ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବ୍ୟବସ୍ଥା : ପୂଜା ପାଉଛନ୍ତି ଭଙ୍ଗା ପ୍ରତିମା

ପୁରୁଣା ଭୁବନେଶ୍ୱର : ଯାହାଙ୍କ ବିନା ମନ୍ଦିରରେ ଯାନିଯାତ୍ରା ଅସମ୍ପୂର୍ଣ୍ଣ, ସେଇ ପ୍ରଭୁ ଆଜି ଶ୍ରୀହୀନ। କାହାର ହାତ ଭାଙ୍ଗିଗଲାଣି ତ ଆଉ କାହାର ଆଖି,କାନ, ନାକ ଅସ୍ପଷ୍ଟ ହେଲାଣି। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଥିବା ଚଳନ୍ତି ପ୍ରତିମାର ଏତାଦୃଶ ଅବସ୍ଥା ଦେଖିବାକୁ ମିଳିଛି। ମାତ୍ର ପ୍ରଶାସନ ନିଦା ବିଷ୍ଣୁ ଭଳି ସବୁ ଦେଖି ମରାମତି କରିବ କରିବ କହି ସମୟ ଗଡ଼ାଇ ଚାଲିଛି।

ଶ୍ରୀଲିଙ୍ଗରାଜ ମନ୍ଦିରରେ ପର୍ବପର୍ବାଣୀରେ ଶୋଭାବର୍ଦ୍ଧନ କରୁଥିବା ଚଳନ୍ତି ପ୍ରତିମା ଶ୍ରୀବାସୁଦେବଙ୍କ ଡାହାଣ ହାତ ଭାଙ୍ଗିଯାଇଛି। ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀ ଦୋଳଗୋବିନ୍ଦଙ୍କ ଆଖି ମୁହଁ ସହିତ ମିଶିଯାଇଛି। ସେହିଭଳି ଶ୍ରୀଚନ୍ଦ୍ରଶେଖରଙ୍କ ନାକ, ଆଖି ଓ ପାଟି ଆଦେ ପ୍ରତୀୟମାନ ହେଉନାହିଁ ବୋଲି ପୂଜାପଣ୍ଡା ନିଯୋଗର ସଭାପତି କାଶୀନାଥ ପୂଜାପଣ୍ଡା କହିଛନ୍ତି। ତେଣୁ ଅଧା ଭଙ୍ଗା ମୂର୍ତିକୁ ନେଇ ପୂଜା ପାର୍ବଣ ତୁଲାଇବାକୁ ପଡ଼ୁଛି। ଅଷ୍ଟଧାତୁରେ ଏହି ମୂର୍ତି ଗୁଡ଼ିକ କେଉଁ କାଳରୁ ନିର୍ମିତ ହୋଇଥିବାରୁ କାଳକ୍ରମେ ଅର୍ଧଭଗ୍ନ ଅବସ୍ଥା ଆଡ଼କୁ ଗତି କରୁଛି। ଏ ସମସ୍ୟା ଆଜିର ନୁହେଁ, ବରଂ ଦୀର୍ଘ ବର୍ଷର। କିନ୍ତୁ ଏନେଇ ଠୋସ୍‌ ପଦକ୍ଷେପ ନିଆଯାଉ ନଥିବାରୁ ପୂଜକମାନଙ୍କ ମଧ୍ୟରେ ବାରମ୍ବାର ଅସନ୍ତୋଷ ପ୍ରକାଶ ପାଇଛି।

ବିଭିନ୍ନ ସେବାୟତ ଗୋଷ୍ଠୀ ଚଳନ୍ତି ପ୍ରତିମାକୁ ମରାମତି କରିବା ପାଇଁ ବାରମ୍ବାର ଦାବି ଉଠାଇବା ପରେ ୨ ବର୍ଷ ତଳେ ପ୍ରତିମାର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ମୁତାବକ ପୁରୀ ମୁକ୍ତି ମଣ୍ଡପର ପଣ୍ଡିତମାନଙ୍କ ପରାମର୍ଶ ଲୋଡ଼ା ଯାଇଥିଲା। ମାତ୍ର ସବୁକିଛି ପରେ ବି ମରାମତି ହୋଇପାରିଲା ନାହିଁ। ଏଣେ ପୁଣି ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୨୫ତାରିଖରେ ମନ୍ଦିର ପ୍ରଶାସନର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଯୋଗ ପ୍ରତିନିଧି ଓ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆସନ୍ତା ଡିସେମ୍ବର ୨୫ତାରିଖ ସୁଦ୍ଧା କାରିଗରମାନଙ୍କୁ ଯୋଗାଯୋଗ କରି ମରାମତି କରାଇବା ପାଇଁ ଦାୟିତ୍ଵ ନେଇଛନ୍ତି। ମାତ୍ର ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବ ନା ଗତ ଥରର ନିଷ୍ପତ୍ତି ଭଳି ପୁଣି ଅଧାରେ ଲଟକିଯିବ ତାହା ସମୟ ଆସିଲେ ଜଣାପଡ଼ିବ।

