ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଦିନକୁ ଦିନ ଦଲାଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବାହାର ରାଜ୍ୟର ରୋଗୀଙ୍କଠାରୁ ହସ୍ପିଟାଲ‌ରେ ସର୍ଜରି କରିବା ବାବଦକୁ ଟଙ୍କା ଠକେଇ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ହସ୍ପିଟାଲର କର୍ମଚାରୀ ସାମିଲ ଥିବାରୁ ଏହାକୁ ଚପାଇ ଦେଇଛନ୍ତି କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ। ସୂଚନା ଅନୁସାରେ ରାଜ୍ୟ ବା‌ହାରର ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ନେଇ ଏମ୍‌ସ ଆ‌ସିଥିଲେ। ଡାକ୍ତର ତାଙ୍କ ସ୍ତ୍ରୀଙ୍କର ସର୍ଜରି ହେବ ଓ ଏଥିପାଇଁ ତାରିଖ ପରେ ଜଣାଇ ଦିଆଯିବ ବୋଲି କହିଥିଲେ।  ତେଣୁ ସେ ଫେରିବା ବାଟରେ ଏମ୍‌ସର ଜଣେ ଦଲାଲ ହାବୁଡ଼ରେ ପଡ଼ିଯାଇଥିଲେ। କମ୍‌ ଟଙ୍କାରେ ତାଙ୍କର ସର୍ଜରି କରିଦିଆଯିବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେବା ସହିତ ତାଙ୍କର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭଲ ପରିଚୟ ଥିବା କହିଥିଲେ। ତାଙ୍କୁ ଫୁସୁଲାଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଣି ହସ୍ପିଟାଲର ଜଣେ ଆଉଟସୋର୍ସିଂ କର୍ମଚାରୀଙ୍କ ସହିତ ପରିଚୟ କରାଇଥିଲେ। ତାଙ୍କୁ କର୍ମଚାରୀ ଜଣକ ନିଜ ସମ୍ପର୍କୀୟ ପରିଚୟ ଦେବା ସହିତ ତାଙ୍କର ହସ୍ପିଟାଲରେ ଆଡ୍‌ମିସନ୍‌ ଓ ସର୍ଜରି କରାଇ ଦେଇଥିଲେ।

Advertisment

କର୍ମଚାରୀ ସାମିଲ ଥିବାରୁ ଘଟଣାକୁ ଚାପି ଦେଲେ କର୍ତ୍ତୃପକ୍ଷ

ଏଥିବାବଦକୁ ୬୦ ହଜାର ଟଙ୍କାର ଏକ ହସ୍ପିଟାଲ ପ୍ୟାଡ୍‌ରେ ଏକ ନକଲି ବିଲ୍‌ ମଧ୍ୟ ଧରାଇ ଦେଇଥି‌ଲେ। ସେଥି‌ରେ ଜିଏସ୍‌ଟି ନମ୍ବର ମଧ୍ୟ ରହିଥିଲା। ଡିସଚାର୍ଜ ଦିନ ବ୍ୟକ୍ତି ଜଣକ  ଯେତେବେଳେ ବିଲ୍‌ ବାବଦକୁ ନେଇ ସେଠାରେ କାର୍ଯ୍ୟରତ ନର୍ସଙ୍କୁ ପଚାରିଥିଲେ ନର୍ସ ତାଙ୍କ ସହ ତଞ୍ଚକତା ହୋଇଥିବା ଜାଣିପାରି ତାଙ୍କୁ ହସ୍ପିଟାଲର ଅଧିକାରୀଙ୍କ ପାଖକୁ ପଠାଇଥିଲେ। କିନ୍ତୁ ବ୍ୟକ୍ତିଜଣକ ଟଙ୍କା ଦେଇ ନଥିବାରୁ ଅଭିଯୋଗ କରି ନଥିଲେ। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଏହା ଜାଣି ମଧ୍ୟ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଘଟଣାକୁ ଚାପି ଦେଇଛନ୍ତି। ଏଭଳି ଘଟଣା ପୂର୍ବରୁ ଘଟିଥିଲେ ମଧ୍ୟ ରୋଗୀ ଭଲ ହୋଇଯିବା ପରେ ଡିସ୍‌ଚାର୍ଜ ସମୟ‌ରେ ଟଙ୍କା ଦେଇ ପଳାଇ ଯାଉଛନ୍ତି। ଏନେଇ କୌଣସି ଅଭିଯୋଗ ମଧ୍ୟ ଆସୁନାହିଁ।

