ଜାତୀୟ ରାଜପଥରେ ବରଯାତ୍ରୀ ଶୋଭାଯାତ୍ରା: ଫସିଲା ଗାଡ଼ି, ୪ ଘଣ୍ଟା ଦହଗଞ୍ଜ, ପୁରୀ ବାଇପାସ୍‌ରେ ଯାତାୟାତ ଠପ୍‌

ବେଆଇନ ଭାବେ ଚାଲୁଛି ବିବାହ ମଣ୍ଡପ, ଲାଞ୍ଚ ନେଇ ଅନୁମତି ଦେଉଛି ପୁଲିସ!

ଭୁବନେଶ୍ବର : ରାତି ପ୍ରାୟ ସା‌ଢ଼େ ୧୦ଟା। ପୁରୀ ବାଇପାସ୍‌ ଜାତୀୟ ରାଜପଥ ପୂରା ଭାବେ ଜାମ୍ ହୋଇଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଟଙ୍କପାଣି ସାଇମନ୍ଦିର ଛକରୁ ସତ୍ୟବିହାର ଛକ ପର୍ଯ୍ୟନ୍ତ ରାସ୍ତା ପୂରା ଅଚଳ ହୋଇଯାଇଥିଲା। ସଂଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାଇପାସ୍‌ରେ ଯାତାୟାତ ଠପ୍‌ । ମାଳମାଳ ଗାଡ଼ି ପଛକୁ ପଛ ରାସ୍ତାରେ ଅଟକି ରହିଥିବା ବେଳେ ଲୋକମାନେ ଅକଥନୀୟ ଯନ୍ତ୍ରଣା ଭେଗିଥିଲେ। ବିବାହ ଲଗ୍ନ ଥିବାରୁ ଏକାଧିକ ମଣ୍ଡପରେ ବାହାଘର ଥିଲା। ତେଣୁ ସଂଧ୍ୟା ସାତଟାରୁ ଆରମ୍ଭ ହୋଇଥିଲା ଶୋଭାଯାତ୍ରା ଓ ଡିଜେ ବଜା। ଫଳରେ ଶହଶହ ସଂଖ୍ୟାରେ ଗାଡ଼ି ରାସ୍ତାରେ ଅଟକି ରହିଥିଲେ। ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଲୋକମାନେ ମଧ୍ୟ ଫେରିବା ନେଇ ସମସ୍ୟାରେ ପଡ଼ିଥିଲେ। ଫଳରେ ଅନେକ ଗଳି ରାସ୍ତାରେ ଯିବା ଆରମ୍ଭ କରିଥିଲେ। ଗଳିରେ ମଧ୍ୟ ରାତି ୧୦ଟାରୁ ଜାମ୍ ଆରମ୍ଭ ହୋଇଯାଇଥିଲା।

ବଡ଼ କଥା ହେଉଛି, ରାତି ୧୦ଟା ପରେ ଉଚ୍ଚ ସ୍ବରରେ ଡିଜେ ବଜାଇବା, ଶୋଭାଯାତ୍ରା କରିବା ନିୟମ ନ ଥିବା ବେଳେ ଏସବୁ କିନ୍ତୁ ସେହି ବାଇପାସ୍ ରାସ୍ତାରେ ବିନ୍ଦାସରେ ଚାଲୁଥିଲା। ସ୍ଥାନୀୟ ଲୋକ କହିଛନ୍ତି, କେବଳ ଆଜି ନୁହେଁ, ପୂର୍ବରୁ ମଧ୍ୟ ବିବାହ ଲଗ୍ନରେ ଆମେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେବେ ବାଇପାସ୍‌ ରାସ୍ତା ମଞ୍ଚେଶ୍ବର, ସହିଦନଗର, ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଥାନା ଅଞ୍ଚଳରେ ଆସୁଛି। ସ୍ଥାନୀୟ ଲୋକ ଏନେଇ ପୁଲିସକୁ ଖବର ଦେଲେ ଥାନାଗୁଡ଼ିକ ଏହି ଏରିଆ ଆମର ନୁହେଁ ବୋଲି କହୁଛନ୍ତି। ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଦେଲେ ପିସିଆର ଭ୍ୟାନ ଆସୁଛି, କିନ୍ତୁ କିଛି ସମୟରେ ପିସିଆର ଭ୍ୟାନ ଗଲା ପରେ ପୁଣି ଥରେ ଆରମ୍ଭ ହୋଇ ଯାଉଛି ଶୋଭାଯାତ୍ରା ସାଙ୍ଗକୁ ଡିଜେ ତାଳେ ତାଳେ ବରଯାତ୍ରୀଙ୍କ ନାଚ। ସ୍ଥାନୀୟ ପୁଲିସ ଲାଞ୍ଚ ନେଇ ବରଯାତ୍ରୀଙ୍କୁ ଶୋଭାଯାତ୍ରା ପାଇଁ ଅନୁମତି ଦେବା ସହ ବେଆଇନ ଭାବେ ରାଜପଥ କଡ଼ରେ ଥିବା ମଣ୍ଡପ ଓ ହୋଟେଲ ଚଳାଇବାକୁ ଅନୁମତି ଦେଉଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି।

ଅପରପକ୍ଷରେ କୌଣସି ବି ପରିସ୍ଥିତିରେ ରାଜପଥ ଉପରେ ବିବ‌ାହ ଶୋଭାଯାତ୍ରା ଯାଇ ପାରିବ ନାହିଁ କିମ୍ବା କେହି ଡିଜେ ବଜାଇ ପାରିବେ ନାହିଁ ବୋଲି କମିସନରେଟ ପୁଲିସର ନିୟମ ରହିଛି। ଯଦି ବା ରାଜପଥରେ କୌଣସି ବିବାହ ମଣ୍ଡପ, ହୋଟେଲ ବା କଲ୍ୟାଣ ମଣ୍ଡପ ଥିବ, ତେବେ ତା’ ପଛପଟ ରାସ୍ତାରୁ ଶୋଭାଯାତ୍ରା ଆଣି ପଛ ଗେଟ୍‌ରେ ବର ଓ ବରଯାତ୍ରୀମାନେ ପ୍ରବେଶ କରିବେ। କିନ୍ତୁ ଏ ସବୁ ନିୟମ କେବଳ ପୁଲିସର କାଗଜପତ୍ରରେ ରହିଯାଇଛି। ବିବାହ ପାଇଁ ଜାତୀୟ ରାଜପଥ କଡ଼ରେ ଥିବା କିଛି ମଣ୍ଡପ ଓ ହୋଟେଲ ମାଲିକ ଖୋଲାଖୋଲି ଭାବେ ନିୟମକୁ ଉଲ୍ଲଂଘନ କରୁଛନ୍ତି। ଡିସିପି ଅଫିସର ଲାଇସେନ୍ସ ସେଲ୍ ସେ ସବୁ ସ୍ଥାନରେ ବିବାହ କରିବାକୁ ଅନୁମତି ଦେଇ ନଥିଲେ ମଧ୍ୟ ସ୍ଥାନୀୟ ଥାନା ଏହାର ଫାଇଦା ଉଠାଉଛନ୍ତି। ପିସିଆର ଭ୍ୟାନ କର୍ମଚାରୀ ଲାଞ୍ଚ ନେଇ ଏଭଳି ବେଆଇନ କାରବାରକୁ ଅନୁମତି ଦେଉଥିବା ଅଭିଯୋଗ ହେଉଛି।

ଏ ସମ୍ପର୍କରେ ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ଲାଇସେନ୍ସ ସେଲ୍‌ର ଜଣେ ଅଧିକାରୀଙ୍କୁ ପଚାରିବାରେ ସେ କହିଥିଲେ, ଆମେ ସେହି ରାସ୍ତାରେ ବିବାହ ଶୋଭାଯାତ୍ରା ନେବାପାଇଁ କାହାକୁ ଅନୁମତି ଦେଉନାହୁଁ। ଯଦି ସେହି ରାସ୍ତାରେ ଶୋଭାଯାତ୍ରା ଯାଉଛି ତେବେ ସ୍ଥାନୀୟ ଥାନା ପୁଲିସ ଏନେଇ ପଦକ୍ଷେପ ନେବା କଥା। ଡିଜେକୁ ଜବତ କରିବା ସହିତ ବର ଓ କନ୍ୟାର ପରିବାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା।

ସମ୍ବନ୍ଧିତ ଖବର