ଦଲାଲି ରୋକିବାକୁ ବାଟ ପାଉ ନାହାନ୍ତି

ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟରେ ମାତିଛନ୍ତି ଦଲାଲ

ଭୁବନେଶ୍ବର: ଆବେଦନକାରୀଙ୍କୁ ୭ଦିନ ‌ଭିତରେ ସାର୍ଟିଫିକେଟ୍ ଦିଆଯାଉଛି। ଯଦି ଆବେଦନପତ୍ରରେ କିଛି ତ୍ରୁଟି ଥାଏ ତେବେ ଆହୁରି କିଛିଦିନ ଲାଗିପାରେ। ତେଣୁ ଲୋକମାନେ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍ ପାଇଁ କାହିଁକି ଦଲାଲଙ୍କୁ ଟଙ୍କା ଦେଉଛନ୍ତି ଜାଣିପାରୁନୁ। ଲୋକମାନେ ସଚେତନ ହେଲେ ଦଲାଲ ନିୟନ୍ତ୍ରଣ ହୋଇପାରିବେ। ଏଭଳି କଥା କହି ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟରେ ଦଲାଲଙ୍କୁ ରୋକିବା ସଂପର୍କରେ ହାତ ଟେକି ଦେଇଛନ୍ତି ନଗର ସ୍ବାସ୍ଥ୍ୟ କାର୍ଯ୍ୟାଳୟର ଅଧିକାରୀ। କିଭଳି ଦଲାଲଙ୍କୁ ନିୟନ୍ତ୍ରଣ କରାଯିବ ଅଧିକାରୀମାନେ ତାହାର ବାଟ ପାଉ ନାହାନ୍ତି। ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ ସାର୍ଟିଫିକେଟ୍ କରାଇ ଦେବା ପାଇଁ ଲାଞ୍ଚ ମଗାଯାଉଥିବା ଦୀର୍ଘଦିନରୁ ଅଭିଯୋଗ ହେଉଥିଲା। ପିସିଆର ଭ୍ୟାନ୍ ଆସୁଥିଲା, ପଇଁତରା ମାରୁଥିଲା କିନ୍ତୁ କେହି ଧରା ପଡ଼ୁ ନ ଥିଲେ। ବୁଧବାର ଭିଜିଲାନ୍‌ସ ହାତରେ ଜଣେ କର୍ମଚାରୀ ଧରା ପଡ଼ିବା ପରେ ଏହି ଅଭିଯୋଗକୁ ଖୋରାକ ଯୋଗାଇଛି। ମାତ୍ର ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟର ଅଧିକାରୀଙ୍କ ପାଇଁ ଏହା ଏକ ସାମାନ୍ୟ ଘଟଣା। ସମସ୍ତେ ଜାଣିଛନ୍ତି ହେଲେ କିଛି ନ ଜାଣିଲା ଭଳି ବ୍ୟବହାର କରୁଛନ୍ତି। ଜନ୍ମ/ମୃତ୍ୟୁ ପଞ୍ଜୀକରଣ ଉଭୟ ଅନଲାଇନ୍ ଓ ଅଫଲାଇନ୍‌ରେ କରାଯାଉଛି। ଅଫଲାଇନ୍‌ ପାଇଁ ସକାଳ ସାଢ଼େ ୧୦ଟାରୁ ଦିନ ୧ଟା ସମୟ ରହିଛି। ଶନିବାର ଦିନ ୧୨ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଏହାସହ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆବେଦନ ପାଇଁ ‘www.ulbodisha.gov.in’ ‌ୱେବସାଇଟ୍‌ ରହିଛି। ଟିସିଏସ୍‌ ଦ୍ବାରା ଏହା ପରିଚାଳିତ ହେଉଛି। କିନ୍ତୁ ଏହା କେବଳ ନାମକୁ ମାତ୍ର ଚାଲିଛି। ୱେବସାଇଟ୍‌କୁ ନେଇ ଲୋକମାନେ ସନ୍ତୁଷ୍ଟ ନୁହନ୍ତି। କେତେବେଳେ ୱେବସାଇଟ୍ ଖୋଲୁନି ତ ଆଉ କେତେବେଳେ ୟୁଜର ଫ୍ରେଣ୍ଡଲି ନ ହେବା କାରଣରୁ ଲୋକମାନେ ବିରକ୍ତି ପ୍ରକାଶ କରୁଛନ୍ତି। ଅନଲାଇନ୍‌ରେ ଆବେଦନ କରିବା ପରେ ଫର୍ମ ଡାଉନଲୋଡ୍‌ କରି ନଗର ସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡ଼ୁଛି। କାର୍ଯ୍ୟାଳୟରେ ଧାର୍ଯ୍ୟ ଫି’ ଦାଖଲ କରିବା ପରେ ଆବେଦନକାରୀଙ୍କୁ ନିର୍ଦ୍ଦିଷ୍ଟ ତାରିଖରେ ସାର୍ଟିଫିକେଟ୍‌ ନେବା ପାଇଁ କୁହାଯାଉଛି। ଯାହାକୁ ନେଇ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଯାହାଫଳରେ ଅଧିକାଂଶ ‌ଆବେଦନକାରୀ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟକୁ ଯିବା ପାଇଁ ପସନ୍ଦ କରୁଛନ୍ତି। ଅଫଲାଇନ୍‌ରେ ପ୍ରତିଦିନ ଜନ୍ମ ସାର୍ଟିଫିକେଟ୍ ପାଇଁ ୧୨୦/୧୫୦ ଆବେଦନ ହେଉଥିବା ବେଳେ ଅନଲାଇନ୍‌ରେ ମାତ୍ର ୨୦/୩୦ ଆବେଦନ ହେଉଛି। ସେହପିରି ମୃତ୍ୟୁ ସାର୍ଟିଫିକେଟ୍ ପାଇଁ ଅନଲାଇନ୍‌ରେ ୧/୨ଟି ଆବେଦନ ହେଉଥିବା ବେଳେ ଅଫଲାଇନ୍‌ରେ ୪୦/୫୦ ଆବେଦନ ହେଉଛି। ଯାହାକି ପ୍ରତ୍ୟେକ ଦିନ ହେଉଥିବା ଆବେଦନର ଯଥେଷ୍ଟ କମ୍। ଫଳରେ ଅଫଲାଇନ୍‌ରେ ପ୍ରବଳ ଭିଡ଼ ହେଉଛି। ଅନଲାଇନ୍ ଜରିଆରେ ଲୋକଙ୍କୁ ସଚେତନ କରିବା ପାଇଁ କିଛିମାସ ତଳେ ଟିସିଏସ୍‌ର ଅଧିକାରୀଙ୍କୁ ଡାକି ନଗର ସ୍ବାସ୍ଥ୍ୟ ଅଧିକାରୀ ଏକ ବୈଠକ କରିଥିଲେ। ହେଲେ ଏହାର କିଛି ଫରକ ଦେଖିବାକୁ ମିଳୁନାହିଁ। ସେହିପରି ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟର କିଛି ତଳିଆ କର୍ମଚାରୀଙ୍କ ଦଲାଲଙ୍କ ସହ ସଂପୃକ୍ତି ଅଭିଯୋଗ ହେଉଛି। କର୍ମଚାରୀଙ୍କୁ ବାଦ୍ ଦେଲେ କାର୍ଯ୍ୟାଳୟର ଆଖପାଖରେ ଥିବା ଦୋକାନୀମାନେ ଏଥିରେ ସଂପୃକ୍ତ ଅଛନ୍ତି। ସେମାନଙ୍କ ନିକଟରେ ଆବେଦନ ଫର୍ମ ମିଳୁଛି। ଯାହାକୁ ସେମାନେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଦଲାଲଙ୍କୁ ପ୍ରୋତ୍ସାହନ କରିବା ପାଇଁ ଅନେକ ସମୟରେ ଜାଣିଶୁଣି ସାର୍ଟିଫିକେଟ୍‌ରେ ନାଁ, ଜନ୍ମ ତାରିଖ ଓ ଠିକଣା ଭୁଲ କରି ଦିଆଯାଉଛି। ଯାହାଫଳରେ ଆବେଦନକାରୀଙ୍କୁ ବାରମ୍ବାର ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଛି। ଯାହାର ସୁଯୋଗ ନେଇ ଦଲାଲମାନେ ଲୋକଙ୍କଠାରୁ ଶହ ଶହ ଟଙ୍କା ଲୁଟି ନେଉଛନ୍ତି। ନଗର ସ୍ବାସ୍ଥ୍ୟ ଅଧିକାରୀ ଡା.ରାମଚନ୍ଦ୍ର ରାଉତ କହିଛନ୍ତି, ଲୋକମାନେ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍ ପାଇଁ ଆସୁଥିବା ‌ସମୟରେ ଅନ୍ୟ କାହାର ସାହାଯ୍ୟ ନେବା ପରିବର୍ତେ ହେଲ୍‌ପ ଡେସ୍କର ସାହାଯ୍ୟ ନିଅନ୍ତୁ। ଅଜଣା ଲୋକଙ୍କୁ ଟଙ୍କା ଦିଅନ୍ତୁ ନାହିଁ। ଯାହାକୁ ଟଙ୍କା ଦେଉଛନ୍ତି ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ସହିତ ରସିଦ୍ ନିଅନ୍ତୁ। ଦଲାଲମାନେ ସକାଳୁ କାର୍ଯ୍ୟାଳୟକୁ ଆସି ଲୋକମାନଙ୍କୁ ଡରାଉଛନ୍ତି। ସାର୍ଟିଫିକେଟ୍ ପାଇବା ପାଇଁ ସମୟ ଲାଗିବ, ଘରକୁ ଠିକ୍ ସମୟରେ ଯାଇପାରିବ ନାହିଁ ଭଳି ଭୟ ଦେଖାଉଛନ୍ତି। ଫଳରେ ଲୋକମାନେ ଦଲାଲଙ୍କ ଶିକାର ହେଉଛନ୍ତି। ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟରେ ଦଲାଲଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି ବୋଲି ଡା.ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର