ଧଉଳି: ଆଜି ଟିକରପଡ଼ା ପଞ୍ଚାୟତରେ ବିଜୁ ସେତୁର ଉଦ୍‌ଘାଟନ ସହ ପଳାସପୁର ବିଜୁ ସେତୁ ଓ ମେଗା ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଥିରେ ଯୋଗ ଦେଇଥା’ନ୍ତେ। ତେବେ ତାହା ପୂର୍ବରୁ ଉଦ୍‌ଘାଟନ ଓ ଶିଳାନ୍ୟାସର ଫଳକକୁ ନେଇ ବିବାଦ ଦେଖାଦେଇଥିଲା। ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ କାହିଁକି ଲେଖାଯାଇନି ବୋଲି ପ୍ରଶ୍ନ କରି ସେମାନଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ଫଳକ ଭାଙ୍ଗିଦେବା ସହ ପ୍ଲାକାର୍ଡ ଧରି ମୁହଁରେ କଳାପଟି ଓ କପଡ଼ା ଗୁଡ଼ାଇ ପ୍ରତିବାଦ କରିଥିଲେ। ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ବିରୋଧରେ ନାରାବାଜି କରିଥିଲେ।

Advertisment

ଏହାକୁ ନେଇ କାର୍ଯ୍ୟକ୍ରମସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଟିକରପଡ଼ାର ସରପଞ୍ଚ ଓ ସମିତି ସଭ୍ୟ ବିଜେପି ସମର୍ଥିତ ହୋଇଥିବାରୁ ବିଜେଡି କର୍ମୀମାନେ ସେଠାରେ ପହଞ୍ଚିବା ପରେ ଗଣ୍ଡଗୋଳର ଆଶଙ୍କା ରହିଥିଲା। ତେଣୁ ଧଉଳି ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା। ହେଲେ ସେମାନେ ବିକ୍ଷୋଭ ଜାରି ରଖିଥିଲେ। ଏପଟେ ଇଟିପୁର ନିକଟରେ ଫଳକ ମାରି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରାଯାଇଥିଲା। ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।