ଭୁବନେଶ୍ବର: ରାଜଧାନୀରରେ ମା’ ଦୁର୍ଗାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ସମସ୍ତ ପୂଜା କମିଟି ପୁରୁଷମାନଙ୍କ ଦାୟିତ୍ବରେ। ହେଲେ ବଡ଼ବଡ଼ ବ୍ରିଟ୍ କଲୋନିର କିଛି ମହିଳା ଏକାଠି ହୋଇ ମା’ ଦୁର୍ଗାଙ୍କ ପୂଜା କରୁଛନ୍ତି। ୨୦୨୨ରେ ପ୍ରଥମ ଥର ପାଇଁ ରାଜଧାନୀରେ ଏହି ମହିଳାମାନେ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲେ। ଏହାର କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ସମସ୍ତ ଦାୟିତ୍ବ ମହିଳାମାନେ ହିଁ ନେଉଛନ୍ତି।
ରୀତିନୀତି ଅନୁସାରେ ମା’ଙ୍କ ପୂଜା କରାଯିବ। ପ୍ରାୟ ୧୦ ଫୁଟର ମା’ଙ୍କ ମୂର୍ତ୍ତି ସାଙ୍ଗକୁ ୫୦ ଫୁଟର ତୋରଣ ଏବଂ ଆଖି ଝଲସିଆ ଆଲୋକ ବ୍ୟବସ୍ଥା କରାଯାଉଛି। ପଶ୍ଚମିବଙ୍ଗର ୧୦ ଜଣ କାରିଗର ମା’ଙ୍କ ମୂର୍ତ୍ତି ଗଢ଼ୁଛନ୍ତି। ଆସନ୍ତା ୯ ତାରିଖ ଦିନ ଅଧିବାସ ଓ ୧୦୮ କଳସ ଯାତ୍ରା ସହ ପୂଜା ଆରମ୍ଭ କରାଯିବ। ଏହାପରେ ୧୦ ତାରିଖ ଦିନ ସପ୍ତମୀ ପୂଜା ଓ ପୁଷ୍ପାଞ୍ଜଳି ଦିଆଯିବ। ୩ ଶହରୁ ଅଧିକ ମହିଳା ଏକାଠି ହୋଇ ମା’ଙ୍କ ପୂଜା କରିବେ।
ରୀତିନୀତିରେ ମା’ଙ୍କ ପୂଜା
ମହିଳାମାନେ ଅବଳା କି ଦୁର୍ବଳା ନୁହନ୍ତି। ମହିଳାମାନେ ଘର ସମ୍ଭାଳିବା ଠରୁ ଆରମ୍ଭ କରି ସଂସାରର ସମସ୍ତ କାମ କରିପାରିବେ। ଏହି ମନୋବଳ ନେଇ ୨୦୨୨ ମସିହାରେ ମହିଳାମାନେ ଏକାଠି ହୋଇ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲୁ। ଖୁସି ଲାଗୁଛି ଯେ, ଆମ ସହ ଶତାଧିକ ମହିଳା ଯୋଡ଼ି ହୋଇଛନ୍ତି। ମା’ଙ୍କ ପୂଜା ଯଥାରୀତି କରାଯାଉଛି।
-ବିନ୍ଦୁଲତା ବଳିଆରସିଂ, ସଭାପତି
ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟ
ଏଥର ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏଥିରେ ଓଡ଼ିଶାର ଲୁପ୍ତ ପ୍ରାୟ ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବ। ମହିଳା ସଂକୀର୍ତ୍ତନ ଦଳ, ମହିଳା ପାଲା, ଧୁଡ଼ୁକି ନୃତ୍ୟ ପ୍ରମୁଖ ଏଠାରେ ପରିବେଷଣ କରାଯିବ। ତେବେ ଦଶମୀ ଦିନ ସିନ୍ଦୂର ଖେଳ ମୁଖ୍ୟ ଆକର୍ଷଣ ସାଜିବ।
-ଉଷା ବାରିକ, ସଂପାଦକ