୁ ସହଜ ହେବା ସହ ବିଏମ୍‌ସିର ରାଜସ୍ବ ବଢ଼ୁଥିଲେ ମଧ୍ୟ କେତେକ ଅଧିକାରୀ ଓ କର୍ମଚାରୀ ମିଶି ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ବୁଡ଼ାଇ ଦେବାକୁ ବସିଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର