ଜବରଦଖଲ ଉଚ୍ଛେଦ

ଜଟଣୀ : ଜଟଣୀ ତହସିଲ୍‌ ଅନ୍ତର୍ଗତ ଷଣ୍ଢପୁର ମୌଜାରେ ଥିବା ଏକର ଏକର ଅନାବାଦୀ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ହୋଇଛି। ଜଟଣୀ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।

ଜଟଣୀ-ଭୁବନେଶ୍ବର ରାସ୍ତାକଡ଼ ଷଣ୍ଢପୁର ମୌଜାର ସରକାରୀ ଜମି ଖାତା ନମ୍ବର ୩୩୨, ପ୍ଲଟ ନମ୍ବର ୫୮୫ରେ ୧୯ ଏକର ୩୨୦ ଡିସିମିଲ୍ ଏବଂ ୬୧୬ ପ୍ଲଟ ନମ୍ବରରେ ୧୧ ଏକର ୨୦ ଡିସିମିଲ୍ ଅନାବାଦୀ ଜମି ରହିଛି। ଏହି ଜମି ଜବରଦଖଲ ନେଇ ଷଣ୍ଢପୁର ଗ୍ରାମ ମା’ କାଳିକା ୟୁଥ୍‌ କ୍ଲବ ଓ ଗ୍ରାମବାସୀଙ୍କ ପକ୍ଷରୁ ଜଟଣୀ ତହସିଲ‌ରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଆଧାର କରି ତହସିଲ୍‌ କାର୍ଯ୍ୟାଳୟ ପକ୍ଷରୁ ଜବରଦଖଲକାରୀମାନଙ୍କୁ ନୋଟିସ୍‌ କରାଯାଇଥିଲା। ଜବରଦଖଲ କରିଥିବା ଜାଗାକୁ ୭ଦିନ ମଧ୍ୟରେ ଖାଲି କରିବାକୁ ସେଥିରେ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଆଜି ଜଟଣୀ ତହସିଲଦାର ପ୍ରେମାଂଶୁ ଚାନ୍ଦ, ଅତିରିକ୍ତ ତହସିଲଦାର ଦିଲୀପ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଉଚ୍ଛେଦକାରୀ ଦଳ ନିର୍ମାଣାଧୀନ ୪ଟି ଗୃହ, ପାଚେରି ଉଚ୍ଛେଦ କରିଥିଲେ। ତେବେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ଜଟଣୀ ଥାନା ପକ୍ଷରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଥିଲା। ଏହି ଜମିରେ ବସଷ୍ଟାଣ୍ତ, ପୁଲିସ୍‌ ଆଉଟପୋଷ୍ଟ ଓ ଶିକ୍ଷା ବିଭାଗର କେତେକ କାର୍ଯ୍ୟାଳୟ ନିର୍ମାଣ ହେବାର ଯୋଜନା ରହିଛି ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର