ଭୁଶୁଡ଼ିଗଲା ଭାସ୍କର୍ଯ୍ୟ, ଭାଙ୍ଗିଗଲା ୨୦ ଫୁଟିଆ ମାଛ

ପୁରୁଣା ଭୁବନେଶ୍ବର: ହକି ବିଶ୍ବକପ୍ ବେଳେ କଳାରେ ଝଲସୁଥିବା ପୁରୁଣା ଭୁବନେଶ୍ବରର ଭାସ୍କର୍ଯ୍ୟ ଭୁଶୁଡ଼ି ଯାଇଛି। ଗତ ବର୍ଷ ନଭେମ୍ବର ମାସ ୧୮ତାରିଖରୁ ଆରମ୍ଭ ହୋଇଥିବା ଭସ୍କର୍ଯ୍ୟ କଳାର ମେଳା ‘ବ୍ୟାଟ –୨୦୧୮’ରେ ଆକର୍ଷଣୀୟ ତଥା ନିଆରା କଳାକୃତି ତିଆରି ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପୀମାନଙ୍କ ହାତରେ ପ୍ରସ୍ତୁତ ଏହି ଶିଳ୍ପ ସମୂହ ଅଞ୍ଚଳର ଶୋଭା ବଢ଼ାଇଥିଲା। ଅଥଚ ବାତ୍ୟା ‘ଫନି’ କେଇ କ୍ଷଣରେ ସବୁ ସୌନ୍ଦର୍ଯ୍ୟକୁ ଭାଙ୍ଗି ଚୂରମାର୍‌ କରିଦେଲା।

।ଭାଙ୍ଗିଗଲା ୨୦ ଫୁଟିଆ ମାଛ
ଫ୍ରାନ୍ସ ଦେଶର ଶିଶିର ନାମକ ଯୁବତୀ ବିନ୍ଦୁସାଗର କୂଳରେ ମନ୍ଦିରରୁ ବାହାରୁଥିବା ପରିତ୍ୟକ୍ତ ଦୀପରେ ମାଛ ନିର୍ମାଣ କରିଥିଲେ। ଲୁହା ରଡ଼୍, ଲୁହା ଜାଲି, ଇଟା ଓ ପୋଡ଼ା ଦୀପରେ ଏହି ମାଛ ଭାସ୍କର୍ଯ୍ୟ ତାଙ୍କ ହାତରେ ଜୀବନ୍ତ ପାଲଟିଥିଲା। ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ମାଟି ଦୀପକୁ ଯେ ଏମିତି ରୂପ ଦିଆଯାଇପାରେ ଦେଖି ଅନେକ ଆଶ୍ଚର୍ଯ୍ୟ ହେଉଥିଲେ। ବିନ୍ଦୁସାଗର କୂଳ ଉତ୍ତର- ପୂର୍ବ କୋଣରେ ୨୦ଫୁଟିଆ ମାଛର ଅବିକଳ ରୂପ ନେଇଥିବା ମାଛକୁ ଫନି ଭସେଇ ଦେଇଛି।

।ଗୁଆଝର ହଂସ ଘର
ସ୍ଥାନୀୟ ଗୁଆଝରରେ ୨୦ ଫୁଟ ଉଚ୍ଚ ଓ ୧୬ଫୁଟ ଚଉଡ଼ାରେ ବାଉଁଶ ଦ୍ବାରା ପାଣି ଉପରେ ନିର୍ମିତ ହୋଇଥିଲା ହଂସଘର। ଏଠାକୁ ଆସିବା ମାତ୍ରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଏହା ମଧ୍ୟରେ ସେଲ୍‌ଫି ନେବାକୁ ଭୁଲୁନଥିଲେ। ଏଥିସହ ପର୍ଯ୍ୟଟକମାନେ ଏହା ମଧ୍ୟରେ ବସି ଗୁଆଝରର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ। ପାଣିରେ ପଶି ହଂସ ଘରକୁ ଯିବା ପର୍ଯ୍ୟଟକଙ୍କୁ ନିଆରା ଅନୁଭବ ଦେଉଥିଲା। କୋଲକାତାର ସାୟନନ୍ତନ ନାମକ ଶିଳ୍ପୀ ଏପରି ଭାସମାନ ହଂସ ଘର ଘର ତିଆରି କରିଥିଲେ। ତେବେ ବାତ୍ୟା ଫନି ସବୁ ବାଉଁଶକୁ ମୋଡ଼ି ମକଚି ଦେଲା।

।ବିନ୍ଦୁସାଗର ମ୍ୟୁଜିକାଲ ଫାଉଣ୍ଟେନ୍
ବିନ୍ଦୁସାଗରରେ ନିର୍ମିତ ମ୍ୟୁଜିକାଲ ଫାଉଣ୍ଟେନ୍‌ ହକି ବିଶ୍ବକପ୍‌ ପୂର୍ବରୁ ଉଦ୍‌ଘାଟିତ ହୋଇଥିଲା। ପ୍ରତିଦିନ ସନ୍ଧ୍ୟା ସାଢ଼େ ୬ଟା ଓ ୭ଟାରେ ୧୫ମିନିଟ୍‌ ଲେଖାଁଏ ଲାଇଟ୍‌ ଓ ସାଉଣ୍ଡ୍‌ରେ ଶିବଙ୍କ ଭଜନ ଓ ଜଣାଣ ସହ ପାଣିରେ ଶିବଙ୍କ ପ୍ରତିଛବି ନିଆରା ଅନୁଭବ ଦେଉଥିଲା। ଏହାକୁ ଦେଖିବାକୁ ପ୍ରତିଦିନ ବହୁ ପର୍ଯ୍ୟଟକଙ୍କ ସମାଗମ ହେଉଥିଲା। ୭ କୋଟି ବ୍ୟୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି କାମକୁ ଇଡ୍‌କୋ ଜରିଆରେ ଏହା ସ୍ଥାପିତ ହୋଇଥିଲା। ତେବେ ବାତ୍ୟା ପରେ ଏହି ସିଷ୍ଟମ ଏବେ ଅଚଳ ହୋଇପଡ଼ିଛି। ଏହାର ମୋଟର ଗୃହରୁ ଲାଇଟ୍‌ ସିଷ୍ଟମ ଓ ସାଉଣ୍ଡ୍‌ ସିଷ୍ଟମ ଛିନ୍ନ ହେବା ସହ ଅଚଳ ହୋଇପଡ଼ିଛି।

। ପରିତ୍ୟକ୍ତ କୁଡ଼ୁଆରେ ଚଢ଼େଇ ବସା
ବିନ୍ଦୁସାଗର ପଶ୍ଚିମଘାଟ କୂଳରେ ପରିତ୍ୟକ୍ତ କୁଡ଼ୁଆରେ ନିର୍ମିତ ଚ‌ଢ଼େଇବସା ଦୀର୍ଘ ଦିନ ହେଲା ଆକର୍ଷଣ ସାଜିଥିଲା। ତେବେ ବାତ୍ୟା ପବନରେ କୁଡ଼ୁଆ ଭାଙ୍ଗିରୁଜି ମାଟିରେ ମିଶିଯାଇଛି। ‘ଟେମ୍ପୁଲ୍‌ ଫର୍‌ ଦି ବାର୍ଡ’ ବା ‘ଚ‌ଢ଼େଇମାନଙ୍କ ମନ୍ଦିର’ର ଅସ୍ତିତ୍ବ ହଜି ଯାଇଛି। ପ୍ରବିତ୍ର ବିନ୍ଦୁସାଗର କୂଳରେ ଏଭଳି ଏକ ନିଆରା ମନ୍ଦିରକୁ ନିର୍ମାଣ କରିଥିଲେ ଓଡ଼ିଆ ଭାସ୍କର୍ଯ୍ୟଶିଳ୍ପୀ ପ୍ରତୁଲ ଦାଶ। ପରିତ୍ୟକ୍ତ କୁଡ଼ୁଆରେ ନିର୍ମିତ ଏହି ଚଢ଼େଇ ଘରର କଳା ଦେଖିବାକୁ ପର୍ଯ୍ୟଟକ ରୁଣ୍ଡ ହେଉଥିଲେ। ମାତ୍ର ତାହା ବି ଉଜୁଡ଼ିଗଲା

ସମ୍ବନ୍ଧିତ ଖବର