ସୂଚନାଯୋଗ୍ୟ ଯାନିଯାତ୍ରାରେ ମୁଖ୍ୟ ବିଗ୍ରହଙ୍କୁ କୌଣସି ସ୍ଥାନକୁ ଯାତ୍ରା କରିବା ସମ୍ଭବ ହୁଏନାହିଁ। ଏହି ପରିପ୍ରେକ୍ଷୀରେ ଚଳନ୍ତି ପ୍ରତିମା କା’ ନେଇ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାର ବିଧି ରହିଛି। ମିଳିଥିବା ସୂଚନା ମୁତାବକ, ଶ୍ରୀଲିଙ୍ଗରାଜ ମନ୍ଦିରରେ ଦକ୍ଷିଣୀ ଗୃହରେ ପୂଜା ପାଉଛନ୍ତି ୯ଟି ଚଳନ୍ତି ବିଗ୍ରହ। (ଶ୍ରୀଲିଙ୍ଗରାଜ)ଶ୍ରୀ ଚନ୍ଦ୍ରଶେଖର, ଶ୍ରୀବାସୁଦେବ, ଶ୍ରୀଦୋଳଗୋବିନ୍ଦ, ମା’ ପାର୍ବତୀ, (ରୁକ୍ମିଣୀ)ମା’ ଦୁର୍ଗା, ଶ୍ରୀପଞ୍ଚବକ୍ରେଶ୍ୱର, ଶ୍ରୀ କୃଷ୍ଣ ଓ ଶ୍ରୀ ହରିହର ପୂଜା ପାଉଥିବା ବେଳେ ପଞ୍ଜିକାର ବିଭିନ୍ନ ତିଥିରେ ଦେବଦେବୀଙ୍କ ପ୍ରତିନିଧିଭାବେ ଏହି ପ୍ରତିମାମାନେ ପୀଠକୁ ଯାତ୍ରା କରନ୍ତି। ଶ୍ରୀଚନ୍ଦ୍ରଶେଖର ପ୍ରଥମାଷ୍ଟମୀରେ ମୈତ୍ରେଶ୍ୱର ମନ୍ଦିର, ପାବର୍ଣରେ କପାଳୀ ଠାକୁରାଣୀ ଓ ଗୋସାଗରେଶ୍ୱର ମନ୍ଦିର, ମାଘ ସପ୍ତମୀରେ ମେଘେଶ୍ୱର ମନ୍ଦିର, ହାଣ୍ଡି ଭଙ୍ଗା ଯାତରେ କପିଳେଶ୍ୱର ମନ୍ଦିର, ଅଶୋକାଷ୍ଟମୀରେ ରାମେଶ୍ୱର ମନ୍ଦିର, ଦୟଣା ଚତୁର୍ଥୀ ତିଥିରେ ତୀର୍ଥେଶ୍ୱର ମନ୍ଦିର, ଚନ୍ଦନ ଯାତ୍ରାରେ ୨୨ଦିନ ଧରି ବିନ୍ଦୁସାଗର, ପର୍ଶୁରାମାଷ୍ଟମୀରେ ପର୍ଶୁରାମେଶ୍ୱର ମନ୍ଦିର, ଯମଦୁତୀୟାରେ କମାକ୍ଷାଠାକୁରାଣୀ ମନ୍ଦିର ଓ ଯମେଶ୍ୱର ମନ୍ଦିର, ଭୈମଏକାଦଶୀରେ ଭୀମେଶ୍ୱର ମନ୍ଦିର, ଦେପାଷ୍ଟମୀରେ ଦେବୀ ପାଦହରା ପୁଷ୍କରଣୀ, ଶିବ ବିବାହରେ କେଦାରଗୌରୀ ମନ୍ଦିର, ଚତୁର୍ଥୀରେ ବିନ୍ଦୁସାଗର ଓ ଦୋଳଯାତ୍ରାରେ ପାଞ୍ଚ ଦିନଧରି ବିଭିନ୍ନ ସ୍ଥାନକୁ ଯାତ୍ରା କରନ୍ତି। ସେହିପରି ଶ୍ରୀ ବାସୁଦେବ, ମା’ ପାର୍ବତୀ, ଶ୍ରୀ ଦୋଳଗୋବିନ୍ଦ ଓ ମା’ ଦୁର୍ଗା ମଧ୍ୟ ବିଭିନ୍ନ ତିଥିରେ ଯାତ୍ରା କରିଥାନ୍ତି। ତେଣୁ ପ୍ରତିମାଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଖୁବ୍‌ଶୀଘ୍ର ତ୍ୱରାନ୍ଵିତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର