ରାସ୍ତାରେ ପଡ଼ିଛି ଭଙ୍ଗା ‘ମୋ ସାଇକେଲ୍‌’; କ୍ରୁଟ୍‌ ହାତରୁ ନେଲେ, ତଥାପି ଅବ୍ୟବସ୍ଥା

ଭୁବନେଶ୍ୱର : ରାଜଧାନୀରେ ମୋ ସାଇକେଲ୍‌ ବ୍ୟବସ୍ଥା ‌ଏକରକମ ଫେଲ୍‌ ମାରିବା ପରେ କ୍ରୁଟ୍‌ ହାତରୁ ଏହାର ପରିଚାଳନା ଦାୟିତ୍ବ କାଢ଼ି ନିଆଗଲା। ଭୁବନେଶ୍ବର ସ୍ମାର୍ଟ ସିଟି ଲିମି‌ଟେଡ୍‌ (ବିଏସ୍‌ସିଏଲ୍‌) ପ୍ରାୟ ଏକ ମାସ ହେଲା ‘ମୋ ସାଇକେଲ୍‌’ର ପରିଚାଳନା ଦାୟିତ୍ବ ନେଇଛି। କିନ୍ତୁ ନୂଆ ସଂସ୍ଥା ଦାୟିତ୍ବ ନେବା ପରେ ବି ମୋ ସାଇକେଲ୍‌ ବ୍ୟବସ୍ଥାରେ ସେତେଟା ଉନ୍ନତି ଦେଖାଦେଇନି। ପୂର୍ବରୁ ଯେମିତି ରାସ୍ତାରେ ଭଙ୍ଗାଦଦରା ସାଇକେଲ୍‌ ଗଡ଼ୁଥିଲା, ଏବେ ବି ସେମିତି ଗଡ଼ୁଛି।

ବିଏସ୍‌ସିଏଲ୍‌ ଦାୟିତ୍ବ ନେବା ପରେ ସାଇକେଲ୍‌ ଚାଳନା ପ୍ରତି ରାଜଧାନୀବାସୀଙ୍କର ଯେପରି ଆଗ୍ରହ ବଢ଼ିବ, ସେଥିପାଇଁ ପ୍ରତି ଶୁକ୍ରବାର ସାଇକେଲ୍‌ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ, ସାଇକେଲ୍‌ ରାଲି ହେଉଛି। ଶୁକ୍ରବାର ସକାଳୁ ବିଭିନ୍ନ ସ୍ଥାନରେ ସାଇକେଲ୍‌ ଟ୍ରାକ୍‌ ଉପରୁ ଜବରଦଖଲ ଉଚ୍ଛେଦ ହେଉଛି। କିନ୍ତୁ ସବୁ କାର୍ଯ୍ୟକ୍ରମ କେବଳ ସପ୍ତାହକୁ ଗୋଟିଏ ଦିନ ହେଉଥିବାରୁ ମୋ ସାଇକେଲ୍‌ ନେଇ ରାଜଧାନୀବାସୀଙ୍କ ଚିନ୍ତାଧାରା ବିଶେଷ କିଛି ବଦଳିନି।

ପୂର୍ବରୁ ଯେମିତି ରାସ୍ତା କଡ଼ରେ, ଅଳିଆ ଗଦାରେ ମୋ ସାଇକେଲ୍‌ ଗଡ଼ୁଥିଲା, ଏବେ ସେମିତି ଗଡ଼ୁଛି। କେଉଁଠି ଦୁର୍ବୃତ୍ତ ସା‌ଇକେଲ୍‌ ସିଟ୍‌ ଖୋଲି ନେଲେଣି ତ କେଉଁଠି ବେଲ୍‌ ଖୋଲି ନେଲେଣି। ଏପରିକି ସାଇକେଲ୍‌ ଲକ୍‌ ଖୋଲିପାରୁ ନଥିବାରୁ କେତେକ ଲୋକ ଚିଡି ଯାଇ ଏହାକୁ ଗୋଇଠା ମାରି ଭାଙ୍ଗି ଦେଉଛନ୍ତି। ଅଧିକାଂଶ ସ୍ଥାନରେ ତ ସାଇକେଲ୍‌ ସପ୍ତାହ ସପ୍ତାହ ଧରି ସେମିତି ଧୂଳି ଚଦର ତଳେ ରହୁଛି। ନା କିଏ ଏହାକୁ ଚଲାଉଛି ନା କିଏ ଏହାକୁ ଝାଡ଼ୁଛି। ଏମିତି କିଛି ସ୍ଥାନରେ ସାଇକେଲ୍‌ ଅବ୍ୟବହୃତ ହୋଇପଡ଼ିଥିବା ଆମ ନଜରକୁ ଆସିଥିଲା। ଯେମିତି ୟୁନିଟ-୬, ଜାଗମରା-ସିଟି ଓମେନ୍ସ କଲେଜ ରାସ୍ତାରେ ଭଙ୍ଗା ସାଇକେଲ୍‌ ପଡ଼ିଥିଲେ ହେଁ କେହି ଏହାକୁ ମରାମତି କରିବାକୁ ନେଉନାହାନ୍ତି।

ସୂଚନା‌ଯୋଗ୍ୟ ଯେ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ୫କୋଟି ଖର୍ଚ୍ଚ କରି ୨ହଜାର ସାଇକେଲ୍‌ କିଣିଥିଲେ। ଏହାର ପରିଚାଳନା ଦାୟିତ୍ବ କ୍ରୁଟ୍‌କୁ ଦେଇଥିଲେ। କିନ୍ତୁ ରାଜଧାନୀର ଟପୋଗ୍ରାଫି ଦୃଷ୍ଟିରୁ ଅଧିକାଂଶ ରାସ୍ତା ଉଠାଣିଆ ଗଡ଼ାଣିଆ ଥିବାରୁ ରାଜଧାନୀବାସୀ ଏହି ସାଇକେଲ୍‌ ଚଳାଇଲେନି। ସ୍ବତନ୍ତ୍ର ସାଇକେଲ୍‌ ଟ୍ରାକ୍‌ ନଥିବାରୁ ଯେତିକି ଲୋକ ବି ସାଇକେଲ୍‌ ଚଲାଇଲେ ସେଥିରୁ ଅଧିକାଂଶ ଦୁର୍ଘଟଣାର ଶିକାର ହେଲେ। କେବଳ ଦୁର୍ଘଟଣା ନୁହେଁ, ମୋ ସାଇକେଲ୍‌ ଚଲାଇବା ପାଇଁ ସ୍ମାର୍ଟ ଫୋନ୍‌ରେ ଅନଲକ୍‌ କରିବାର ବ୍ୟବସ୍ଥା ଥିବାରୁ ବହୁ ଲୋକ ସାଇକେଲ୍‌ ଲକ୍‌ ଖୋଲିପାରିଲେନି। ତେଣୁ ସାଇକେଲ୍‌ରୁ ମୁହଁ ମୋଡ଼ିଲେ। ମୋ ସାଇକେଲ୍‌ ପ୍ରକଳ୍ପ ଫେଲ୍‌ ହେଲା ବୋଲି କ୍ରୁଟ୍‌ ଉପରେ ଦୋଷ ଲଦି ବିଏସ୍‌ସିଏଲ୍‌ ଏହାର ପରିଚାଳନା ଦାୟିତ୍ବ ନେଲା। କିନ୍ତୁ ଏବେ ଯଥା ପୂର୍ବଂ ତଥା ପରଂ।

ସମ୍ବନ୍ଧିତ ଖବର