ମେଧାବୀ ପିଲା ଦେଶାନ୍ତର ହେବାର ଲକ୍ଷ୍ୟ ରଖୁଛନ୍ତି: ସୌମ୍ୟ

ଭୁବନେଶ୍ୱର: ଓଡ଼ିଆ ବରପୁତ୍ରମାନଙ୍କ ଜୀବନୀରୁ ଜଣାପଡ଼ୁଛି ସେମାନେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ନିଜକୁ ପ୍ରତିଷ୍ଠିତ କରିଛନ୍ତି। ମାତ୍ର ଏବେ ପିଲାଙ୍କୁ ପୋଷାକ, ବହି, ଅଣ୍ଡା, ସାଇକେଲ୍‌, ଲାପଟପ୍‌ ଦେଇ ମଧ୍ୟ ୮ମ ଶ୍ରେଣୀ ପିଲା ୫ମ ଶ୍ରେଣୀ ପାଠକୁ ଆୟତ୍ତ କରିପାରୁନାହାନ୍ତି। ଏହାକୁ କିଭଳି ମୁକାବିଲା କରାଯିବ ଏବେ ଏହା ଏକ ଗମ୍ଭୀର ପ୍ରଶ୍ନ। ବାସ୍ତବରେ ସରକାରୀ ସ୍କୁଲ୍‌ରେ ନେତା, ଖଣି ମାଲିକ, ରିଅଲ୍‌ ଇଷ୍ଟେଟ୍‌ ମାଲିକ, ସାମ୍ବାଦିକ, ବଡ଼ ଅଫିସରଙ୍କ ପିଲାମାନେ ପାଠ ପଢ଼ନ୍ତି ନାହିଁ। ସରକାରୀ ସ୍କୁଲ୍‌ରେ ୮୦-୯୦ ଭାଗ ପିଲା ପାଠ ପଢ଼ୁଥିବା ବେଳେ ଭଲ ପାଠ ପଢ଼ୁଥିବା ୧୦ ଭାଗ ମେଧାବୀ ପିଲା ଦେଶାନ୍ତର ହେବାର ଲକ୍ଷ୍ୟ ରଖୁଛନ୍ତି ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। ପୁରାତନ ଛାତ୍ରସଂଘ ପକ୍ଷରୁ ୟୁନିଟ୍‌ ୮ ସରକାରୀ ବାଳକ ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ‘ସରକାରୀ ସ୍କୁଲ୍‌ରେ ଶିକ୍ଷା ବ୍ୟବସ୍ଥା: ସମସ୍ୟା, ଆହ୍ଵାନ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଲେ, ଅର୍ଥାଭାବରୁ ଶିକ୍ଷାନୁଷ୍ଠାନକୁ ସଜାଡ଼ିବାକୁ ପୁରାତନ ଛାତ୍ରଛାତ୍ରୀମାନେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ଵାନ ସ୍ୱାଗତଯୋଗ୍ୟ। ଏହି ଅଭିଯାନରେ ସାମିଲ୍‌ ହୋଇ ପୁରାତନ ଛାତ୍ରଛାତ୍ରୀମାନେ ନିଜର ଋଣ ଶୁଝିପାରିବେ।

ଗାନ୍ଧିବାଦୀ ନେତା ପଦ୍ମଚରଣ ନାୟକ କହିଲେ, ମୌଳିକ ଶିକ୍ଷାରେ ବୁଦ୍ଧି, ହାତ ଓ ହୃଦୟ ମଜବୁତ ହୁଏ। ସଂପ୍ରତି ଏହାର ଆବଶ୍ୟକତା ରହିଛି। ପୂର୍ବତନ ପ୍ରଧାନ ଶିକ୍ଷକ ନିରଂଜନ ପଣ୍ଡା କହିଲେ, ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଭଲ ବିଲ୍‌ଡିଂ ଓ ଚାକଚକ୍ୟ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଭଲ ଶିକ୍ଷକ ନିଯୁକ୍ତି ହିଁ ଉପଯୁକ୍ତ ନିଷ୍ପତ୍ତି। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର କହିଲେ, ଆମ ପାଖରେ ପ୍ରାଚୁର୍ଯ୍ୟ ଭରି ରହିଛି। କିନ୍ତୁ ଉଚିତ୍‌ ମାର୍ଗଦର୍ଶନ ଅଭାବରୁ ଶିକ୍ଷା ନାଁରେ ବହୁ ଯୋଜନା କରି ବି ଆମେ ସଫଳ ହୋଇପାରିନୁ। ପ୍ରଫେସର ଚିତ୍ତ ବରାଳ କହିଲେ, ପାଠ ବହି ସହ ଅନ୍ୟ ବହି ପଢ଼ିବା ଦ୍ୱାରା ହିଁ ପିଲାମାନଙ୍କର ବୁଝିବାର ଶକ୍ତି ପ୍ରଖର ହୋଇଥାଏ। ପ୍ରଫେସର ସରୋଜ ସାହୁ କହିଲେ, ନିଜକୁ ପ୍ରସ୍ତୁତ କଲେ ତମେ ସଫଳତା ନୁହେଁ ସଫଳତା ତୁମକୁ ଅନୁକରଣ କରିବ। ବିକାଶ ଚାରିଟେବଲ୍‌ ଟ୍ରଷ୍ଟ୍‍ର ସୁବାସ ଚନ୍ଦ୍ର ଚୌଧୁରୀ, ପୂର୍ବତନ ପ୍ରଧାନ ଶିକ୍ଷକ ସୁବଳ ଚରଣ ଭୋଳ, ସିଟିଟିସି ଏମ୍‌ଡି ଶିବାଶିଷ ମାଇତି, ସଂଜୟ ତ୍ରିପାଠୀ, ପ୍ରଧାନ ଶିକ୍ଷୟିତ୍ରୀ ବିଥିକା ରାୟ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପୁରାତନ ଛାତ୍ର ସଂସଦର ଉପସଭାପତି ଧନଦାକାନ୍ତ ମିଶ୍ର। ସାରଦା ପ୍ରସନ୍ନ କର ପିଲାମାନଙ୍କ ସହ ପ୍ରଶ୍ନୋତ୍ତରୀ ମାଧ୍ୟମରେ ଏକ ଉଚ୍ଚାଙ୍ଗ ପରିବେଶ ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର