ଆମ ସ୍କୁଲ୍‌ ଘର ଗଢ଼ି ଦିଅ

ଭୁବନେଶ୍ବର : ବାତ୍ୟା ଆମ ସ୍କୁଲ୍‌ ଘର ଭାଙ୍ଗିଦେଲା। ସ୍କୁଲ୍‌ ଘର ଟିଣ ଉଡ଼ିଗଲା। ସ୍କୁଲ୍‌ ଛୁଟି ଥିଲେ ବି ଏଇଠି ଆସି ପଢ଼ୁଥିଲୁ। ଏବେ ସେତକ ବି ହୋଇପାରୁନାହିଁ। ଘର ପଛେ ନ ସଜାଡ଼, ସ୍କୁଲ୍‌ ଘର ସଜାଡ଼ିଦିଅ। ସରକାରଙ୍କ ଉଦ୍ଦେଶ୍ୟରେ ଏପରି ଅଳି କରିଛନ୍ତି କନ୍ଦଳେଇ ଆଦିବାସୀ ପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ରାମ ପିଙ୍ଗୁଆ।

ବାତ୍ୟା ‘ଫନି’ର ବିତ୍ପାତ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ନିକଟ ଛତାବର ପଞ୍ଚାୟତର କନ୍ଦଳେଇ ଆଦିବାସୀ ପଲ୍ଲୀକୁ ଛାରଖାର କରିଦେଇଛି। ଗ୍ରାମରେ ମୋଟ ୪୬ଟି ଘର ମଧ୍ୟରୁ ୮-୧୦ଟି ଇନ୍ଦିରା ଆବାସକୁ ବାଦ୍‌ ଦେଲେ ଅନ୍ୟ ସବୁ ଘର ବହୁ କ୍ଷତିଗ୍ରସ୍ତ ହୋଇଛି। ଏହା ସହ ଉଡ଼ି ଯାଇଛି ସ୍ବେଚ୍ଛାସେବୀ ସଂସ୍ଥା ଆଶ୍ରା ସହଯୋଗରେ ଏହି ଗାଁ ମଧ୍ୟରେ ଥିବା ସ୍କୁଲ୍‌ ଘରର ଛାତ। ଦିନେ ସ୍ଥିତି ଏମିତି ଥିଲା, ପାଖାପାଖି ୩୫ଜଣ ପିଲା ଜଙ୍ଗଲ ମଧ୍ୟରେ ୪ କିଲୋମିଟର ପାର୍‌ ହୋଇ ରାସ୍ତା ପାର୍ଶ୍ବ ବିନ୍ଧ୍ୟଗିରି ସ୍କୁଲ୍‌ରେ ପାଠ ପଢ଼ୁଥିଲେ। ଜଙ୍ଗଲ କିସମ ଜମି ଯୋଗୁଁ ଏହି ଗାଁ ମଧ୍ୟରେ ସ୍କୁଲ୍‌ ଘର ତୋଳିବାକୁ ସରକାରଙ୍କୁ ଅନୁମତି ମିଳୁନଥିଲା। ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀଙ୍କର ଏହି ସମସ୍ୟାକୁ ଉପଲବ୍ଧି କରିବା ପରେ ନୂଆଦିଲ୍ଲୀର ସାମାଜିକ ସଂଗଠନ ଆଶ୍ରା କନ୍ଦଳେଇ ଗ୍ରାମରେ ସ୍କୁଲ୍‌ ଘର ଗଢ଼ି ଦେଇଥିଲା। ଏଠାରେ ସରକାରଙ୍କ ପକ୍ଷରୁ ଅବଶ୍ୟ ୨ଜଣ ଶିକ୍ଷକ ଯୋଗାଇ ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ବି ଉପଲବ୍ଧ ହେଉଥିଲା। କିନ୍ତୁ ବଦାନ୍ୟ ଅନୁଷ୍ଠାନର ସହଯୋଗରେ ହୋଇଥିବା ଏହି ସ୍କୁଲ୍‌ ଘର ଭାଙ୍ଗିଯିବା ପରେ କୁନିକୁନି ପିଲାମାନେ କେଉଁଠି ପଢ଼ିବେ, ସେନେଇ ଦ୍ବନ୍ଦ୍ବରେ ପଡ଼ିଲେଣି। ସରକାର ସ୍କୁଲ୍‌ ଘର ଗଢ଼ି ନଥିବାରୁ ଏହି ସ୍କୁଲ୍‌ ଉପରକୁ ଯେ ଛାତ ଦେବେ ସେ ଆଶା ନାହିଁ। ତଥାପି ପିଲାମାନଙ୍କ ଭବିଷ୍ୟତ ଗଢ଼ା ହେଉଥିବା ଏହି ସ୍କୁଲ୍‌ ଘର ପ୍ରତି ସରକାର ଅଣଦେଖା କରିବା ଉଚିତ୍‌ ନୁହେଁ ବୋଲି ବୁଦ୍ଧିଜୀବୀମା‌ନେ କହିଛନ୍ତି।

ଏନେଇ ସମାଜସେବୀ ସୁଶାନ୍ତ କୁମାର ସାହୁ କହିଛନ୍ତି, ୨୦୧୬ ମସିହା ଡିସେମ୍ବର ୧୧ରେ ସ୍କୁଲ୍‌ର ଉଦ୍‌ଘାଟନ ହେବା ପରେ ଗ୍ରାମର କୁନିକୁନି ପିଲାମାନଙ୍କୁ ଆଉ ଜଙ୍ଗଲ ଭିତରେ ୪ କିଲୋମିଟର ଚାଲି ସ୍କୁଲ୍‌ ଯିବାକୁ ପଡ଼ୁନଥିଲା। ଖରା ଛୁଟି ଯୋଗୁଁ ସ୍କୁଲ୍‌ ବନ୍ଦ ରହିଛି। ମାତ୍ର ସ୍କୁଲ୍‌ ଖୋଲିବା ବେଳକୁ ଏହି ଘରକୁ ସରକାର ବିଚାରକୁ ନେବେ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠୁ ବଡ଼ କଥା ହେଉଛି, ଭଙ୍ଗା ସ୍କୁଲ୍‌ ଘର ମରାମତି ନହେଲେ ଏହା ମଧ୍ୟରେ ପିଲାମାନେ ପଢ଼ିବା ଅସମ୍ଭବ ହୋଇପଡ଼ିବ। ଏହି ସ୍କୁଲ୍‌ରୁ ୫ମ ପାସ୍‌ ହେବା ପରେ ୧୭-୧୮ଜଣ ପିଲା ଏବେ ବିଭିନ୍ନ ଜିଲ୍ଲାର ଆଦିବାସୀ ଆବାସିକ ବିଦ୍ୟାଳୟରେ ରହି ପଢ଼ୁଛନ୍ତି। ଏବେ ଏହି ସ୍କୁଲ୍‌ ଘରେ ୨୨ଜଣ ଛାତ୍ରଛାତ୍ରୀଙ୍କ ପଢ଼ୁଛନ୍ତି। ସରକାର ତୁରନ୍ତ ଏ ଦିଗରେ ଧ୍ୟାନ ଦେବାକୁ କନ୍ଦଳେଇ ଆଦିବାସୀ ପଲ୍ଲୀ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର