ଭୁବନେଶ୍ବର: ୫/୬ଘଣ୍ଟା ପୂର୍ବରୁ ବିରି ବତୁରାଅ, ବତୁରିବା ପରେ ବିରିକୁ ଭଲ ଭାବେ ଧୋଇ ଏହାକୁ ଗ୍ରାଇଣ୍ଡରରେ ପେଶି ଏହାର ଆଣ ପ୍ରସ୍ତୁତ କର ଓ ପରେ ଏହାକୁ ଚାଉଳ ଚୂନାରେ ମିଶାଇ ଚକୁଳି କିମ୍ବା ସୁଜି, ପିଆଜ, ଭୃସଙ୍ଗ ପତ୍ର ଆଦି ପକାଇ ବରା ତିଆରି କର। ଏସବୁ ପ୍ରକ୍ରିୟା ଭିତରେ ଚକୁଳି ଓ ବରା ଖାଇବାର ଇଚ୍ଛା କେଉଁଠି ମଉଳି ଯାଏ। ସମୟ ଥିଲେ ବି ଏତେ କାମ କରିବାକୁ ମନ ବଳାଏନି, ପୁଣି କେଉଁଠି କେଉଁଠି ଗ୍ରାଇଣ୍ଡର୍ ନ ଥିବାରୁ ପିଠା ଖାଇବାର ଆଶା, ଆଶାରେ ହିଁ ରହିଯାଏ। କିନ୍ତୁ ଏସବୁ ପ୍ରକ୍ରିୟାକୁ ସହଜ କରି ସହରିଆଙ୍କୁ ଆରାମରେ ବରା କିମ୍ବା ଚକୁଳି ଖାଇବାକୁ ସୁଯୋଗ ଦେଉଛି ‘ରିସ୍ତା ହୋମ୍ ଡେଲିଭରି’। ଏହି ରିସ୍ତା ହୋମ୍ ଡେଲିଭରି ପକ୍ଷରୁ ଇଡିଲି, ଦୋସା, ବରା ଓ ଚକୁଳି ଆଦି ପ୍ରସ୍ତୁତ ପାଇଁ ସଠିକ୍ ଭାଗମାପର ଆଣ ଯୋଗାଇ ଦିଆଯାଉଛି। ଗୋଟିଏ ଫୋନ୍ କଲ୍ରେ ଘରେ ବସି ଆପଣ ଆଣ ଅର୍ଡର୍ କରି ଏସବୁ ଖାଦ୍ୟ ପ୍ରସ୍ତୁତ କରି ପାରିବେ। ଚକୁଳି, ବରା ଓ ଦୋସା ଭଳି ଖାଦ୍ୟ ଓଡ଼ିଆଙ୍କ ନିତିଦିନିଆ ଖାଦ୍ୟ ତାଲିକାର ଅନ୍ତର୍ଭୁକ୍ତ। ହେଲେ ଲକ୍ଡାଉନ୍ ପରଠାରୁ ଏହା କିଛି ଲୋକଙ୍କ ପାଇଁ ସ୍ବପ୍ନ ହୋଇଯାଇଛି। ବିଶେଷକରି ହଷ୍ଟେଲ ଓ ମେସ୍ରେ ରହୁଥିବା ଛାତ୍ରଛାତ୍ରୀ, କର୍ମଜୀବୀମାନଙ୍କ ପାଇଁ। ହୋଟେଲ ଓ ଜଳଖିଆ ଦୋକାନ ସବୁ ବନ୍ଦ ହୋଇଯିବା ଫଳରେ ରାଜଧାନୀବାସୀଙ୍କ ପାଇଁ ଏହି ନିତିଦିନିଆ ଖାଦ୍ୟଟି କିଛି ଦିନ ହେଲା ଦୁର୍ମୂଲ୍ୟ ହୋଇଯାଇଛି। କିନ୍ତୁ ରିସ୍ତା ହୋମ୍ ଡେଲିଭରିର ଏହି ଅଭିନବ ପ୍ରୟାସ ରାଜଧାନୀବାସୀଙ୍କ ଗୃହବନ୍ଦୀ ଜୀବନକୁ କିଛିଟା ସରଳ କରିଛି। କେବଳ ଆଣ ନୁହେଁ, ଏହି ସଂସ୍ଥା ପକ୍ଷରୁ ଅଟା, ସୁଜି, ମଇଦା ଓ ଖାଇବା ତେଲ ମଧ୍ୟ ହୋମ୍ ଡେଲିଭରି ଜରିଆରେ ଲୋକଙ୍କ ପାଖକୁ ପହଞ୍ଚାଇ ଦେଇ ହେଉଛି।
ରିସ୍ତା ହୋମ୍ ଡେଲିଭରିର ସ୍ବତ୍ବାଧିକାରୀ ବୁଧିବାବନ ପ୍ରଧାନ କୁହନ୍ତି, ଗତ ୧୦ ତାରିଖରୁ ଏହି ଅନ୍ଲାଇନ୍ ସେବା ଭୁବନେଶ୍ବରରେ ଆରମ୍ଭ ହୋଇଛି। ଭୁବନେଶ୍ବରର ଯେକୌଣସି ସ୍ଥାନରୁ ଗ୍ରାହକ ଆମକୁ ଫୋନ୍ କଲେ ଆମେ ସଙ୍ଗେ ସଙ୍ଗେ ତାଙ୍କ ପାଖରେ ଏସବୁ ନେଇ ପହଞ୍ଚାଇ ଦେଉ। ୬୦୦ ଗ୍ରାମ୍ର ଆଣକୁ ମାତ୍ର ୫୦ ଟଙ୍କା ରହିଛି ଓ ଡେଲିଭରି ଚାର୍ଜ ସମ୍ପୂର୍ଣ୍ଣ ମାଗଣା ଅଛି ବୋଲି ସେ କହିଛନ୍ତି। ଗତ ଦୁଇ ଦିନରେ ଆମେ ଭାବିବାଠାରୁ ଅଧିକ ଗ୍ରାହକଙ୍କ ପ୍ରତିକ୍ରିୟା ଆସିଥିବାରୁ ଆଗକୁ ଏହି ସେବା କଟକରେ ଆରମ୍ଭ କରିବାର ଯୋଜନା ରହିଛି ବୋଲି ସେ କହିଛନ୍ତି। ସକାଳ ୧୦ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସେବା ଖୋଲା ରୁହେ। ତେବେ ବରାଦ କରିବାକୁ ଚାହୁଁଥିବା ଗ୍ରାହକମାନେ ୯୯୩୭୮୬୦୪୮୪କୁ ଯୋଗାଯୋଗ କରି ଅର୍ଡର ଦେଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।