ଭୁବନେଶ୍ବର: ଚାଳକଙ୍କ ପାଇଁ ବିପଦ ସାଜିଛି ରସୁଲଗଡ଼ ଜିଜିପି କଲୋନି ନାଳ। ଭାଙ୍ଗି ଗଳି ପଡ଼ିଲାଣି ରାସ୍ତାର ରିଟେନିଂ ୱାଲ୍। ସ୍ଥିତି ଏପରି ଯେ ଏଠାରେ ନିୟମିତ ଟ୍ରାଫିକ ଜାମ୍ ହେଉଛି ଓ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ସେପଟେ ଏହି ବିପଦ ତଥା ଦୁର୍ଘଟଣା ମାତ୍ରାକୁ ଆହୁରି ବଢ଼ାଇ ଦେଇଛି ଖୋଲାମେଲା ଡ୍ରେନ୍। ତଥାପି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ କହିଛନ୍ତି। 

Advertisment

ଜିଜିପି କଲୋନି ଭୁବନେଶ୍ବର ମହାନଗର ନିଗମର ଏକ ପ୍ରମୁଖ ଅଞ୍ଚଳ। ପୁରୀ ବାଇପାସ୍ ଜାତୀୟ ରାଜପଥକୁ ଯା’ଆସ ପାଇଁ ଏହି କଲୋନି ଦେଇ ହଜାର ହଜାର ସଂଖ୍ୟାରେ ଲୋକେ ଯା’ଆସ କରିଥାନ୍ତି। ଜିଜିପି କଲୋନି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପାର୍ଶ୍ବରୁ ପାଣ୍ଡରା ଛକ ଯିବା ରାସ୍ତାରେ ରହିଛି ଭୁବନେଶ୍ବର ମହାନଗର ନିଗମର ଏକ ମୁଖ୍ୟ ନାଳ। ଏଠାରେ ଏକ ବ୍ରିଜ୍ ରହିଛି, ଯାହା କଡ଼ ଦେଇ ଭୁବନେଶ୍ବର ସହରର ଆବର୍ଜନା ପାଣି ନିଷ୍କାସିତ ହେଉଛି। ନାଳ ଉପରେ ପାଣି ପାଇପ୍ ବି ଯାଇଛି। କିନ୍ତୁ ଏହି ବ୍ରିଜ୍‌ର ରିଟେନିଂ ୱାଲ୍ ସବୁ ବହୁଦିନରୁ ଭାଙ୍ଗି ଗଳି ପଡ଼ିଲାଣି। କିନ୍ତୁ ମହାନଗର ନିଗମ ହେଉ କି ପୂର୍ତ୍ତ ବିଭାଗ, ଏହାର ମରାମତି କରୁନାହାନ୍ତି। ସେପଟେ ନାଳ ବି ଖୋଲାମେଲାରେ ରହିଛି।

ସ୍ଲାବ୍‌ ନ ଥିବାରୁ ବୁଲାଣି ବୁଲିବା ବେଳେ ଚାଳକମାନେ ଏହି ନାଳକୁ ଖସି ମୃତାହତ ହେବା ଆଶଙ୍କା ରହିଛି। ପ୍ରତିଦିନ ବହୁସଂଖ୍ୟାରେ ଦୁଇଚକିଆ, ଚାରିଚକିଆ ଗାଡ଼ି ଏହି ବୁଲାଣି ଦେଇ ପାଣ୍ଡରା ଟ୍ରାଫିକ୍‌ ଛକରେ ବାହାରୁଥିବାବେଳେ ସ୍ଥିତି ଏପରି ଯେ ଏମାନେ ନାଳକୁ ଖସି ପଡ଼ିବାର ଆଶଙ୍କା ରହିଛି। ଅନେକ ସମୟରେ ରାସ୍ତା ଜାମ୍‌ କାରଣରୁ କାର୍‌ ସବୁ ଏଠି ଦୁର୍ଘଟଣାଗ୍ରସ୍ତ ହେଉଛି। ଏଣୁ କୌଣସି ବଡ଼ ଅଘଟଣ ପୂର୍ବରୁ ନାଳରେ ସ୍ଲାବ୍‌ ପକାଇବା ସହ ସ୍ଥାୟୀ ରିଟେନିଂ ୱାଲ୍ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।