ଖଣ୍ଡଗିରି: ପାତ୍ରପଡ଼ାରେ ପ୍ରସ୍ତାବିତ ସିଟିବସ୍ ଟର୍ମିନାଲ୍ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଜମିରୁ ଜବରଦଖଲ ହଟିଛି। ସାଢ଼େ ୬ଏକର ପରିମିତ ଏହି ଜମିକୁ ମଙ୍ଗଳବାର ବିଡିଏ, ବିଏମ୍ସି ଓ ସାଧାରଣ ପ୍ରଶାସନ ବିଭାଗ ମୁକ୍ତ କରି ବିପିଟିଏସକୁ ହସ୍ତାନ୍ତର କରିଛନ୍ତି। ତେଣୁ ଖୁବ୍ଶୀଘ୍ର ପାତ୍ରପଡ଼ାରେ ସିଟି ବସ୍ ଟର୍ମିନାଲ ନିର୍ମାଣ କାମ ଆରମ୍ଭ ହେବ ଓ ଚଳିତ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି। ଆଜି ଜବରଦଖଲ ଉଚ୍ଛେଦକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ କୌଣସି ବିରୋଧ କରାଯାଇନଥିଲେ ମଧ୍ୟ ସିଟି ବସ୍ ଟର୍ମିନାଲ ନିର୍ମାଣକୁ ନେଇ ପାତ୍ରପଡ଼ା ଓ ଭଗବାନପୁର ଗ୍ରାମବାସୀଙ୍କ ଭିତରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ପାତ୍ରପଡ଼ା ଓ ଭଗବାନପୁର ମୌଜାସ୍ଥିତ ପ୍ଲଟ ନମ୍ବର ୭୮୫ରେ ଥିବା ସାଢ଼େ ୬ ଏକର ଜମି ପୂର୍ବରୁ କିଛି ଲୋକଙ୍କ ଜବରଦଖଲରେ ଥିଲା। ଏହି ଜମି ଉପରେ ଏକ ଘରୋଇ ବିଦ୍ୟାଳୟ, ଏକ ପାଠାଗାର, ଏକ ଜିମ୍ ଓ ଏକ ଚାଳଘର ଥିଲା। ବ୍ୟକ୍ତିଗତ ମାଲିକାନାରେ ଥିବା ଏହି ସଂସ୍ଥାମାନଙ୍କୁ ପୂର୍ବରୁ ଉଚ୍ଛେଦ ବାବଦରେ ନୋଟିସ୍ କରାଯାଇଥିଲା। ତେଣୁ ଆଜି ବିଡିଏ, ବିଏମ୍ସି ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହେବା ସମୟରେ କେହି ପ୍ରତିବାଦ କରିନଥିଲେ। ବରଂ ଉଚ୍ଛେଦ ପୂର୍ବରୁ ଉକ୍ତ ସଂସ୍ଥାମାନେ କେବଳ ଘରକୁ ଛାଡ଼ି ଅନ୍ୟାନ୍ୟ ଉପକରଣ ଓ ଆସବାବପତ୍ର ବାହାର କରି ନେଇଥିଲେ। କିଛି ଦିନ ପୂର୍ବରୁ ବିଦ୍ୟାଳୟର ମାଲିକ ନିଜ ଜମିକୁ ବିଦ୍ୟାଳୟର ଗୃହ ସ୍ଥାନାନ୍ତର କରି ଦେଇଥିଲେ। ତେବେ ଗଣ୍ଡଗୋଳର ଆଶଙ୍କା ଥିବାରୁ ଜୋନ୍-୩ ଏସିପି ପ୍ରାଣକୃଷ୍ଣ ରାଉତଙ୍କ ନେତୃତ୍ୱରେ ଖଣ୍ଡଗିରି ଥାନା ଓ ତମାଣ୍ଡୋ ଥାନା ଅଧିକାରୀମାନେ ଦଳବଳ ନେଇ ଉପସ୍ଥିତ ଥିଲେ। ୪ଟି ଜେସିବି ମେସିନ୍ ଏହି ଉଚ୍ଛେଦ କାମରେ ନିୟୋଜିତ ହୋଇଥିଲା। ବିଦ୍ୟାଳୟ, ପାଠାଗାର ଓ ଜିମ୍ର ଗୃହ ସମତେ ୨୫୦ ଫୁଟ୍ର ଏକ ପଥର ପାଚେରିକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା। ବିଡିଏର ଅତିରିକ୍ତ କମିସନର ଭବାନୀ ଶଙ୍କର ଚୟନୀ, ଅଧିକାରୀ ପ୍ରମୋଦ ପାତ୍ର, ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ ଅମିୟ ଦାସ, ବିପିଟିଏସର ଅଧିକାରୀ ଆଶିଷ ସୁମନ୍ ପ୍ରମୁଖ ଉପସ୍ଥିତ ଥିଲେ।
ଗ୍ରାମବାସୀଙ୍କ ପ୍ରତିକ୍ରିୟା ଅନୁସାରେ ବିଏମ୍ସି ପକ୍ଷରୁ ଏଠାରେ ପୂର୍ବରୁ ଏକ କାଞ୍ଜିଆହୁଦା ନିର୍ମାଣ କରିବାର ପ୍ରସ୍ତାବ ଥିଲା ଓ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ। ଏହି ଅଞ୍ଚଳରେ ଜନସଂଖ୍ୟା ଦ୍ରୁତବେଗରେ ବଢ଼ି ବଢ଼ି ଚାଲିଥିବାରୁ ଗୋଟିଏ କଲ୍ୟାଣ ମଣ୍ଡପ ଓ ପାର୍କର ଆବଶ୍ୟକତା ରହିଛି। ଲୋକେ ସାମାଜିକ ଅନୁଷ୍ଠାନଟିଏ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେହିଭଳି ପିଲାମାନେ ଖେଳିବା ପାଇଁ ଆଉ ଆଖପାଖରେ ପଡ଼ିଆ ନାହିଁ। ଫଳରେ ଦିନକୁ ଦିନ ଏହି ଅଞ୍ଚଳ ଅଧିକରୁ ଅଧିକ ସଂକୀର୍ଣ୍ଣ ହୋଇ ଚାଲିଛି। ତେଣୁ ସବୁ ଦୃଷ୍ଟିରୁ ଏହି ଜମିରେ ଏକ କଲ୍ୟାଣ ମଣ୍ଡପ ଓ ପାର୍କ ନିର୍ମାଣ କରାଯିବାକୁ ଲୋକେ ପ୍ରସ୍ତାବ ଦେଇଥିଲେ। ମାତ୍ର ଏବେ ସିଟି ବସ୍ ଟର୍ମିନାଲ୍ ହେବାକୁ ଯାଉଥିବାରୁ ଏହି ଅଞ୍ଚଳ ଚଳପ୍ରଚଳ ପାଇଁ ଅଧିକ ସଂକୀର୍ଣ୍ଣ ହୋଇପଡ଼ିବ। କିନ୍ତୁ କିଛି ଲୋକ ଏହାକୁ ସମର୍ଥନ ମଧ୍ୟ କରିଥିବା ଜଣାପଡ଼ିଛି। ସିଟି ବସ୍ ଟର୍ମିନାଲ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ଓ ରୋଜଗାର ପାଇଁ ବାଟ ଫିଟାଇବାକୁ ଯାଉଛି ବୋଲି ସମର୍ଥନକାରୀଙ୍କ ମତ।