ମୋଡୁଲାର ଓଟି, ତରଳ ଅକ୍ସିଜେନ ପ୍ଲାଣ୍ଟରୁ ଚୋରି

ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ବଢ଼ୁଛି ଚୋରି। ଗତ କିଛି ଦିନ ମଧ୍ୟରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ମୋଡୁଲାର ଓଟି ଓ ତରଳ ଅକ୍ସିଜେନ ପ୍ଲାଣ୍ଟରୁ ବହୁ ମୂଲ୍ୟବାନ୍‌ ସାମଗ୍ରୀ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି।  ପୁଲିସ ସିସିଟିଭି ଯାଞ୍ଚ କରିବା ସହିତ ମାମଲାର ତଦନ୍ତ ଜାରି ରଖିଛି। 

ସୂଚନା ଅନୁସାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରୁ କେତେବେଳେ ରୋଗୀଙ୍କଠାରୁ ତ କେତେ‌ବେଳେ ଡାକ୍ତରଙ୍କ ରୁମ୍‌ରୁ ଚୋରି ହେଉଛି। କେତେବେଳେ ଡାକ୍ତରଖାନାର ମୁଲ୍ୟବାନ୍‌ ଯନ୍ତ୍ରାଂଶ ‌ଚୋରି ହେଉଛି। ହସ୍ପିଟାଲରେ ୨୫୦ ଜଣ ସୁରକ୍ଷାକର୍ମୀ, ସିସିଟିଭି ସହ କ୍ୟାପିଟାଲ ଥାନାର ଏକ ଫାଣ୍ଡି ରହିଥିଲେ ମଧ୍ୟ ‌ଚୋରି କମୁନାହିଁ। ଦୁର୍ବୃତ୍ତମାନେ‌ ବେଧଡ଼କ ଚୋରି କରୁଛନ୍ତି। ଏମିତିକି ରୋଗୀଙ୍କ ଶଯ୍ୟା ପାଖରୁ ମୋବାଇଲ ଚୋରି ଅଭିଯୋଗ ବଢ଼ୁଛି। ପାର୍କିଂରୁ ବାଇକ୍‌ ଚୋରି ବଢ଼ୁଛି। ଚୋରା ବାଇକ୍‌ ମଧ୍ୟ ହସ୍ପିଟାଲ ପାର୍କିଂରେ ରଖାଯାଉଛି।

ନିର୍ମାଣଧୀନ ବିଲ୍ଡିଂରୁ ବିଭିନ୍ନ ସାମଗ୍ରୀ ଚୋରି ହେଉଛି। କିଛି ଦିନ ତଳେ ମୋଡୁଲାର ଓଟିରୁ ଚୋରି ହୋଇଥିବା ବେଳେ ତରଳ ଅକ୍ସିଜେନ ପ୍ଲାଣ୍ଟର ଆର୍ଥିଂ ପ୍ଲେଟ୍‌ ଓ ତମ୍ବା ତାର କେହି ଦୁର୍ବୃତ୍ତ ଚୋରାଇ ନେଇଛି। ୨୪ ଘଣ୍ଟା ୨୫୦ ଜଣ ସୁରକ୍ଷା କର୍ମୀ ଓ ସିସିଟିଭି ଥାଇ ମଧ୍ୟ ଚୋରମାନେ ଚୋରି କରି ଫେରାର ହୋଇଯାଉଛନ୍ତି। ଏନେଇ ସୁରକ୍ଷାକର୍ମୀ ଯୋଗାଉଥିବା ସଂସ୍ଥାକୁ ମଧ୍ୟ ବାରମ୍ବାର ତାଗିଦ୍‌ କରାଯାଉଛି। କିନ୍ତୁ ଚୋରିରେ ରୋକ୍‌ ଲାଗୁନି। ଏନେଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ ଚୋରି ଅଭିଯୋଗ ଆସିଲେ ପୁଲିସକୁ ଅଭିଯୋଗ କରାଯାଉଛି।