ଖଣ୍ଡଗିରି: ୧୮୬୮ ମସିହାରେ ବ୍ରିଟିସ୍‌ ଅମଳରେ ଚନ୍ଦକା ଥାନା ଆରମ୍ଭ ହୋଇଥିଲା। ଏହାର ଐତିହାସିକ ଗୁରୁତ୍ୱକୁ ସ୍ୱୀକୃତି ଦେଇ ମୂଳକୋଠାକୁ ଐତିହ୍ୟ ଭାବେ ସଂରକ୍ଷଣ କରିବା ଲାଗି ଉଦ୍ୟମ ହେଉନାହିଁ। ଗତବର୍ଷଠାରୁ ଥାନାର ନୂଆକୋଠା ଉଦ୍‌ଘାଟିତ ହୋଇ କାର୍ଯ୍ୟକରୁଛି। ତେବେ ପୁରୁଣା ଥାନାର କୋଠରିଗୁଡ଼ିକ ଅବ୍ୟବହୃତ ହୋଇ ପରିତ୍ୟକ୍ତ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ବଦଳରେ ଏହାକୁ ରଙ୍ଗଶାଳାରେ ପରିଣତ କରାଯାଇଛି। ଗଣ୍ଡା ଗଣ୍ଡା ମଦବୋତଲ ଗଡ଼ୁଛି। ଚାଖଣା ଜରି, ଗୁଟ୍‌ଖା ଓ ସିଗାରେଟ୍‌ ଖୋଳ ଓ ଅଳିଆ ଆବର୍ଜନା ଜମା ହୋଇରହୁଛି। ସେହିପରି ଗୋଟିଏ ଛୋଟ କୋଠରିରେ ଇଟାଚୁଲା କରାଯାଇ ଭୋଜିଭାତ ଚାଲୁଛି। ଐତିହ୍ୟ ଥାନାର ଏଭଳି କଦର୍ଯ୍ୟ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ନାପସନ୍ଦ କରିବା ସହିତ ଏଥିପ୍ରତି ସରକାର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Advertisment

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଥାନାର ନୂଆକୋଠାକୁ ଲାଗି ରହିଛି ପୁରୁଣା ଥାନା। ଯେଉଁଠି ଥାନା ଅଧିକାରୀ ବସୁଛନ୍ତି ସେଠାରୁ ମାତ୍ର କିଛି ହାତ ଦୂରରେ ଏଭଳି କାର୍ଯ୍ୟକଳାପ ଚାଲୁଛି। ପ୍ରତିଦିନ ଶତାଧିକ ଲୋକ ଥାନାକୁ ଆସୁଛନ୍ତି। ମହିଳାମାନେ ମଧ୍ୟ ବିଭିନ୍ନ ଅଭିଯୋଗ ନେଇ ଥାନାକୁ ଆସୁଛନ୍ତି। ଅନୁରୂପ ଭାବେ ମହିଳା କର୍ମଚାରୀ ମଧ୍ୟ ଏଠାରେ କାମ କରୁଛନ୍ତି। ଥାନା ପରିସରରେ ଏଭଳି ମାହୋଲରେ ମହିଳାମାନେ କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଥାନା ପରିସରରେ କିଏ ମଦବୋତଲ ରଖିଛି ସେ ସମ୍ପର୍କରେ ପୁଲିସ କର୍ମଚାରୀଙ୍କ ପାଖରେ କୌଣସି ଉତ୍ତର ନାହିଁ। ଯଦି ଏହି ମଦବୋତଲକୁ ବାହାର ବ୍ୟକ୍ତି ଥୋଇଛନ୍ତି ତେବେ ପୁଲିସର ଉପସ୍ଥିତିରେ ଏଭଳି ଘଟଣା କିଭଳି ଘଟୁଛି ତାହା ଚିନ୍ତାର ବିଷୟ।  ଥାନା ପରିସରରେ ଥିବା ଐତିହ୍ୟ କୂଅ ଉପରେ ଲୁହା ଜାଲି ପଡ଼ିଥିଲେ ମଧ୍ୟ ବର-ଅଶ୍ବତ୍‌ଥ ଗଛ ଉଠି ବାହାରକୁ ବାହାରିଲାଣି। ରକ୍ଷଣାବେକ୍ଷଣ ଅଭାବରୁ ଐତିହ୍ୟ ନଷ୍ଟ ହେଉଥିବାରୁ ଐତିହାସିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ଚନ୍ଦକା ଥାନା ଅଧିକାରୀ ବିଶ୍ବଜିତ ମନବୋଧ କହିଛନ୍ତି, ନୂଆ ଥାନାର ବ୍ୟବହାର ପରେ ପୁରୁଣା ଥାନାର ଗୋଟିଏ କୋଠରିକୁ ଛାଡ଼ିଦେଇ ଅନ୍ୟ କୋଠରିଗୁଡ଼ିକୁ ବନ୍ଦ କରାଯାଇଛି। ବିଭିନ୍ନ ସମୟରେ ଫୋର୍ସଙ୍କ ବିଶ୍ରାମ ପାଇଁ ଏହାର ବ୍ୟବହାର କରାଯାଉଛି। ତେବେ ମଦବୋତଲ ପଡ଼ିଥିବା ସମ୍ପର୍କରେ ଆଇଆଇସି କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇପାରିନାହାନ୍ତି।